କୁଚ୍: ଗୁଜରାଟର କୁଚ ଜିଲ୍ଲାର କନ୍ଧରାଇ ଗ୍ରାମରେ ଜଣେ ୧୮ ବର୍ଷୀୟ ଯୁବତୀ ବୋରୱେଲରେ ଫସିଥିବା ଜଣାପଡିଛି। ଚାଷ ଜମିରେ ଥିବା ୫୦୦ ଫୁଟ୍ ଗଭୀର ବୋରୱେଲରେ ପଡିଯାଇଥିଲେ। ଏହି ଘଟଣା ସମଗ୍ର ଗାଁରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।
ସୂଚନା ଅନୁଯାୟୀ, ଏହି ୧୮ ବର୍ଷୀୟ ଯୁବତୀ ଦୈନନ୍ଦିନ କାର୍ଯ୍ୟରେ ବ୍ୟସ୍ତ ଥିଲାବେଳେ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି। ବୋରୱେଲ୍ ଏତେ ଗଭୀର ଥିଲା ଯେ ଉଦ୍ଧାର କାର୍ଯ୍ୟ କରିବା କଷ୍ଟକର ହୋଇପଡିଛି।
ଏହି ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ଭୁଜ ଅଗ୍ନିଶମ ବିଭାଗର ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହା ପରେ ବିଏସଏଫ ଏବଂ ଏନଡିଆରଏଫ ଟିମ୍ ମଧ୍ୟ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିଲେ।
ପରିବାର ବର୍ଗଙ୍କ ସୂଚନାନୁଯାୟୀ, ଏହି ଦୁର୍ଘଟଣା ସକାଳ ପ୍ରାୟ ୫ଟା ୩୦ମି. ସମୟରେ ଘଟିଥିଲା। ଯେତେବେଳେ ସେ ଏବଂ ତାଙ୍କ ଭଉଣୀ ଶୌଚ ପାଇଁ ଯାଇଥିଲେ। ଯାହାପରେ ହଠାତ୍ ସେ ଉଭାନ ହୋଇଯାଇଥିଲା। ପରେ ବୋରୱେଲ ମଧ୍ୟରୁ ତାର ସ୍ବର ଶୁଭା ଯାଇଥିଲା।
ଏସମ୍ପର୍କରେ ସୂଚନା ପାଇବା ମାତ୍ରେ ଜିଲ୍ଲା କଲେକ୍ଟର ଏବଂ ଏସପି ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ପ୍ରଶାସନ ଘଟଣାସ୍ଥଳକୁ ଆସି ପରିସ୍ଥିତିର ଅନୁଧ୍ୟାନ କରିଥିଲେ। ସର୍ବପ୍ରଥମେ ବୋରୱେଲ ମଧ୍ଯରେ ଅମ୍ଳଜାନ ଯୋଗାଇ ଦିଆଯାଇଥିଲା। ଯେପରି ତାକୁ ନିଶ୍ୱାସ ନେବାରେ କୌଣସି ଅସୁବିଧା ନହୁଏ। ଏହା ବ୍ୟତୀତ ସିସିଟିଭି କ୍ୟାମେରା ମଧ୍ୟ ସ୍ଥାପନ କରାଯାଇଛି ଯାହା ଦ୍ବାରା ବୋରୱେଲ ଭିତର ସ୍ଥିତି ଉପରେ ନଜର ରଖାଯାଇପାରିବ।