Latest Odisha News

ଶାମ୍ବ ଦଶମୀରେ ହେବ ସମୁଦ୍ର ଆରତୀ, ଯୋଗଦେବେ ୨୩ ଦେଶର ୩୦୦ ଭକ୍ତ

ଭୁବନେଶ୍ବର:୧୮ ବର୍ଷ ଧରି ପୂର୍ବାମୟ ଶ୍ରୀ ଗୋବଦ୍ଧନ ମଠ-ପୁରୀ ପୀଠ ତରଫରୁ ପ୍ରତିଦିନ ସନ୍ଧ୍ୟା ସମୟରେ ପୁରୀ ସ୍ବର୍ଗଦ୍ବାର ସମ୍ମୁଖରେ ପବିତ୍ର ମହୋଦଧି ଆରତି କାର୍ଯ୍ୟକ୍ରମ ଅତ୍ୟନ୍ତ ଆସ୍ଥା ଓ ବିଶ୍ୱାସ ପୂର୍ବକ ବିଧିବିଧାନର ସହ ହୋଇ ଆସୁଅଛି। କାର୍ଯ୍ୟକ୍ରମର ବାର୍ଷିକ ମହୋତ୍ସବ ମଧ୍ୟ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନଙ୍କ ସହଯୋଗରେ ପ୍ରତିବର୍ଷ ସମ୍ପନ୍ନ ହେଉଛି। ଚଳିତ ବର୍ଷ ପାଇଁ ବାର୍ଷିକ ଉତ୍ସବ ଜାନୁଆରୀ ୯ ତାରିଖ ପବିତ୍ର ପୌଷ ଶୁକ୍ଳ ଦଶମୀ ତିଥିରେ ଅପରାହ୍ଣ ୪.୩୦ ମିନିଟ୍‌ ଠାରୁ ରାଷ୍ଟ୍ରୋତ୍କର୍ଷ ଓ ବିଶ୍ଵକଲ୍ୟାଣକାରୀ ଭାବନାରେ ପବିତ୍ର ମହୋଦଧି ଆରତୀର ବାର୍ଷିକ ଉତ୍ସବ ଅନୁଷ୍ଠିତ ହେବ। ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ମଠ ପକ୍ଷରୁ ସୂଚନା ଦିଆଯାଇଛି।

ଏହି କାର୍ଯ୍ୟକ୍ରମରେ ପୂଜ୍ୟପାଦ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ ସ୍ଵାମୀ ନିଶ୍ଚଳାନନ୍ଦ ସରସ୍ଵତୀଜୀ ମହାରାଜ, ପୁରୀ ନରେଶ ଗଜପତି ମହାରାଜା ଶ୍ରୀ ବିବ୍ୟସିଂହ ଦେବ, ପୂଜ୍ୟ ସନ୍ଥ, ମହନ୍ତ ଏବଂ ମଠାଧୀଶଙ୍କ ଦିବ୍ୟ ସାନ୍ନିଧ୍ୟରେ ଏହି ପବିତ୍ର ମହୋତ୍ସବ ସମ୍ପନ୍ନ ହେବ। ଏହି ଅବସରରେ ଦେଶର ବିଭିନ୍ନ କେନ୍ଦ୍ରମନ୍ତ୍ରୀ, ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ, ମହାମହିମ ରାଜ୍ୟପାଳ, ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ, ସାଂସଦ, ବିଧାୟକ ତଥା ବିଭିନ୍ନ ରାଜନୈତିକ ଦଳର ମୁଖ୍ୟ, ବିଭିନ୍ନ ସଚିବ ଓ ପ୍ରଶାସନିକ ଅଧିକାରୀମାନଙ୍କୁ ନିମନ୍ତ୍ରଣ କରାଯାଇଅଛି।

ଏହି ଭବ୍ୟ ମହୋତ୍ସବରେ ୨୩ଟି ଦେଶର ୩୦୦ ବିଦେଶୀ ଭକ୍ତଙ୍କ ସମେତ ୧୦ ହଜାର ଭକ୍ତଙ୍କର ସମାବେଶ ହେବା ସମ୍ପର୍କରେ ମହୋଦଧି ଆରତୀ ସଞ୍ଚାଳନ ସମିତିର ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ, ଅଧ୍ୟକ୍ଷ ଇଂ ପ୍ରଶାନ୍ତ ଆଚାର୍ଯ୍ୟ, ଆଦିତ୍ୟ ବାହିନୀର ପ୍ରଦେଶ ଅଧ୍ୟକ୍ଷ ମାତୃପ୍ରସାଦ ମିଶ୍ର ଓ  ପୀଠ ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ରଥ ସୂଚନା ଦେଇଛନ୍ତି।

Comments are closed.