୧୯୭୫ରେ ଦିନିକିଆ ବିଶ୍ୱକପ କ୍ରିକେଟର ଲୋକପ୍ରିୟତା ନୂଆ ଅଧ୍ୟାୟ ସୃଷ୍ଟି କରିଥିଲେ । ଏହାର ୪ ବର୍ଷ ପରେ ଆୟୋଜିତ ବିଶ୍ୱକପ ପ୍ରତି ଦର୍ଶକଙ୍କ ଉତ୍କଣ୍ଠା ବୃଦ୍ଧି ପାଇଥିଲା । ଚାମ୍ପିୟନ ୱେଷ୍ଟଇଣ୍ଡିଜକୁ ରୋକିବା ଭଳି ଟିମ ସମ୍ମୁଖକୁ ଆସିପାରି ନ ଥିଲେ । ଏହି ବିଶ୍ୱକପରେ ଭାରତର ପ୍ରଦର୍ଶନ ନୈରାଶ୍ୟଜନକ ଥିଲା । ବୋଧହୁଏ ଏହି ଫର୍ମାଟରେ ଭାରତୀୟ ଖେଳାଳିମାନେ ନିଜକୁ ପରିବର୍ତନ କରିପାରି ନ ଥିଲେ । ଟିମ ଇଣ୍ଡିଆ ୩ଟି ମ୍ୟାଚରେ ପରାଜିତ ହୋଇ ଗ୍ରୁପ ପର୍ଯ୍ୟାୟରୁ ବିଦାୟ ନେଇଥିଲା ।
ଭାରତର ପ୍ରଦର୍ଶନ: ଭାରତୀୟ ଟିମ ୱେଷ୍ଟଇଣ୍ଡିଜ ବୋଲରଙ୍କ ଉଚିତ ମୁକାବିଲା କରି ନ ପାରି ୫୪ ଓଭରରେ ୧୯୦ ରନ କରି ଅଲଆଉଟ ହୋଇ ଯାଇଥିଲା । ଗୁଣ୍ଡାପ୍ପା ବିଶ୍ୱନାଥ ସର୍ବାଧିକ ୭୫ ରନ କରିଥିଲେ । ଜବାବରେ ଗର୍ଡନ ଗ୍ରୀନୀଜଙ୍କ ୧୦୬ ରନ ସହାୟତାରେ ଚାମ୍ପିୟନ ୱେଷ୍ଟଇଣ୍ଡିଜ ୯ ୱିକେଟରେ ବିଜୟ ହାସଲ କରି ନେଇଥିଲା । ଏହାର ପରେ ନ୍ୟୁଜିଲାଣ୍ଡକୁ ଭେଟିଥିଲା ଭାରତ । ସୁନୀଲ ଗାଭାସ୍କରଙ୍କ ୫୫ ରନ ସହାୟତାରେ ଭାରତ ୫୫.୫ ଓଭରରେ ୧୮୨ ରନ କରି ଅଲଆଉଟ ହୋଇ ଯାଇଥିଲା । ନ୍ୟୁଜିଲାଣ୍ଡ ଏହି ଲକ୍ଷ୍ୟକୁ ୫୭ ଓଭରରେ ୨ ୱିକେଟ ହରାଇ ହାସଲ କରି ନେଇଥିଲା । ବ୍ରୁସ ଏଡଗାର ୮୪ ରନ କରି ଅପରାଜିତ ରହିଥିଲା ।
ତୃତୀୟ ମ୍ୟାଚରେ ଭାରତ ଅପେକ୍ଷାକୃତ ଦୁର୍ବଳ ଦଳ ବିବେଚନା କରାଯାଉଥିବା ଶ୍ରୀଲଙ୍କାଠାରୁ ମଧ୍ୟ ହାରି ଯାଇଥିଲା । ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ୫ ୱିକେଟ ହରାଇ ୨୩୮ ରନ କରିଥିଲା । ସୁନୀଲ ୱେଟ୍ଟିମୁନି, ରୟ ଡାଏସ ଓ ଦୁଲୀପ ମେଣ୍ଡିସ ଅର୍ଦ୍ଧଶତକ ହାସଲ କରିଥିଲେ । ଜବାବରେ ଭାରତ ୫୪.