Latest Odisha News

BREAKING NEWS

ପଥର ଖଣିରେ ବିସ୍ଫୋରଣ ଘଟଣା, ୨ ମୃତଦେହ ଉଦ୍ଧାର

ଢେଙ୍କାନାଳ: ଢେଙ୍କାନାଳରେ ଏକ ବେଆଇନ ପଥର ଖଣିରେ ବିସ୍ଫୋରଣ ଯୋଗୁଁ ପଥର ଧସି ପଡ଼ିଥିଲା। ଯାହା ଫଳରେ ପ୍ରାୟ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି।

ଏନେଇ ଅଧିକାରୀମାନେ କହିଛନ୍ତି ଯେ ଶନିବାର ରାତିରେ ମୋଟଙ୍ଗା ଥାନା ଅଧୀନସ୍ଥ ଗୋପାଳପୁର ଗ୍ରାମ ନିକଟରେ ଥିବା ପଥର ଖଣିରୁ ପଥର ଖନନରେ କିଛି ଶ୍ରମିକ ନିୟୋଜିତ ଥିବା ସମୟରେ ଏହି ଅଘଟଣ ଘଟିଥିଲା। ତେବେ ଘଟଣାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

ସ୍ଥାନୀୟ ଅଗ୍ନିଶମ ବାହିନୀ, ଓଡ଼ିଶା ବିପର୍ଯ୍ୟୟ ରାପିଡ୍ ଆକ୍ସନ୍ ଫୋର୍ସ (ଓଡ୍ରାଫ) ଟିମ୍, ଡଗ ସ୍କ୍ବାଡ୍ ମଧ୍ୟ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିବା ନେଇ ଜଣେ ଅଧିକାରୀ ପ୍ରକାଶ କରିଛନ୍ତି। ସେପଟେ ଢେଙ୍କାନାଳ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ଏବଂ ଏସପି ଅଭିନବ ସୋନକର ଉଦ୍ଧାର କାର୍ଯ୍ୟ ତଦାରଖ କରିବା ପାଇଁ ଘଟଣାସ୍ଥଳରେ ପହଞ୍ଚିଛନ୍ତି।

ସୂଚନା ଅନୁଯାୟୀ, ଘଟଣାସ୍ଥଳରୁ ଦୁଇଟି ମୃତଦେହ ଉଦ୍ଧାର କରାଯାଇଛି। ଜଣେ ବ୍ୟକ୍ତି ବାଲେଶ୍ବର ଜିଲ୍ଲାର ଏବଂ ଅନ୍ୟ ଜଣେ ମୃତକ କେଉଁ ଜିଲ୍ଲାର ତାହା ସଠିକ୍ ଜଣାପଡ଼ିନାହିଁ। ସେପଟେ ପଥର ଖଣିରେ ବ୍ଲାଷ୍ଟିଂ ଅନୁମତି ସେପ୍ଟେମ୍ବରରେ ଶେଷ ହୋଇଥିଲା ବେଳେ ଏହାର ଲିଜ୍ ଅବଧି ଡିସେମ୍ବର ୨୦୨୫ରେ ଶେଷ ହୋଇଥିଲା। “ଲିଜ୍ ଅବଧି ଶେଷ ହେବା ପରେ ଖଣିରେ ବ୍ଲାଷ୍ଟିଂ ଏବଂ ଖନନ କାର୍ଯ୍ୟ ଜାରି ରହିଥିବାରୁ ଆମେ ଖଣି ଲିଜ୍ ଧାରୀଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ ବୋଲି ଜିଲ୍ଲାପାଳ କହିଛନ୍ତି। ତେବେ ଘଟଣା ପରେ ପଥର ଖଣିକୁ ସିଲ୍ କରାଯାଇଛି। ସ୍ଥାନୀୟ ତହସିଲଦାର ମନୋଜ ମାଝୀ କହିଛନ୍ତି ଯେ ଖଣିରେ ପୋଲିସ କର୍ମଚାରୀ ନିୟୋଜିତ କରାଯିବ ଯାହା ଦ୍ୱାରା କେହି ଉକ୍ତ ଅଞ୍ଚଳକୁ ପ୍ରବେଶ କରିପାରିବେ ନାହିଁ।

 

Comments are closed.