Latest Odisha News

BREAKING NEWS

୧୯ତମ ଗୁରୁ ଦେବପ୍ରସାଦ ପୁରସ୍କାର ଉତ୍ସବ ଉଦ୍‌ଯାପନୀ 

ଓଡ଼ିଶୀ ନୃତ୍ୟ ରାଧେ ରାଧେ ଦା ସୁଇଟ୍ ସରେଣ୍ଡର ଉପସ୍ଥାପନରେ ଦର୍ଶକ ମନ୍ତ୍ରମୁଗ୍ଧ

ଭୁବନେଶ୍ବର: ଗୁରୁ ଦେବପ୍ରସାଦ ଦାସଙ୍କ ସ୍ମୃତିକୁ ଶୁଭେଚ୍ଛା ଜଣାଇ ତ୍ରିଧାରା ଦ୍ବାରା ଆୟୋଜିତ ୧୯ତମ ଗୁରୁ ଦେବପ୍ରସାଦ ପୁରସ୍କାର ଉତ୍ସବ ୨୦୨୫ – “ଭାରତ-ଜାପାନ-ମାଲେସିଆ ବନ୍ଧୁତାର ଉତ୍ସବ’ ଏକ ବର୍ଣାଢ୍ଯ ପରିବେଶରେ ଉଦ୍‌ଯାପିତ ହୋଇଯାଇଅଛି।

ତ୍ରିଧାରା ଗତ ତିନି ଦଶନ୍ଧି ଧରି ବିଶ୍ବର କୋଣ ଅନୁକୋଣରେ ଉତ୍ସବ, ସେମିନାର, ଶିକ୍ଷା କର୍ମଶାଳା, କୋରିଓଗ୍ରାଫି ଆଦି ଆୟୋଜନ କରି ଗୁରୁଜୀଙ୍କ ପରମ୍ପରାକୁ ବଜାଇ ରଖିଛି। ଏହା ବ୍ୟତୀତ ବିଖ୍ୟାତ ନୃତ୍ୟଶିଳ୍ପୀ ତଥା ଗୁରୁମାନଙ୍କୁ ଗୁରୁ ଦେବପ୍ରସାଦ ଦାସଙ୍କ ସ୍ମୃତିରେ ପୁରସ୍କାର ମଧ୍ୟ ପ୍ରଦାନ କରୁଅଛି ।

ଉଦ୍‌ଯାପନୀ ସଂଧ୍ୟାର ଅତିଥିମାନେ ଥିଲେ ଯାଜପୁର ସାଂସଦ ଡକ୍ଟର ରବୀନ୍ଦ୍ର ନାରାୟଣ ବେହେରା, ଉତ୍କଳ ସଂସ୍କୃତି ବିଶ୍ୱ ବିଦ୍ୟାଳୟର କୁଳପତି ପ୍ରଫେସର ପ୍ରସନ୍ନ କୁମାର ସ୍ବାଇଁ, ଓଡ଼ିଶା ଅଲିମ୍ପିକ୍ସ ଆସୋସିଏସନର ସଭାପତି ଏବଂ ଓଡିଶା ବିଜେପିର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ଏମ୍.ଜି.ଏମ ମିନିରାଲ୍ସର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ପଙ୍କଜ ଲୋଚନ ମହାନ୍ତି, ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ ତଥା ସୂତ୍ର ଫାଉଣ୍ଡେସନ୍ ର ପ୍ରତିଷ୍ଠାତ ଗୁରୁ ଦାତୁକ୍ ରାମଲୀ ଇବ୍ରାହୀମ୍; ତ୍ରିଧାରାର କାର୍ଯ୍ୟରତ ସମ୍ପାଦକ ସିମାଞ୍ଚଳ ପଣ୍ଡା ଏବଂ ତ୍ରିଧାରାର ନିର୍ଦ୍ଦେଶକ ଗୁରୁ ଡ଼କ୍ଟର ଗଜେନ୍ଦ୍ର କୁମାର ପଣ୍ଡା ।

