Latest Odisha News

ଅନ୍ୟମନସ୍କ କିମ୍ବା ଦ୍ରୁତ ଗତିରେ ଗାଡ଼ି ଚଳାଇବାରୁ ୨୦୨୨ରେ ୧୯ ହଜାର ଦୁର୍ଘଟଣା ଘଟିଛି

ନୂଆଦିଲ୍ଲୀ: କ୍ରିକେଟର ଋଷଭ ପନ୍ତ ଉତ୍ତରାଖଣ୍ଡର ଦିଲ୍ଲୀ-ଡେରାଡୁନ ରାଜପଥରେ ନିଜ କାର ସହ ଏକ ଦୁର୍ଘଟଣାରୁ ଆଶ୍ଚର୍ଯ୍ୟଜନକ ଭାବେ ବର୍ତ୍ତି ଯାଇଛନ୍ତି। କିନ୍ତୁ ଦେଶରେ ଏଭଳି ଘଟଣା ଅନେକ ସମୟରେ ଦୁଃଖର କାରଣ ପାଲଟିଥାଏ।

ଦୁଇ ଦିନ ତଳେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ଏକ ରିପୋର୍ଟ ଅନୁଯାୟୀ, ଗତବର୍ଷ ୧୯,୪୭୮ଟି ଦୁର୍ଘଟଣା ଘଟିଛି । ଯାହା ଏଯାବତ୍ ସର୍ବାଧିକ। ରାସ୍ତାର ଡିଜାଇନ୍, ବିଶେଷ କରି କର୍ଭକୁ ବୁଝି ପାରୁନଥିବାରୁ ଦୁର୍ଘଟଣାକୁ ଏଡ଼ାଇବାକୁ ଯାଇ ଡ୍ରାଇଭର ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇ ବସିଥିବାରୁ ଦୁର୍ଘଟଣା ଘଟିଛି।

ଏହି ସବୁ ଘଟଣାରେ ୯ ହଜାର ୧୫୦ ଜଣ ପ୍ରାଣ ହରାଇଥିବା ବେଳେ ୧୯ ହଜାର ୭୭ ଜଣ ଆହତ ହୋଇଛନ୍ତି। ଚିନ୍ତାର ବିଷୟ ହେଉଛି, ଏହି ପରିସଂଖ୍ୟାନ ୨୦୨୦ ତୁଳନାରେ ଅଧିକ। ଦୁର୍ଘଟଣାରେ ୧୭ ପ୍ରତିଶତ ବୃଦ୍ଧି ଘଟିଥିବା ବେଳେ ୭ ପ୍ରତିଶତ ମୃତ୍ୟୁ ଅଧିକ ଘଟିଛି।

୨୦୨୧ରେ ମୋଟ ୪,୧୨,୪୩୨ ସଡ଼କ ଦୁର୍ଘଟଣା ଘଟିଥିଲା ଯେଉଁଥିରେ ୧,୫୩,୯୭୨ ଲୋକ ପ୍ରାଣ ହରାଇଥିଲେ ଏବଂ ୩,୮୪,୪୪୮ ଆହତ ହୋଇଥିଲେ। ସବୁଠାରୁ ଅଧିକ (୨୧.୨ ପ୍ରତିଶତ) ଦୁର୍ଘଟଣା ପଛକୁ ପଛ ଧକ୍କା ହୋଇଛି। ଫଳରେ ମୃତକଙ୍କ ସଂଖ୍ୟା ୪,୪୩୩ରେ ପହଞ୍ଚିଛି। ଏହା ପରେ ମୁହାଁମୁହିଁ ଧକ୍କା (୧୮.୫ଟି ଦୁର୍ଘଟଣା ଓ ୧୭.୭ ଜଣଙ୍କ ମୃତ୍ୟୁ) ରହିଛି।

ମୁହାଁମୁହିଁ ଦୁର୍ଘଟଣାରେ ଅଧିକାଂଶ ମାମଲା ହେଉଛି ସଙ୍କୀର୍ଣ୍ଣ ରାସ୍ତା, ହଠାତ କର୍ଭ ରାସ୍ତା, ବ୍ୟସ୍ତବହୁଳ ରାସ୍ତା ଏବଂ ଦୁଇପାଶ୍ୱର୍ରେ ଯାତାୟାତ କରୁଥିବା ଅବିଭକ୍ତ ଗଳି। ସେହିପରି ହିଟ୍ ଆଣ୍ଡ ରନ୍ ଏବଂ ସାଇଡ୍ ବସ୍ ଧକ୍କା ମଧ୍ୟ ଦୁର୍ଘଟଣାର ମୁଖ୍ୟ କାରଣ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି।  ୧୮ ପ୍ରତିଶତ ମୃତ୍ୟୁର କାରଣ ଏହି ଦୁଇଟି କାରଣ।

ଉଲ୍ଲେଖଯୋଗ୍ୟ, ପନ୍ତଙ୍କ କାର୍ ଦୁର୍ଘଟଣା ହେବାର ପ୍ରାୟ ୨୦୦ ମିଟର ପୂର୍ବରୁ ଏକ ବ୍ଲାକ୍ ସ୍ପଟ୍ ରହିଥିଲା।

 

Comments are closed.