Latest Odisha News

ବ୍ରହ୍ମପୁରରେ ବଜ୍ରପାତ ନେଲା ୨ ଜଣଙ୍କ ଜୀବନ, ୪ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ମଙ୍ଗଳବାର ପୃଥକ ପୃଥକ ସ୍ଥାନରେ ବଜ୍ରପାତ ଘଟି ଜଣେ ମହିଳାଙ୍କ ସମେତ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି।

ସୂଚନା ଅନୁଯାୟୀ, ଜିଲ୍ଲାର ସାନଖେମୁଣ୍ଡି ବ୍ଲକ୍ ଅନ୍ତର୍ଗତ ବରମୁଣ୍ଡଳୀ ଗ୍ରାମର ବିଷ୍ଣୁପ୍ରିୟା ପଣ୍ଡା ବର୍ଷା ଓ ବଜ୍ରପାତର ପୂର୍ବାନୁମାନ ସତ୍ତ୍ୱେ ଅପରାହ୍ନରେ ଚାଷ ଜମିରେ କାମ କରିବାକୁ ଯାଇଥିଲେ। ସେ ଖୋଲା ଆକାଶ ତଳେ କାମ କରୁଥିବା ବେଳେ ବଜ୍ରପାତ ହେବାରୁ ସେ ଅଚେତ ହୋଇ ତଳେ ପଡ଼ିଯାଇଥିଲେ। ଗ୍ରାମବାସୀ ବିଷ୍ଣୁପ୍ରିୟାଙ୍କୁ ଉଦ୍ଧାର କରି ଦିଗପହଣ୍ଡି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

ଦ୍ୱିତୀୟ ଘଟଣାରେ ନରସିଂହପୁରର ଭାଲୁ ମହାକୁଡ ସମାନ ଢଙ୍ଗରେ ବଜ୍ରପାତର ଶିକାର ହୋଇଥିଲେ। ଏହାସହ ଦିଗପହଣ୍ଡି ମେଡିକାଲକୁ ମଧ୍ୟ ନିଆଯାଇଥିଲା। କିନ୍ତୁ ଡାକ୍ତରଖାନାର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ତୃତୀୟ ଘଟଣା ଘଟିଛି ଗୋବିନ୍ଦପୁରରେ। ଏଠାରେ ମଧ୍ୟ କିଛି ମହିଳା ଶ୍ରମିକ ଧାନ ବିଲରେ କାମ କରୁଥିବା ବେଳେ ବଜ୍ରପାତ ହୋଇଥିଲା। ସେମାନଙ୍କ ମଧ୍ୟରୁ ଚାରି ଜଣଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି।

Comments are closed.