Latest Odisha News

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ମାଟିପାତ୍ର

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ବିଭିନ୍ନ ଭୋଗ ଓ ଧୂପ ବିଷୟରେ ଆଲୋଚନା ବେଳେ ଆମେ ଜାଣିଲେ ଶ୍ରୀଜୀଉମାନଙ୍କ ଦୈନନ୍ଦିନ ସେବା ପୂଜା ତଥା କୋଠ ଭୋଗ ପ୍ରସ୍ତୁତିରେ ବିଭିନ୍ନ ଧରଣର ମାଟି ପାତ୍ର ଆବଶ୍ୟକ ହୋଇଥାଏ।

ସେବା ପୂଜା ପାଇଁ ଦରକାର ହେଉଥିବା ମାଟି ପାତ୍ର ଗୁଡିକ ହେଲା  :-                                                                                                                                                                    ଜଳା କୁଡୁଆ-୪୦ଟି
ଅଙ୍ଗବାସ ଓଳି -୧୯୫ଟି, ତାଡ଼ -୬
ଟିପେଇ ହାଣ୍ଡି -୨୧ଟି, ପାହାନ୍ତି -୨ଟି
ଅଧା -୧ଟି, ସାନପୁଳି ସରା -୮୧ଟି,
ପୁଳି ସରା -୨୪ଟି, ପାଳି ସରା -୬୦
ବଢ଼ା ୬୦ଟି, କଟା ସରା -୧୪ଟି, ନିମାଳି -୨୪ଗୋଟି

ସେହିପରି ରନ୍ଧନ କାର୍ଯ୍ୟ ପାଇଁ ବ୍ୟବହୃତ ମାଟି ପାତ୍ରଗୁଡିକର ନାମ ହେଲା ବାଇହାଣ୍ଡି, ସମାଧି, ଦାସିଆ, ଏମାର ହାଣ୍ଡି, ବଡ଼ମଠ କୁଡୁଆ, ସାନମଠ କୁଡୁଆ, ନମ୍ବରି କୁଡୁଆ, ଜଳା କୁଡୁଆ, ଭାତ କୁଡୁଆ, ଅଙ୍ଗବାସ ଓଳି, ପଖାଳ ଓଳି ଚକ ଓଳି, ମୁଗ ଓଳି, ଇତ୍ୟାଦି। ଏହି ଆବଶ୍ୟକ ମାଟି ପାତ୍ରଗୁଡ଼ିକ ଶ୍ରୀମନ୍ଦିର ପ୍ରଶାସନ କୁମ୍ଭକାର ସେବକମାନଙ୍କ ଠାରୁ କ୍ରୟ କରି ଯୋଗାଇଥାନ୍ତି। କିନ୍ତୁ ବିକ୍ରୟ ଓ ବରାଦି ଭୋଗ ପ୍ରସ୍ତୁତିରେ ବ୍ୟବହୃତ ପାତ୍ରଗୁଡ଼ିକୁ ସୁପକାରମାନେ ନିଜ ଖର୍ଚ୍ଚରେ କିଣି ବ୍ୟବହାର କରିଥାନ୍ତି।

ଏବେ ଆସନ୍ତୁ ଜାଣିବା ଗୋପାଳ ବଲ୍ଳଭ ଭୋଗ ପାଇଁ ପ୍ରସ୍ତୁତ ଭୋଗ ସାମଗ୍ରୀ।
୧. ସାନ ନଡ଼ିଆ କୋରା -୨୨୮ଟି
୨. ବଡ଼ ନଡ଼ିଆ କୋରା -୨୯ଗୋଟି
୩. ପାଗ ଖଇ -୪୪ଓଳି
୪. ପାଚିଲା କଦଳୀ -୩ସରା (୭ଟି )
୫. ପାତି ବା ଖୁଦି ନଡ଼ିଆ -୩ସରା
୬. ଦହି -୪ବଢ଼ା (୪୦୦ଗ୍ରାମ )

ଉପରୋକ୍ତ ଭୋଗ ପଦାର୍ଥଗୁଡ଼ିକୁ ପାଳିଆ ପୂଜାପଣ୍ଡା ସେବକମାନେ ବଲ୍ଳଭ ପିଣ୍ଡି ବା ଅଣସର ପିଣ୍ଡିଠାରେ ପଞ୍ଚ ଉପଚାରରେ ଭୋଗ ପୂଜା ସମ୍ପନ୍ନ କରିଥାନ୍ତି। ଏହା ପ୍ରଭୁଙ୍କର ଜଳଖିଆ ଭାବରେ ପରିଗଣିତ ହୋଇ ଥାଏ। ଏହାପରେ ତିନି ଧୂପରେ ରନ୍ଧା ଭୋଗ ଅର୍ପଣ କାରାଯାଏ। ଯଥା: – ସକାଳ ଧୂପ, ମଧ୍ୟାହ୍ନ ଧୂପ ଓ ସନ୍ଧ୍ୟା ଧୂପ। ଏହି ତିନୋଟିଯାକ ଧୂପ ପୂଜାପଣ୍ଡା ସେବକମାନେ ଷୋଡଶୋପଚାର ବିଧିରେ ସମ୍ପନ୍ନ କରିଥାନ୍ତି। କିନ୍ତୁ ଦୈନିକ ଅର୍ପିତ ରାଜଭୋଗର ଶେଷ ଧୂପ ବଡସିଂହାର ଧୂପ ପୁଣି ପଞ୍ଚଉପଚାର ବିଧିରେ ସମ୍ପନ୍ନ ହୋଇଥାଏ ।
ଏହି ଭୋଗରେ ମିଠା ପଖାଳ ସହ ବିଭିନ୍ନ ପିଠା, ଖିରି ଓ କାଞ୍ଜି ପ୍ରଭୃତି ସାମିଲ ହୋଇଥାଏ। ଆଗାମୀ ଅଧ୍ୟାୟରେ ଜାଣିବା ଛପନ ଭୋଗ କଣ। କାରଣ ଆମେ ଶ୍ରୀଜଗନ୍ନାଥଙ୍କୁ ଶ୍ରଦ୍ଧାରେ ଛପନ ଭୋଗୀ ବୋଲି କହିଥାଉ।ବର୍ତ୍ତମାନ କରିବା ଆରାଧନା ଓ ଭାଗବତ ପଠନ ସବୁଦିନ ପରି।

କ୍ଷଣେ ଆୟୁଷ ଭାରତରେ
ମନ ଯାର କୃଷ୍ଣଠାରେ ।
ସେ ପ୍ରାଣୀ ସର୍ବ ଶ୍ରେଷ୍ଠ ହୋଇ
ତାହାର ସମ କେହି ନାହିଁ ।

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Comments are closed.