ନୂଆଦିଲ୍ଲୀ:ଜବାଲିଆ ଶରଣାର୍ଥୀ ଶିବିର ଉପରେ ଇସ୍ରାଏଲର ଆକ୍ରମଣରେ ଅତି କମରେ ୧୯୫ ଜଣ ପାଲେଷ୍ଟାଇନବାସୀଙ୍କ ମୃତ୍ୟୁ ଘଟିଛି । ୧୨୦ ଜଣ ଏବେ ବି ଧ୍ୱସସ୍ତୁପ ତଳେ ନିଖୋଜ ଅଛନ୍ତି । ୭୭୭ ଜଣ ଆହତ ହୋଇଛନ୍ତି । ପାଲେଷ୍ଟାଇନ ପକ୍ଷରୁ ଧ୍ୱସସ୍ତୁପ ତଳୁ ଉଦ୍ଧାର କାର୍ଯ୍ୟ ଆାରମ୍ଭ ହୋଇଛି ।
ଇସ୍ରାଏଲ ସେନା ପକ୍ଷରୁ ବିମାନ ଆକ୍ରମଣରେ ଗାଜା ସହର ନିକଟରେ ଥିବା ଏକ ଶରଣାର୍ଥୀ ଶିବିର ଆପାର୍ଟମେଣ୍ଟକୁ ଧ୍ୱଂସ କରି ଦେଇଛି । ଧ୍ୱଂସସ୍ତୁପ ତଳୁ ଉଦ୍ଧାରକାରୀ ଟିମ ପୁରୁଷ, ମହିଳା ଓ ଶିଶୁଙ୍କୁ ଉଦ୍ଧାର କରୁଛନ୍ତି ।
ଇସ୍ରାଏଲ ପକ୍ଷରୁ କୁହାଯାଇଛି, ଏହି ଘରେ ହମାସ କମାଣ୍ଡରଙ୍କ ସେଣ୍ଟର ଥିଲା । ଏହି ସେଣ୍ଟର ସମେତ ଏହା ତଳେ ଥିବା ସୁଡଙ୍ଗ ନେଟୱର୍କକୁ ମଧ୍ୟ ନଷ୍ଟ କରି ଦିଆଗଲା । ଇସ୍ରାଏଲ ସେନା ପକ୍ଷରୁ କୁହାଯାଇଛି, ଉତ୍ତର ଗାଜାରେ ହମାସ ଅଭିଯାନର ଦାୟିତ୍ୱ ନେଇଥିବା କମାଣ୍ଡରଙ୍କ ସମେତ ଅନେକ ଆତଙ୍କୀଙ୍କର ମୃତ୍ୟୁ ଘଟିଛି ।
ରାଜନୈତିକ ସୂତ୍ରରୁ ଜଣାଯାଇଛି, ପାଖାପାଖି ୭,୫୦୦ ବିଦେଶୀ ପାସପୋର୍ଟଧାରୀ ପାଖାପାଖି ୨ ସପ୍ତାହ ମଧ୍ୟରେ ଗାଜା ଛାଡିବେ । ପାଲେଷ୍ଟାଇନ ରେଡ କ୍ରିସେଣ୍ଟ ପକ୍ଷରୁ କୁହାଯାଇଛି, ଜନସଂଖ୍ୟାବହୁଳ ଏହି ଗାଜା ସହରରେ ଅଲ କୁଦ୍ସ ଡାକ୍ତରଖାନା ପାଖାପାଖି ଗୁରୁବାର ଖୁବ ଜୋରରେ ବିସ୍ଫୋରଣ ହୋଇଥିଲା । ଇସ୍ରାଏଲ ଅଧିକାରୀମାନେ ପୂର୍ବରୁ ଏହି ଡାକ୍ତରଖାନା ଖାଲି କରିବାକୁ କହିଥିଲେ । ହେଲେ ଜାତିସଂଘ ପକ୍ଷରୁ କୁହାଯାଇଥିଲା, ଏହାଦ୍ୱାରା ରୋଗୀଙ୍କ ଜୀବନ ପ୍ରତି ବିପଦ ରହିଛି ।
ଏପଟେ ଇସ୍ରାଏଲ ପକ୍ଷରୁ କୁହାଯାଇଛି, ମଙ୍ଗଳବାର ଏବଂ ବୁଧବାର ଆକ୍ରମଣରେ ଗାଜାରେ ଥିବା ବଡ ଶରଣାର୍ଥୀ ଶିବିର ଜବାଲିଆରେ ହମାସର ୨ ଆତଙ୍କୀ ନେତାଙ୍କ ମୃତ୍ୟୁ ଘଟିଛି ।
Comments are closed.