କୈଳାସ ଚନ୍ଦ୍ର ସାହାଣୀ
ଚେର ହିଁ ବୃକ୍ଷର ମୂଳ ଅସ୍ତିତ୍ବ
ଯାହା ସବୁରି ଅଲକ୍ଷରେ ମାଟି ତଳେ ଥାଏ ;
ନିଜ ପାରିଲା ପଣିଆରେ ସେ ଶୋଷିନିଏ
ଜଳ ସହ ମାଟିର ବଳ ,
ବୃକ୍ଷ ପଲ୍ଲବିତ ହୁଏ
ଚିତ୍ରିତ ଶାଖା ମେଲେ
ଫୁଲ ଫଳରେ ଜନମନ ହରେ ,
କିନ୍ତୁ ଚେର ଥାଏ ମାଟିର ଅଭ୍ୟନ୍ତରେ
ଗୋଟେ ଅନାଲୋଚିତ ଚୁକ୍ତି ପରି !
ଚେରକୁ କିଏ ସଜାଏ ବହୁ ରୂପରେ
ପ୍ରଧାନ ଚେର ଆଉ ଶାଖା ଚେର ,
ମନେହୁଏ ଏ ଚେର ଭିତରେ ବି
କେହିଜଣେ ମୂରବୀ ଅଛି ,
ସେ ମାଟି ଚିରି କେଉଁ ଗଭୀରକୁ ଯାଉଚି
ଛାଣି ଆଣୁଚି ଗଛ ପାଇଁ ଖାଦ୍ୟସାର
ଏ ଯେମିତି ଗୋଟେ ଗୃହସ୍ଥର ପାରିବା ପଣିଆ
ଇଏ ବି ଗୋଟେ ସଂସାର
ସବୁଜ ପତ୍ରଟିଏ ମାଆ ପରି ପାଚିକା ସାଜୁଛି
ଶାଖା ମାନେ ସନ୍ତାନର ଭୂମିକାରେ ଅବତୀର୍ଣ୍ଣ !
କେହି କେବେ ଦେଖିନାହିଁ
ଚେରର ସେ ନିରବଚ୍ଛିନ୍ନ କୁଚ୍ଛ୍ର ସାଧନା ,
ନିରବଧି ପଦଯାତ୍ରା ….
ବୀଜଟିଏ ଯେଉଁ ଦିନ ଭୂମି ସ୍ପର୍ଶ କରେ
ସେଇ ଦିନଠୁ ପଞ୍ଚଭୂତ ସବାର ହୁଏ ,
ବୀଜ ଭ୍ରୁଣରେ ରୂପାନ୍ତରିତ ହେଲାବେଳେ
ସ୍ବତଃ ଚେରର ଆତ୍ମ ପ୍ରକାଶ ଘଟେ,
ମାଟି ଫାଟେ ,ପାଷାଣ ଫାଟେ
ଫାଟିଯାଏ କଙ୍କରିଳ ପାହାଡ ମଥାନ
ଆଉ ଜରାଜୀର୍ଣ୍ଣ ସୌଧର ଚନ୍ଦ୍ରଶାଳା ପୁର !
ଚେର କେବେ ପାଦ ଛନ୍ଦେ
ବାହୁ ପ୍ରସାରେ,
ବଟ ବୃକ୍ଷରେ ପାଲଟିଯାଏ ଚପଳ ଶିଶୁଙ୍କର ଦୋଳି
ଶିଅ ପରି ଲମ୍ବୁଥାଏ ଶାଖା ଚେର-
ମାଟିକୁ ଧରି ରଖିବାର ଯାବତ ଯତ୍ନ ଆଉ ପ୍ରଚେଷ୍ଟାରେ !
ଯେଉଁ ଚେର ଯେତେ ଗଭୀରକୁ ଯାଏ
ସେ ଗଛ ସେତେ ବାଆ ପାଣି ଖାଇ ଫୁଲେ
ଝଡ ବତାସକୁ ନଥାଏ ଖାତିର ,
ଚେର କଟିଗଲେ ମରିଯାଏ ଗଛ
ଉଡିଯାଏ ପକ୍ଷୀ
ଝଡିପଡେ ପତ୍ର ଆଉ ଫୁଲ
ହଜିଯାଏ ଗୋଟେ ସବୁଜ ବନସ୍ପତିର ମାୟା !
ଏବେ କିଏ ଖୋଳି ନେଉଛି ମାଟି
ଚେରର ଚୌହଦୀରୁ,
କିଏ କାଟି ଦେଉଛି ଭିତରେ ଭିତରେ
ଧଳା ଉଈ ହୋଇ ,
କିଏ ଶୁଖାଇ ଦେଉଛି ଚାରିଆଡୁ ଜଳସ୍ତର
ନଦୀ,ନାଳ ,ପୋଖରୀ ,ଗାଡିଆରୁ ଉଭାନ ପାଣି,
ଚେରଟିଏ କେବେ ସମୁଦ୍ରର ଢେଉ ସହୁଚି
ଜୁଆର ଭଟ୍ଟାର ତାଣ୍ଡବ ଦେଖୁଛି ;
ଚେର ଚିରଦିନ କେବଳ ଗଛର ଜୀବନ ହୋଇ
ଯୁଝି ଚାଲିଛି !!
ଅଧ୍ୟାପକ ,ବାପୁଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ,
ଗଡପଳାଶୁଣୀ, ଢେଙ୍କାନାଳ।
ମୋ-୯୪୩୭୮୪୩୨୧୯
Comments are closed.