ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ମଣିପୁର ଗସ୍ତ କରିବେ। ସେ ଚୁରାଚାନ୍ଦପୁର ଏବଂ ଇମ୍ଫାଲରେ ବିସ୍ଥାପିତ ଲୋକଙ୍କ ସହିତ ଆଲୋଚନା କରିବେ।
ରାଜ୍ୟରେ ହୋଇଥିବା ଜାତିଗତ ହିଂସାର ୨ ବର୍ଷ ପରେ ଏହା ମୋଦିଙ୍କର ପ୍ରଥମ ମଣିପୁର ଗସ୍ତ ହେବ। ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦି ୮,୫୦୦ କୋଟି ଟଙ୍କାର ୩୧ଟି ବିକାଶ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ ମଧ୍ୟ କରିବେ। ମୁଖ୍ୟ ଶାସନ ସଚିବ ପୁନିତ କୁମାର ଗୋୟଲ ପ୍ରଧାନମନ୍ତ୍ରୀଙ୍କ ମଣିପୁର ଗସ୍ତକୁ ଆନୁଷ୍ଠାନିକ ଭାବରେ ସ୍ପଷ୍ଟ କରିଛନ୍ତି। କୁକି ଏବଂ ମୈତେଇ ସମ୍ପ୍ରଦାୟ ମଧ୍ୟରେ ଜାତିଗତ ସଂଘର୍ଷ ପରେ ବିରୋଧୀ ଦଳଗୁଡ଼ିକ ପ୍ରଧାନମନ୍ତ୍ରୀଙ୍କୁ ବାରମ୍ବାର ସମାଲୋଚନା କରୁଥିଲେ।
ମେ ୨୦୨୩ ପରଠାରୁ ଏହି ଜାତିଗତ ସଂଘର୍ଷରେ ୨୬୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି ଏବଂ ହଜାର ହଜାର ଲୋକ ବାସହୀନ ହୋଇଛନ୍ତି।
ପ୍ରଧାନମନ୍ତ୍ରୀ ସେପ୍ଟେମ୍ବର ୧୩ରେ ଆଇଜଲରୁ ମଣିପୁରରେ ପହଞ୍ଚିବେ। ଏନେଇ ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ ମୋଦି ଚୁରାଚାନ୍ଦପୁର ଏବଂ ଇମ୍ଫାଲରେ ଆଭ୍ୟନ୍ତରୀଣ ବିସ୍ଥାପିତ ଲୋକଙ୍କ ସହିତ ଆଲୋଚନା କରିବେ ଏବଂ ଦୁଇଟି ରାଲିକୁ ସମ୍ବୋଧିତ କରିବେ। ସେହିପରି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦ୍ୱାରା ଜାରି ଏକ ବିଜ୍ଞପ୍ତିରେ କୁହାଯାଇଛି, “ମଣିପୁରର ସ୍ଥାୟୀ ଏବଂ ସାମଗ୍ରିକ ବିକାଶ ପ୍ରତି ତାଙ୍କର ପ୍ରତିବଦ୍ଧତାର ଅଂଶ ସ୍ୱରୂପ, ପ୍ରଧାନମନ୍ତ୍ରୀ ଚୁରାଚାନ୍ଦପୁରରେ ୭୩୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଅନେକ ବିକାଶ ପ୍ରକଳ୍ପର ଶିଳାନ୍ୟାସ କରିବେ।”
ସେହିପରି ମୋଦୀ ଇମ୍ଫାଲରେ ୧୨୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିକାଶ ପ୍ରକଳ୍ପର ଉଦଘାଟନ ମଧ୍ୟ କରିବେ।
Comments are closed.