Latest Odisha News

BREAKING NEWS

୧୮ତମ ଗୁରୁ ଦେବପ୍ରସାଦ ପୁରସ୍କାର ଉତ୍ସବ, ଓଡ଼ିଶୀ ଓ ଭାରତନାଟ୍ୟମ୍‍ ନୃତ୍ୟରେ ଦର୍ଶକ ମନ୍ତ୍ରମୁଗ୍ଧ

ଭୁବନେଶ୍ୱର: ତ୍ରିଧାରା ଦ୍ୱାରା ଆୟୋଜିତ ୧୮ତମ ଗୁରୁ ଦେବପ୍ରସାଦ ପୁରସ୍କାର ଉତ୍ସବ ଉଦ୍‍ଯାପିତ ହୋଇଯାଇଛି। ତ୍ରିଧାରା ଗତ ତିନି ଦଶନ୍ଧି ଧରି ବିଶ୍ୱର କୋଣ ଅନୁକୋଣରେ ଉତ୍ସବ, ସେମିନାର, ଶିକ୍ଷା କର୍ମଶାଳା, କୋରିଓଗ୍ରାଫି ଆଦି ଆୟୋଜନ କରି ଗୁରୁଜୀଙ୍କ ପରମ୍ପରାକୁ ବଜାଇ ରଖିଆସିଛି।

ଏହା ବ୍ୟତୀତ ବିଖ୍ୟାତ ନୃତ୍ୟଶିଳ୍ପୀ ତଥା ଗୁରୁମାନଙ୍କୁ ଗୁରୁ ଦେବପ୍ରସାଦ ଦାସଙ୍କ ସ୍ମୃତିରେ ପୁରସ୍କାର ମଧ୍ୟ ପ୍ରଦାନ କରୁଅଛି। ଉଦ୍‍ଯାପନୀ ସଂଧ୍ୟାର ଅତିଥିମାନେ ଥିଲେ ଉତ୍କଳ ସଂସ୍କୃତି ବିଶ୍ୱ ବିଦ୍ୟାଳୟର କୁଳପତି ପ୍ରଫେସର ପ୍ରସନ୍ନ କୁମାର ସ୍ୱାଇଁ; ସୃଜନର ନିର୍ଦ୍ଦେଶକ ତଥା ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର କଳା, ଯୋଗାଯୋଗ ଓ ଇଣ୍ଡିଜ ଷ୍ଟଡିଜ୍ ଅଧ୍ୟାପକ ଗୁରୁ ରତିକାନ୍ତ ମହାପାତ୍ର; ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ ଗୁରୁ ଦାତୁକ୍ ରାମଲୀ ଇବ୍ରାହୀମ୍; ତ୍ରିଧାରାର କାର୍ଯ୍ୟରତ ସମ୍ପାଦକ ସିମାଞ୍ଚଳ ପଣ୍ଡା ଏବଂ ତ୍ରିଧାରାର ନିର୍ଦ୍ଦେଶକ ଗୁରୁ ଡ଼କ୍ଟର ଗଜେନ୍ଦ୍ର କୁମାର ପଣ୍ଡା।

ଉଦ୍‍ଯାପନୀ ସଂଧ୍ୟାରେ ପ୍ରଥମେ ବିଶିଷ୍ଟ ଓଡ଼ିଶୀ ନୃତ୍ୟାଙ୍ଗନା ଗୁରୁ ମାଧବୀ ମୁଦ୍‍ଗଲଙ୍କ ଦ୍ୱାରା ଏକକ ଓଡ଼ିଶୀ ନୃତ୍ୟ ପରିବେଷିତ ହୋଇଥିଲା। ସେ ପ୍ରଥମେ ଅଭିନୟ ବାଜିଲାଣି ବାଜିବ ପରେ ପରେ ପଲ୍ଲବୀ ଯାହା ରାଗ ଗୁଣ୍ଡକାରୀ ଓ ଆଦିତାଳ ଉପରେ ନିବଦ୍ଧ ଥିଲା ପରିବେଷଣ କରିଥିଲେ। ପରବର୍ତ୍ତୀ ପ୍ରସ୍ତୁତିରେ ଥିଲା ଆନ୍ତର୍ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଥିବା ଭାରତନାଟ୍ୟମ୍‍ ନୃତ୍ୟ ବିଷାରଦା ଚିତ୍ରା ବିଶ୍ୱେସ୍ୱରନ୍‍ଙ୍କ ଦ୍ୱାରା ଏକକ ଭାରତନାଟ୍ୟମ୍‍ ନୃତ୍ୟ ।