୧ ଓଭରରେ ୧୯୧ ରନ କରି ଅଲଆଉଟ ହୋଇ ଯାଇଥିଲେ । ଏଥିସହ ଗ୍ରୁପ ପର୍ଯ୍ୟାୟରୁ ଭାରତର ଅଭିଯାନ ଶେଷ ହୋଇଥିଲା । ଶ୍ରୀଲଙ୍କା ବିଶ୍ୱକପରେ ପ୍ରଥମ ବିଜୟ ସ୍ୱାଦ ଚାଖିଥିଲା ।
ୱେଷ୍ଟଇଣ୍ଡିଜ ପୁନର୍ବାର ଚାମ୍ପିୟନ: ଗ୍ରୁପ ଏରୁ ଇଂଲଣ୍ଡ ଓ ପାକିସ୍ତାନ ଏବଂ ଗ୍ରୁପ ବିରୁ ୱେଷ୍ଟଇଣ୍ଡିଜ ଓ ନ୍ୟୁଜିଲାଣ୍ଡ ସେମିଫାଇନାଲରେ ପ୍ରବେଶ କରିଥିଲେ । ପ୍ରଥମ ସେମିରେ ଇଂଲଣ୍ଡ ୨୨୨ ରନର ଲକ୍ଷ୍ୟ ନ୍ୟୁଜିଲାଣ୍ଡକୁ ପ୍ରଦାନ କରିଥିଲା । ନ୍ୟୁଜିଲାଣ୍ଡ ୯ ୱିକେଟ ହରାଇ ୨୧୨ ରନ କରିବାକୁ ସକ୍ଷମ ହୋଇଥିଲା । ସେହିପରି ଦ୍ୱିତୀୟ ସେମିଫାଇନାଲରେ ୱେଷ୍ଟଇଣ୍ଡିଜ ପ୍ରଥମେ ବ୍ୟାଟିଂ କରି ୨୯୩ ରନ କରିଥିଲା । ପାକିସ୍ତାନ ଲଢ଼ୁଆ ପ୍ରଦର୍ଶନ କରି ୪୬.୨ ଓଭରରେ ୨୫୦ ରନ କରି ଅଲଆଉଟ ହୋଇ ଯାଇଥିଲା । ଫାଇନାଲରେ ୱେଷ୍ଟଇଣ୍ଡିଜ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ।
ଭିିଭିଆନ ରିଚାର୍ଡ୍ସଙ୍କ ୧୩୮ ଓ କୋଲିସ କିଙ୍ଗଙ୍କ ୬୬ ରନ ବଳରେ ୬୦ ଓଭରରେ ୯ୱିକେଟ ହରାଇ ୨୮୬ ରନ କରିଥିଲା । ଇଂଲଣ୍ଡ ୨୮୭ ରନର ଲକ୍ଷ୍ୟକୁ ପିଛା କରି ଭଲ ଆରମ୍ଭ କରିଥିଲା । ଦୁଇ ଓପନର ମାଇକ ବ୍ରେୟର୍ଲି (୬୪) ଓ ଜ୍ୟେଫ ବୟକଟ ( ୫୭) ଅର୍ଦ୍ଧଶତକ ହାସଲ କରିବା ସତ୍ୱେ ଅଧିକ ଧୀମା ଖେଳିବା ଯୋଗୁ ମ୍ୟାଚ ହାତ ମୁଠାରୁ ପଳାଇ ଯାଇଥିଲା । ଆଶ୍ଚର୍ଯ୍ୟଜନକ ଭାବେ ଇଂଲଣ୍ଡର ଶେଷ ୮ଟି ୱିକେଟ ମାତ୍ର ୧୧ ରନରେ ପଡି ଯାଇଥିଲା । ଆଉ ୱେଷ୍ଟଇଣ୍ଡିଜ କ୍ରମାଗତ ଦ୍ୱିତୀୟ ଥର ବିଶ୍ୱବିଜେତା ହୋଇଥିଲା ।
Comments are closed.