Latest Odisha News

BREAKING NEWS

ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନରେ ବ୍ୟାପକ ହିଂସା, ୧୮ ମୃତ

କୋଲକାତା : ପଶ୍ଚିମବଙ୍ଗରେ ଶନିବାର ଦିନ ବ୍ୟାପକ ହିଂସା ମଧ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟ ଗ୍ରହଣ ଶେଷ ହୋଇଛି। ପଞ୍ଚାୟତ ନିର୍ବାଚନ ଭୋଟ ବେଳେ ବ୍ୟାପକ ହିଂସା ଘଟି ୧୮ ଜଣଙ୍କର ମୃତ୍ୟୁ ହୋଇଛି।  ମୃତକଙ୍କ ମଧ୍ୟରେ ୧୦ ଜଣ ଟିଏମସି କର୍ମୀ, ୩ ଜଣ ସିପିଆଇ(ଏମ୍‌) କର୍ମୀ, ବିଜେପିର ୩ ଓ କଂଗ୍ରେସର ଜଣେ କର୍ମୀ ଅଛନ୍ତି। ଅନ୍ୟ ଜଣେ ମୃତକଙ୍କ ବିଷୟରେ ସୂଚନା ମିଳିନାହିଁ । ବାଲାଟ ବକ୍ସ ଲୁଟ, ପୋଡ଼ାଜଳା ଓ ବୁଥ କ୍ୟାପ୍ଚରିଂ ପାଇଁ ବହୁ ସ୍ଥାନରେ ମତଦାନ ସ୍ଥଗିତ ରହିଛି। ସ୍ଥିତିର ଗମ୍ଭୀରତାକୁ ଦେଖି ଆସନ୍ତା ୧୦ ଦିନ ପର୍ଯ୍ୟନ୍ତ ରାଜ୍ୟରେ କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ବାହିନୀ ମୁତୟନ ରହିବ ବୋଲି ନିର୍ଦ୍ଦେଶ ଦିଆଯାଇଛି ।

ସୂଚନା ଅନୁଯାୟୀ, ଗତକାଲି ପଞ୍ଚାୟତ ନିର୍ବାଚନ ଭୋଟ ଗ୍ରହଣ ସମୟରେ ସାମ୍ନାକୁ ଆସିଥିଲା ବୁଥ ଅକ୍ତିଆର, ଭଙ୍ଗାରୁଜା, ପୋଡ଼ାଜଳା ଓ ବାଲଟ ବକ୍ସ ନଷ୍ଟ କରାଯିବାର ଗଣ୍ଡା ଗଣ୍ଡା ମାମଲା। ବିଭିନ୍ନ ସ୍ଥାନରେ ଦଳୀୟ କର୍ମୀଙ୍କ ମଧ୍ୟରେ ଭୀଷଣ ସଂଘର୍ଷ ହୋଇଥିବା ବେଳେ, କିଛି ସ୍ଥାନରେ ବୋମା ପଡ଼ିଥିଲା ଓ ଗୁଳି ବି ଫୁଟିଥିଲା। ହିଂସା ଯୋଗୁଁ ଗତକାଲି ରାଜ୍ୟରେ ମୋଟ ୧୮ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୧୦ ଜଣ ଟିଏମସି କର୍ମୀ, ୩ ଜଣ ସିପିଆଇ(ଏମ୍‌) କର୍ମୀ, ବିଜେପିର ୩ ଓ କଂଗ୍ରେସର ଜଣେ କର୍ମୀ ଅଛନ୍ତି। ଅନ୍ୟ ଜଣେ ମୃତକଙ୍କ ବିଷୟରେ ସୂଚନା ମିଳିନାହିଁ । ୩ ଟିଏମସି ସଦସ୍ୟ ଏବଂ ଜଣେ କଂଗ୍ରେସ କର୍ମୀଙ୍କୁ ମୁର୍ଶିଦାବାଦ ଜିଲ୍ଲାରେ ହତ୍ୟା କରାଯାଇଥିବା ବେଳେ ବିଜେପି ଓ କଂଗ୍ରେସର ଜଣେ ଲେଖାଏଁ କର୍ମୀଙ୍କୁ କୁଚ ବିହାରରେ ହତ୍ୟା କରାଯାଇଛି। କୁଚ ବିହାରରେ ମଧ୍ୟ ଜଣେ ଟିଏମସି ବୁଥ୍‌ କମିଟି ସଭାପତିଙ୍କୁ ଗତରାତିରେ ଛୁରି ଭୁସି ହତ୍ୟା କରାଯାଇଛି। ୨ ସିପିଆଇ(ଏମ୍‌) କର୍ମୀ ଏବଂ ଜଣେ ଟିଏମସି କର୍ମୀଙ୍କୁ ପୂର୍ବ ବର୍ଦ୍ଧମାନରେ ହତ୍ୟା କରାଯାଇଛି। ମାଲଦାର ଜଣେ ଟିଏମସି କର୍ମୀଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ବେଳେ ଦକ୍ଷିଣ ୨୪ ପ୍ରଗଣାରେ ଅନ୍ୟ ଜଣେ ଟିଏମସି କର୍ମୀଙ୍କୁ ପିଟି ପିଟି ହତ୍ୟା କରାଯାଇଛି। ସେହିପରି ମାଲଦାରେ ଜଣେ ଟିଏମସି ନେତାଙ୍କ ଭାଇଙ୍କୁ ହତ୍ୟା କରାଯାଇଛି।

ଶନିବାର ସକାଳ ୭ଟାରେ ପଶ୍ଚିମବଙ୍ଗର ଗ୍ରାମାଞ୍ଚଳରେ ମୋଟ୍‌ ୬୩ହଜାର ୨୨୯ ପଞ୍ଚାୟତ, ୯ହଜାର ୭୩୦ ପଞ୍ଚାୟତ ସମିତି ଏବଂ ୯୨୮ ଜିଲ୍ଲା ପରିଷଦ ପାଇଁ ଭୋଟିଂ ହୋଇଛି । ରାଜ୍ୟ ନିର୍ବାଚନ କମିସନଙ୍କ ସୂଚନା ଅନୁଯାୟୀ ସନ୍ଧ୍ୟା ୫ଟା ସୁଦ୍ଧା ରାଜ୍ୟରେ ପ୍ରାୟ ୬୮.୨୮ ପ୍ରତିଶତ ମତଦାନ ହୋଇଛି। ଜୁଲାଇ ୧୧ରେ ଫଳ ଘୋଷଣା ହେବ ।

Leave A Reply

Your email address will not be published.