ଏକକ ଓଡ଼ିଶୀ ଓ ଭାରତନାଟ୍ୟମ ନୃତ୍ୟ ପରେ ବିଶିଷ୍ଟ ଅତିଥିମାନଙ୍କ ଦ୍ୱାରା ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଗୁରୁ ଦେବପ୍ରଦାସ ସମ୍ମାନ ୨୦୨୪ ଓଡ଼ିଶୀ ନୃତ୍ୟ କ୍ଷେତ୍ରରେ ଅମୂଲ୍ୟ ଅବଦାନ ପାଇଁ ମାଧବୀ ମୁଦ୍ଗଲ (ପଦ୍ମଶ୍ରୀ); ଭାରତନାଟ୍ୟମ୍‍ ନୃତ୍ୟରେ ପ୍ରସିଦ୍ଧି ଲାଭ କରିଥିବା ଚିତ୍ରା ବିଶ୍ୱେସରନ୍ (ପଦ୍ମଶ୍ରୀ); କଥକ ନୃତ୍ୟରେ ପ୍ରସିଦ୍ଧି ଲାଭ କରିଥିବା ରାମଲାଲ୍ ବରେଥ୍ (ପଦ୍ମଶ୍ରୀ) ଏବଂ ଶବ୍ଦନୃତ୍ୟ କ୍ଷେତ୍ରରେ ପ୍ରସିଦ୍ଧି ଲାଭ କରିଥିବା ଗୁରୁ ଭାଗବତ ପ୍ରଧାନଙ୍କୁ ପ୍ରଦାନ କରାଯାଇଥିଲା।

ପୁରସ୍କାର ବିତରଣ ଉତ୍ସବ ପରେ ତ୍ରିଧାରାର ବରିଷ୍ଠ ନୃତ୍ୟଶିଳ୍ପୀମାନଙ୍କ ଦ୍ୱାରା ଓଡ଼ିଶୀ ନୃତ୍ୟ ବାଲ୍ମିକୀ ରାମୟଣରୁ ଉଦ୍ଧୃତ ସୀତାରାମ ବାକ୍ୟାଳପ ପରିବେଷିତ ହୋଇଥିଲା। ଏହି ନୃତ୍ୟଟିର ନୃତ୍ୟ ସଂରଚନା କରିଥିଲେ ଗୁରୁ ଡ଼କ୍ଟର ଗଜେନ୍ଦ୍ର କୁମାର ପଣ୍ଡା, ସଙ୍ଗୀତ ସଂଯୋଜନା କରିଥିଲେ ଗୁରୁ ଗୋପାଳ ଚନ୍ଦ୍ର ପଣ୍ଡା ଏବଂ ତାଳ ସଂଯୋଜନା କରିଥିଲେ ଗୁରୁ ସଚ୍ଚିଦାନନ୍ଦ ଦାସ। ଶିଳ୍ପୀ ମାନଙ୍କ ଦ୍ୱାରା ପରିବେଷିତ ନୃତ୍ୟ କାର୍ଯ୍ୟକ୍ରମ ରବିନ୍ଦ୍ର ମଣ୍ଡପରେ ଉପସ୍ଥିତ ଦର୍ଶକ ବେଶ୍‍ ମନଭରି ଉପଭୋଗ କରିଥିଲେ।

ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ, ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଏମ୍‍.ଜି.ଏମ ମିନିରାଲ୍ସ, ନାଲକୋ, ପାରାଦ୍ୱୀପ ଫସଫେଟ୍ ଲିମିଟେଡ଼୍, ଦା ନିଉ ମେରିୟନ୍ ହୋଟେଲ ଓ ରୟଲ୍‍ ମିଡ଼୍‍ଟାଉନ ହୋଟେଲ ଏହି ୧୮ତମ ଗୁରୁ ଦେବ ପ୍ରସାଦ ସମ୍ମାନ ପ୍ରଦାନ ଉତ୍ସବର ପ୍ରୟୋଜକ ଓ ସମର୍ଥକ ଥିଲେ। କାର୍ଯ୍ୟକ୍ରମକୁ ସଂଚାଳନା କରିଥିଲେ ଅଧ୍ୟାପକ ପୁଣ୍ୟଦର୍ଶନ ସାହୁ।

Leave A Reply

Your email address will not be published.