ଗୁରୁ ନିରଞ୍ଜନ ରାଉତ (ଓଡ଼ିଶୀ ନୃତ୍ୟ), ସିଭାରାଜା ନଟରାଜନ୍ (ଭିଜୁଆଲ୍ ଆର୍ଟ ଆଣ୍ଡ ଲାଇଟ୍ ଡିଜାଇନ୍) ଏବଂ ଗୁରୁ ଯୁଧ୍ଵର ନାହକ (ରାଧା ପ୍ରେମ ଲୀଲା)ଙ୍କୁ ୧୯ ତମ ଗୁରୁ ଦେବପ୍ରସାଦ ସମ୍ମାନ ୨୦୨୫ ପ୍ରଦାନ କରାଯାଇଥିଲା । ଓଡ଼ିଶୀ ନୃତ୍ୟରେ ଗୁରୁ ଜୟନ୍ତ ଆଚାର୍ଯ୍ୟ, ବିଦୁସି ଡି ପ୍ରିୟଙ୍କା, ବିଦୁଶି ସୁଦୀପ୍ତା ପଣ୍ଡା ଏବଂ ଆର୍ଯ୍ୟ ନନ୍ଦଙ୍କୁ ୧୯ ତମ ଗୁରୁ ଦେବପ୍ରସାଦ ପ୍ରତିଭା ସମ୍ମାନ ୨୦୨୫ ପ୍ରଦାନ କରାଯାଇଥିଲା । ଶେଷରେ ଓଡ଼ିଶୀ ନୃତ୍ୟରେ ସୁଶ୍ରୀ ୟୁୟୁରି ଆଇଜିମାଙ୍କୁ ୧୯ ତମ ଗୁରୁ ଦେବପ୍ରସାଦ ଶିଶୁ ପ୍ରତିଭା ସମ୍ମାନ ୨୦୨୫ ପ୍ରଦାନ କରାଯାଇଥିଲା ।

ପୁରସ୍କାର ବିତରଣ ଉତ୍ସବ ପରେ ମାଲେସିଆର ସୂତ୍ର ଫାଉଣ୍ଡେସନର ଶିଳ୍ପୀମାନଙ୍କୁ ନେଇ ଓଡ଼ିଶୀ ଦଳଗତ ନୃତ୍ୟ ରାଧେ ରାଧେ ଦା ସୁଇଟ୍ ସରେଣ୍ଡର ପରିବେଷିତ ହୋଇଥିଲା । ଏହି ନୃତ୍ୟଟିର ନୃତ୍ୟ ସଂରଚନା କରିଥିଲେ ଗୁରୁ ଡ଼କ୍ଟର ଗଜେନ୍ଦ୍ର କୁମାର ପଣ୍ଡା ଓ ଦାତୁକ୍ ରାମଲୀ ଇବ୍ରାହିମ୍, ସଙ୍ଗୀତ ସଂଯୋଜନା କରିଥିଲେ ଗୁରୁ ଗୋପାଳ ଚନ୍ଦ୍ର ପଣ୍ଡା, ପଣ୍ଡିତ ଲକ୍ଷ୍ମୀକାନ୍ତ ପାଲିତ୍ ଓ ସଙ୍ଗୀତା ପଣ୍ଡା ଏବଂ ତାଳ ସଂଯୋଜନା କରିଥିଲେ ଗୁରୁ ସଚ୍ଚିଦାନନ୍ଦ ଦାସ। ଶିଳ୍ପୀମାନଙ୍କ ଦ୍ବାରା ପରିବେଷିତ ନୃତ୍ୟ କାର୍ଯ୍ୟକ୍ରମ ରବିନ୍ଦ୍ର ମଣ୍ଡପରେ ଉପସ୍ଥିତ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା।

ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ, ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ବିଭାଗ, ଓଡ଼ିଶା ଖଣି ନିଗମ (ଓ.ଏମ.ସି), ଏମ୍.ଜି.ଏମ ମିନିରାଲ୍ସ, ନାଲକୋ, ଅଜନ୍ତା ଏଡ଼ଭାଟାଇଜର, ସୂତ୍ର ଫାଉଣ୍ଡେସନ୍, ଦି ନ୍ୟୁ ମାରିଅନ୍ ଏବଂ ରୟାଲ୍ ମିଡ୍ଟାଉନ୍ ହୋଟେଲ୍‌ ଏହି ୧୯ତମ ଗୁରୁ ଦେବ ପ୍ରସାଦ ସମ୍ମାନ ପ୍ରଦାନ ଉତ୍ସବ ୨୦୨୫ର ପ୍ରୟୋଜକ ଓ ସମର୍ଥକ ଥିଲେ। କାର୍ଯ୍ୟକ୍ରମକୁ ସଂଚାଳନା କରିଥିଲେ ଅଧ୍ୟାପକ ପୁଣ୍ୟ ଦର୍ଶନ ସାହୁ।

 

Comments are closed.