Latest Odisha News

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ଭିତର ବେଢାରେ ପରିକ୍ରମା କରି ଆମେ ମୁକ୍ତିମଣ୍ଡପ ବାମ ପାର୍ଶ୍ଵରେ ଥିବା ଅନନ୍ତ ବାସୁଦେବଙ୍କ ମନ୍ଦିର ନିକଟରେ ପହଁଞ୍ଚି ଗଲେଣି। ଏହି ଅତ୍ୟନ୍ତ ପ୍ରାଚୀନ ମନ୍ଦିରଟି ନିର୍ମାଣ ଶୈଳୀ ଦୃଷ୍ଟିରୁ ଅନନ୍ୟ। କାରଣ ଏହି ମନ୍ଦିରର ମୁଖଶାଳାଟି ମୂଖ୍ୟ ମନ୍ଦିର ବା ବିମାନ ଠାରୁ ବଡ଼। ଏହି ଶୈଳୀର ନିର୍ମାଣ ଖୁବ ବିରଳ। ଇତିହାସ କହେ ମହାରାଜ ଅନନ୍ତ କେଶରୀଙ୍କ ପlଟ୍ଟଜେମା ଚନ୍ଦ୍ରିକା ପାଟ ମହାଦେଈଙ୍କ ଦ୍ୱାରା ଏହି ମନ୍ଦିର ପ୍ରତିଷ୍ଠିତ ହୋଇଛି। ଏହି ବିଚିତ୍ର ମନ୍ଦିର ଭିତରେ ଅନନ୍ତ ନାଗ ଉପରେ ଶୟନ କରିଥିବା କ୍ଷୁଦ୍ର ବିଷ୍ଣୁ ମୂର୍ତ୍ତି ପ୍ରତିଷ୍ଠା କରା ଯାଇଛି। ତେଣୁ ଏହି ମନ୍ଦିରର ନାମ ଅନନ୍ତ ବାସୁଦେବ ମନ୍ଦିର ହୋଇଛି। ଶ୍ରୀମନ୍ଦିର ସତ୍ୱଲିପିରେ ଏହି ମନ୍ଦିର ପ୍ଲଟ ନମ୍ବର ୮୫ରେ ଅବସ୍ଥିତ। ଏହାର ଦୈନିକ ନୀତି ସକାଶେ ଭୋଗ ପାଇଁ ପଇସିକିଆ କାକରା ଗୋଟିଏ, କୋରା ଦୁଇ ଗୋଟି ଓ ଖଇ ଓଳିଏ ମିଳେ।

ପ୍ରାଚୀନ କାଳରେ ମନ୍ଦିର ଆଲୋକିତ କରିବା ପାଇଁ ତେଲ ଦୁଇ ମାଣିକ ମିଳୁଥିଲା। ବର୍ତ୍ତମାନ ବିଜୁଳି ଆଲୁଅ ଜଳୁଥିବାରୁ, ଏହି ତେଲ ଆଉ ମିଳୁନି। ଏହା ବିଷ୍ଣୁଙ୍କ ମନ୍ଦିର ହୋଇଥିବାରୁ କେତେବେଳେ ପୂଜାପଣ୍ଡା ଓ କେତେବେଳେ ପୁରୋହିତ ଏହାଙ୍କ ପୂଜା ଅର୍ଚ୍ଚନା କରିଥାନ୍ତି। ଅନନ୍ତ ଜନ୍ମ ଦିନ ଏଠାରେ ବିଶେଷ ନୀତି ଅନୁଷ୍ଠିତ ହୁଏ। ବାମନ ଜନ୍ମରେ ମଧ୍ୟ ଦେଉଳ ପୁରୋହିତ ଏଠାରେ ହୋମ କରନ୍ତି। ଭାଦ୍ରବ ଶୁକ୍ଳ ଚତୁର୍ଦ୍ଦଶୀ (ଅନନ୍ତ ଚତୁର୍ଦ୍ଦଶୀ )ଦିନ ସନ୍ଧ୍ୟା ଧୂପ ପରେ ଅନନ୍ତ ବାସୁଦେବଙ୍କ ପାଶରେ ପର୍ବ ଯାତ୍ରା ଯୋଗାଣିଆ ଭୋଗ, ମହାସ୍ନାନ ଜିନିଷ ଯୋଗାଇ ଦେବେଚତୁର୍ଦ୍ଦଶୀ ତାପରେ ପୂଜାପଣ୍ଡା ଏଠାରେ ମହାସ୍ନାନ ବଢ଼ାଇ ଭୋଗ ଲଗlନ୍ତିଚତୁର୍ଦ୍ଦଶୀ ସେହିଦିନ ଭୋଗ ସରିବା ପରେ ଅନନ୍ତ ବ୍ରତ କଥା ପାଠହୁଏ ଓ ଶେଷରେ ବନ୍ଦାପନା ହୋଇ ବ୍ରତ ଶେଷ କରାଯାଏ। ଏହି ମନ୍ଦିର ପଶ୍ଚିମ ଦିଗରେ ଦିକପାଳ ବା ଦିଗପାଳ ମନ୍ଦିର ଅବସ୍ଥିତ। ଏହି ଦକ୍ଷିଣାଭିମୁଖୀ ମନ୍ଦିରରେ ଦିଗପାଳ ମାନେ ପୂଜିତ ହୁଅନ୍ତି । ଆସନ୍ତୁ ଏବେ ପ୍ରଭୂ ଅନନ୍ତ ବାସୁଦେବଙ୍କୁ ଆରାଧନା କରିବା।

“ଅନନ୍ତlୟ ନମସ୍ତେଅସ୍ତୁ ମହାହିଶୟନାୟ ଚ, ଭବବନ୍ଧ ବିମୋକ୍ଷାୟ ନମଃ ପୁରୁଷ ପୂର୍ବଜ । ” ଅର୍ଥାତ ହେ ପୁରୁଷୋତ୍ତମ!ତୁମର ଅନ୍ତ ନାହିଁ। ତୁମେ ମହା ନାଗରାଜ ବାସୁକୀ କ୍ରୋଡରେ ଶୟନ କରିଛ। ତୁମେ ଜନ୍ମ ବନ୍ଧନ ବିମୋଚନ କର୍ତ୍ତା। ତୁମେ ସମସ୍ତଙ୍କର ପୂର୍ବ ପୁରୁଷ!. ତୁମକୁ ଆମେ ପ୍ରଣିପାତ କରୁଛୁ।

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Comments are closed.