କାଶ୍ମୀର: ପାକିସ୍ତାନ ଆତଙ୍କବାଦୀମାନେ କାଶ୍ମୀରରେ ହିଂସା ସୃଷ୍ଟି ପାଇଁ ରଣନୀତି ବଦଳାଇବାରେ ଲାଗିଛନ୍ତି । କାଶ୍ମୀରରୁ ଧାରା 370 ହଟିବା ପରେ ଆତଙ୍କବାଦୀଙ୍କ ପାଇଁ କାଶ୍ମୀର ଆଉ ସୁରକ୍ଷିତ ସ୍ଥାନ ହୋଇନାହିଁ । ତେଣୁ ସେମାନେ କାଶ୍ମୀର ଭିତରକୁ ଅନୁପ୍ରବେଶ ପାଇଁ ଡ୍ରୋନର ସହାୟତା ନେଉଛନ୍ତି । ଡ୍ରୋନ ସହାୟତାରେ ଅସ୍ତ୍ରଶସ୍ତ୍ର ଆତଙ୍କବାଦୀଙ୍କ ନିକଟରେ ପହଁଚାଉଛି ପାକିସ୍ତାନୀ ସେନା । ଆତଙ୍କବାଦୀମାନେ ହିଂସାକାଣ୍ଡ ଘଟାଇ ପାକିସ୍ତାନକୁ ଫେରିଯିବା ପାଇଁ ମଧ୍ୟ ଡ୍ରୋନର ସହାୟତା ନେଉଛନ୍ତି ।
ଗତ ୯ ମାସ ଭିତରେ ଭାରତୀୟ ସୀମାକୁ ପାକିସ୍ତାନର ୧୯୧ ଟି ଡ୍ରୋନ ବେଆଇନ୍ ଭାବେ ପ୍ରବେଶ କରିଥିବା ଜାତୀୟ ଗଣମାଧ୍ୟମରେ ତଥ୍ୟ ପ୍ରକାଶ ପାଇଛି । ସେଥିମଧ୍ୟରୁ ମାତ୍ର ୭ ଟିକୁ ଗୁଳିକରି ଖସାଇ ଦେଇଛନ୍ତି ଭାରତୀୟ ସୁରକ୍ଷାବାହିନୀ । ଅନ୍ୟ ଡ୍ରୋନ ପୁଣି ପାକିସ୍ତାନ ସୀମାକୁ ଫେରିଯାଇଛି । ଡ୍ରୋନ୍ର ଏହି ବେଆଇନ ପ୍ରବେଶ ଘଟଣା ଏବେ ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ବିଶେଷ କରି ପଂଜାବ ସୀମା ଅଂଚଳରେ ୧୯୧ ଟି ଡ୍ରୋନ୍ ଦେଖାଦେଇଥିବା ବେଳେ ୨୦ ଟି ଜାମ୍ମୁକାଶ୍ମୀର ସୀମା ଭିତରକୁ ଆସିଥିବା ତଥ୍ୟ ରହିଛି ।
ବିଏସ୍ଏଫ୍ ସୁରକ୍ଷାକର୍ମଚାରୀମାନେ କହିଛନ୍ତି ସୀମା ଦେଇ ଅସ୍ତ୍ରଶସ୍ତ୍ର, ବିସ୍ଫୋରକ ସାମଗ୍ରୀ ଏବଂ ନିଶା ସାମଗ୍ରୀ ପରିବହନ ପାଇଁ ଡ୍ରୋନର ଏବେ ବହୁଳ ବ୍ୟବହାର କରୁଛନ୍ତି ଆତଙ୍କବାଦୀ ସଂସ୍ଥା । ସୀମାରେ ସୁରକ୍ଷାକର୍ମୀମାନେ ସଜାଗ ରହିଥିଲେ ମଧ୍ୟ ଚକମା ଦେଖାଇ ଆତଙ୍କବାଦୀମାନେ ଏଭଳି କରିବାରେ ସକ୍ଷମ ହେଉଛନ୍ତି । ପାକିସ୍ତାନରୁ ଅସ୍ତ୍ରଶସ୍ତ୍ର, ଗୁଳିଗୋଳା ଏବଂ ବିସ୍ଫୋରକ ସାମଗ୍ରୀ ଯୋଗାଉଥିବା ଡ୍ରୋନକୁ କାବୁ କରିବାରେ ସକ୍ଷମ ବୋଲି ବିଏସଏଫ କହିଥିଲେ ମଧ୍ୟ ବେଳେ ବେଳେ ଖରାପ ପାଣିପାଗ ପରିସ୍ଥିତିକୁ ଦେଖି ଆତଙ୍କବାଦୀମାନେ ଡ୍ରୋନ ସହାୟତାରେ ଅସ୍ତ୍ରଶସ୍ତ୍ର ପଠାଇବା କାର୍ଯ୍ୟ କରିବାରେ ମଧ୍ୟ ସଫଳ ହେଉଛନ୍ତି । ସୁରକ୍ଷା ଏଜେନ୍ସି, ବିଏସଏଫ ଏବଂ ଜାମ୍ମୁ କାଶ୍ମୀର ପୋଲିସ ଏନେଇ ବାରମ୍ବାର ବୈଠକ କରି ଆତଙ୍କବାଦୀଙ୍କ ରଣନୀତିକୁ ବିଫଳ କରିବାରେ ଲାଗିଛନ୍ତି ।
କାଶ୍ମୀର ଘାଟି ଏବଂ ପଞ୍ଜାବରେ ଆତଙ୍କବାଦୀମାନେ ସେମାନଙ୍କ ଏଜେଣ୍ଡାକୁ ସଫଳ କରିବା ପାଇଁ ଡ୍ରୋନ ବ୍ୟବହାର ଉପରେ ଅଧିକ ଧ୍ୟାନ ଦେଉଛନ୍ତି । ଅସ୍ତ୍ରଶସ୍ତ୍ର, ବିସ୍ଫୋରକ ସାମଗ୍ରୀ ଏବଂ ନିଶା କାରବାର ପଛରେ ପାକିସ୍ତାନ ସେନା ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ଆତଙ୍କବାଦୀମାନଙ୍କୁ ସହାୟତା ଦେଇଆସୁଛି । ଭାରତକୁ ଅସ୍ଥିର କରି ଜମ୍ମୁକାଶ୍ମୀରରେ ରାଜନୈତିକ ଏଜେଣ୍ଡା ଚଳାଇବା ନିମନ୍ତେ ପାକିସ୍ତାନ ସେନା ଏପରି କାର୍ଯ୍ୟ କରିଆସୁଛି । ତେବେ ଆତଙ୍କବାଦୀ ସଂଗଠନର ଏହି ରଣନୀତିକୁ ଭାରତୀୟ ସୁରକ୍ଷାବାହିନୀମାନେ ବିଫଳ କରିଆସୁଛନ୍ତି ।
Comments are closed.