Latest Odisha News

ପାଭେଲ ଓ ବିଦାନୋଭ ମୃତ୍ୟୁ ଘଟଣା, ରାୟଗଡାରେ କ୍ରାଇମବ୍ରାଞ୍ଚର ଦ୍ବିତୀୟ ଟିମ୍

ରାୟଗଡା: ଦୁଇ ଋଷିଆ ପର୍ଯ୍ୟଟକ ମୃତ୍ୟୁ ବରଣ କରିଥିବା ହୋଟେଲରେ ପହଞ୍ଚିଛନ୍ତି କ୍ରାଇମବ୍ରାଞ୍ଚର ଦ୍ୱିତୀୟ ଟିମ୍। ହୋଟେଲ ସାଇ ଇଣ୍ଟରନେସନାଲରେ କ୍ରାଇମବ୍ରାଞ୍ଚ ଡିଏସପି ତପନ ଦାସଙ୍କ ନେତୃତ୍ବରେ ଏକ ୩ ଜଣିଆ ଟିମ ରାୟଗଡାରେ ପହଞ୍ଚି ରାୟଗଡା ଟାଉନ ଥାନାକୁ ଯାଇ କେଶ ଡାଇରୀ ଯାଞ୍ଚ କରିଛନ୍ତି। ଏଥିସହ ଘଟଣା ବାବଦରେ ଥାନା ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଏହି ମାମଲାରେ ମୋଟ୍ ୨ଟି ଟିମ୍ ଗଠନ ହୋଇଛି।

କ୍ରାଇମବ୍ରାଞ୍ଚର ପ୍ରଥମ ଟିମ୍ ନିକଟରେ ଏହି ହୋଟେଲକୁ ଆସିଥିଲା। ଏହି ସମୟରେ ହୋଟେଲ ଭିତରେ ପଶି ଯାଞ୍ଚ କରିବା ସହିତ ଶବ ବ୍ୟବଚ୍ଛେଦ ରିପୋର୍ଟ, ଘଟଣାସ୍ଥଳରୁ ନମୁନା ଓ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ରେକର୍ଡ କରିଥିଲା। ଏବେ ଦ୍ଵିତୀୟ ଟିମ ପ୍ରଥମ ଟିମ୍ ଯେଉଁସବୁ ଦିଗ ଉପରେ ତଦନ୍ତ କରିଛି ତାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବ।

ରାୟଗଡାରେ ଋଷୀୟ ପର୍ଯ୍ୟଟକ ମୃତ୍ୟୁ ବରଣ କରିବା ଏକ ଜାତୀୟ ପ୍ରସଙ୍ଗ ପାଲଟି ଯାଇଛି। ଏପରି ସ୍ଥିତିରେ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ମୃତ୍ୟୁ ପଛର ରହସ୍ୟ ଖୋଜିବା କ୍ରାଇମବ୍ରାଞ୍ଚ ପାଇଁ ବଡ଼ ଚ୍ୟାଲେଞ୍ଜ। ତେଣୁ ଏବେ କ୍ରାଇମବ୍ରାଞ୍ଚର ଦ୍ବିତୀୟ ଟିମ୍ କେଉଁ ସବୁ ଦିଗ ଉପରେ ତଦନ୍ତ କରୁଛି ତାକୁ ଅପେକ୍ଷା।

ଗତ ୨୧ ତାରିଖରେ ଦୁଇ ଋଷୀୟ ପର୍ଯ୍ୟଟକ ଭ୍ଲାଦିମିର୍ ବିଦାନୋଭ, ପାଭେଲ ଆଣ୍ଟୋଭ ଅନ୍ୟ ଦୁଇ ଜଣ ଦମ୍ପତି ରାୟଗଡ଼ାରେ ପହଞ୍ଚିଥିଲେ। ଏମାନଙ୍କୁ ଟୁରିଷ୍ଟ ଗାଇଡ଼ ଜିତେନ୍ଦ୍ର ସିଂ ଓ  ଡ୍ରାଇଭର ନଟବର ମହାନ୍ତି ହୋଟେଲ ସାଇ ଇଣ୍ଟର ନ୍ୟାସନାଲରେ ଆଣି ରଖିଥିଲେ। ୨୨ ତାରିଖରେ ବିଦାନୋଭଙ୍କ ମୃତ୍ୟୁ ହୋଇଥିବା ବେଳେ ୨୪ ତାରିଖରେ ପାଭେଲଙ୍କ ମୃତ୍ୟୁ ହୋଇଥିଲା। ପାଭେଲ ଋଷ ରାଷ୍ଟ୍ରପତିଙ୍କ ସମାଲୋଚକ। ୟୁକ୍ରେନ ଯୁଦ୍ଧକୁ ପାଭେଲ ସମାଲୋଚନା କରିିଥିଲେ। ନିକଟରେ ପୁଟିନଙ୍କ ସାମଲୋଚକଙ୍କ ରହସ୍ୟଜନକ ଭାବେ ମୃତ୍ୟୁ ହେଉଥିବାର ନଜିର  ରହିଛି । ଏପରି ସ୍ଥିତିରେ ପାଭେଲଙ୍କ ମୃତ୍ୟୁ ସନ୍ଦେହକୁ ବଢାଇ ଦେଇଛି। ଏହି ମାମଲାରେ କ୍ରାଇମବ୍ରାଞ୍ଚ ୫ ଦିନ ହେବ ତଦନ୍ତ କରୁଛି।

 

Leave A Reply

Your email address will not be published.