ବାଲେଶ୍ୱର: ଓଡ଼ିଶା ଷ୍ଚାଫ ସିଲେକ୍ସନ କମିଶନ ଜେଇ (ସିଭିଲ) ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲାରେ ଆଉ ଦୁଇ ଜଣଙ୍କୁ ଗିରଫ କରିଛି ବାଲେଶ୍ବର ପୁଲିସ। ଏହା ସହିତ ପୁଲିସ ପ୍ରଶ୍ନପତ୍ର ଲିକ୍ ଘଟଣାର ମାଷ୍ଟରମାଇଣ୍ଡ ସମେତ ମୋଟ ୨୭ ଜଣଙ୍କୁ ଗିରଫ ହୋଇଛନ୍ତି।
ସୋମବାର ଗିରଫ ହୋଇଥିବା ଦୁଇ ଜଣ ଏହି ରାକେଟର ମଧ୍ୟସ୍ଥି ବୋଲି ଜଣାପଡ଼ିଛି। ସେମାନେ ହେଲେ ପୁରୀର ବାସୁଦେବ ପ୍ରଧାନ ଓ ପଶ୍ଚିମବଙ୍ଗର ପାର୍ଥ ସେନଗୁପ୍ତା। ଏହି ଆନ୍ତଃରାଜ୍ୟ ରାକେଟର ତଦନ୍ତ ଜାରି ରହିଥିବା ବେଳେ ଆହୁରି ଅନେକ ଗିରଫଦାରି ହେବାର ସମ୍ଭାବନା ରହିଛି।
ପୁଲିସ ସୂତ୍ରରୁ ପ୍ରକାଶ ଯେ ପାର୍ଥ ଜଣେ ଶ୍ରମିକ ଠିକାଦାର ଥିଲେ ଏବଂ ଏକ ପ୍ରିଣ୍ଟିଂ ପ୍ରେସକୁ ଶ୍ରମିକ ଯୋଗାଉଥିଲେ। ପ୍ରେସରେ ପ୍ରଶ୍ନପତ୍ର ଛପାଯିବା ପରେ ସେ ସେହି ସ୍ଥାନରେ କାମ କରୁଥିବା ଅନ୍ୟ ଜଣେ ବ୍ୟକ୍ତିଙ୍କୁ ସପ୍ଲାଏ କରିଥିଲେ। ପରେ ପ୍ରଶ୍ନପତ୍ରକୁ ଅନ୍ୟମାନଙ୍କୁ ହସ୍ତାନ୍ତର କରାଯାଇଥିଲା।
ସୂଚନାଯୋଗ୍ୟ ଯେ ପ୍ରଶ୍ନପତ୍ର ଲିକ୍ ମାମଲାରେ ସମ୍ପୃକ୍ତ ଥିବା ପ୍ରାୟ ୫୫ ଜଣ ପରୀକ୍ଷାର୍ଥୀଙ୍କୁ ଓଏସଏସସି କାରଣ ଦର୍ଶାଅ ନୋଟିସ୍ ଜାରି କରିସାରିଛି। ବାଲେଶ୍ୱର ପୁଲିସ ପ୍ରଥମେ ପଶ୍ଚିମବଙ୍ଗର ଦୀଘା ଅଞ୍ଚଳରୁ ଓଡ଼ିଶା, ଆନ୍ଧ୍ରପ୍ରଦେଶ ଓ ବିହାରର ୯ ଜଣଙ୍କୁ ଗିରଫ କରିଥିଲା ଏବଂ ପରବର୍ତ୍ତୀ ସମୟରେ ଏହି ରାକେଟ୍ ମାମଲାରେ ଅନ୍ୟ ୮ ଜଣଙ୍କୁ ଜୁଲାଇ ୨୭ରେ ହେପାଜତକୁ ନେଇଥିଲା।
ପ୍ରଶ୍ନପତ୍ର ଲିକ୍ ହୋଇଥିବା ନେଇ ବାଲେଶ୍ୱର ଏସପି ନିଶ୍ଚିତ ହେବା ପରେ ଓଏସ୍ଏସସି ପକ୍ଷରୁ ୨୦୨୩ ଜୁଲାଇ ୧୬ରେ ଜେଇ (ସିଭିଲ) ପାଇଁ ହୋଇଥିବା ମେନ୍ ଲିଖିତ ପରୀକ୍ଷାକୁ ବାତିଲ କରାଯାଇଥିଲା। ସେହିପରି ଚଳିତ ବର୍ଷ ସେପ୍ଟେମ୍ବର ୩ରେ ହେବାକୁ ଥିବା ଏହି ପରୀକ୍ଷାକୁ ମଧ୍ୟ କମିସନ ପୁଣି ଘୁଞ୍ଚାଇ ଦେଇଛନ୍ତି।
ଏହି ଘଟଣାରେ ଉତ୍ୟକ୍ତ ହୋଇ ବହୁ ପରୀକ୍ଷାର୍ଥୀ ଓଏସଏସସି ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଏହି ଦୁର୍ନୀତିରେ ସମ୍ପୃକ୍ତ ଥିବା କର୍ମଚାରୀ ଓ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ୮୮ ଜଣ ପରୀକ୍ଷାର୍ଥୀଙ୍କ ଠାରୁ ମୋଟା ଅଙ୍କର ଟଙ୍କା ବଦଳରେ ଅଭିଯୁକ୍ତ ପ୍ରଶ୍ନପତ୍ର ଲିକ୍ କରିଥିବା ଅଭିଯୋଗ ହୋଇଛି।
ପୂର୍ବରୁ ବାଲେଶ୍ୱର ଏସପି ସାଗରିକା ନାଥ କହିଥିଲେ, ରାଜ୍ୟ ବାହାରେ ଥିବା ପ୍ରିଣ୍ଟିଂ ପ୍ରେସ୍ରୁ ପ୍ରଶ୍ନପତ୍ର ଲିକ୍ ହୋଇଥିଲା। ପ୍ରେସ୍ ହେଲ୍ପର ମାଷ୍ଟରମାଇଣ୍ଡକୁ ପ୍ରଶ୍ନପତ୍ର ଯୋଗାଇଥିଲା, ଯିଏ ବିହାର ସରକାରୀ କର୍ମଚାରୀ ଏବଂ ସେଠାରେ ଆକାଉଣ୍ଟାଣ୍ଟ ଜେନେରାଲଙ୍କ କାର୍ଯ୍ୟାଳୟରେ ଡିଭିଜନାଲ ଆକାଉଣ୍ଟାଣ୍ଟ ଭାବେ କାମ କରୁଛି।
Comments are closed.