ପୁରୀ: ପୁରୀରେ ବୁଲିଲା ଖଣ୍ଡା। ସାମାନ୍ୟ କଥାକୁ କେନ୍ଦ୍ରକରି ଦୁଇଜଣ ଯୁବକଙ୍କୁ ଖଣ୍ଡାରେ ହାଣି ଆତଙ୍କ ସୃଷ୍ଟି କଲେ ଦୁର୍ବୁତ୍ତ। ପୁରୀ ମାଟିଆପଡା ଛକରେ ଘଟିଛି ଏଭଳି ଘଟଣା। ଦୁର୍ବୁତ୍ତଙ୍କ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛି।
ଆକ୍ରମଣର ଶିକାର ହୋଇଥିବା ଦୁଇ ଯୁବକ ହେଉଛନ୍ତି ରାକେଶ କୁମାର ବାରିକ ଏବଂ ରଣଜିତ ଗୋଛାୟତ। ଗୁରୁତର ଅବସ୍ଥାରେ ଉଭୟଙ୍କୁ ପୁରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ଦୁର୍ବୁତ୍ତଙ୍କ ଆକ୍ରମଣରେ ରାକେଶର ମୁଣ୍ଡ ଓ ହାତରେ ଗଭୀର ଆଘାତ ଲାଗିଛି। ରାକେଶର ଅବସ୍ଥା ଗୁରୁତର ହେବାରୁ ତାକୁ କଟକ ସ୍ଥାନାନ୍ତର କରାଯାଇଛି।
ସେହିପରି ରଣଜିତର ପିଠି ଓ କାନ୍ଧରେ ଆଘାତ ଲାଗିଥିବା ବେଳେ ତାକୁ ପୁରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଖବର ପାଇ କୁମ୍ଭାରପଡ଼ା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ସୂଚନା ଅନୁଯାୟୀ, ରାକେଶ ଓ ରଣଜିତ ସନ୍ଧ୍ୟା ସମୟରେ ମାଟିଆପଡା ଛକ ନିକଟ ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀ ଠାରେ ବସିଥିଲେ। ଷ୍ଟେସନ ବଜାର ନିକଟ ବାଲି ଉପର ବସ୍ତିର ଯୁବକଙ୍କ ସହ ଉଭୟଙ୍କ ମଧ୍ୟରେ କୌଣସି କାରଣକୁ ନେଇ ପ୍ରଥମେ କଥା କଟାକଟି ପରେ ମରଣାନ୍ତକ ଆକ୍ରମଣ ଘଟିଥିବା ଅଭିଯୋଗ ହୋଇଛି। ଘଟଣାକୁ ନେଇ ତଦନ୍ତ ଜାରି ରଖିଛି ପୁରୀ କୁମ୍ଭାରପଡ଼ା ଥାନା ପୋଲିସ୍।