Latest Odisha News

BREAKING NEWS

ବନ୍ୟା ପାଣି ଛାଡ଼ିବା ପରେ ଭୁଶୁଡ଼ିଲା ୨ ଶହ ମିଟର ନଦୀ ବନ୍ଧ

ପୁରୀ: ଲଗାଣ ବର୍ଷା ପରେ ଆସିଥିବା ବନ୍ୟା ଛାଡ଼ି ଯାଇଛି । ନଦୀର ଜଳସ୍ତର ହ୍ରାସ ପାଇବା ସହ ସ୍ଥାନେ ସ୍ଥାନେ ଶୁଖି ବାଲି ଦେଖା ଗଲାଣି । ବନ୍ୟା ପାଣି ଛାଡ଼ିବା ପରେ ଭାର୍ଗବୀ ନଦୀର ଶାଖା ନଦୀ ନୂଆନଈରେ ନଦୀ ବନ୍ଧ ଭୁଶୁଡ଼ି ପଡ଼ିଛି । ଜମାରସୁଆଁ ଗାଁ ନିକଟରେ ନୂଆନଈ ବାମପାର୍ଶ୍ଵ ବନ୍ଧର ୨ଶହ ମିଟର ଲମ୍ବ ନଦୀବନ୍ଧ ନଦୀ ମଧ୍ୟକୁ ଭୁଶୁଡ଼ି ପଡ଼ିଥିବା ଜଣା ପଡ଼ିଛି । ସୌଭାଗ୍ୟକୁ ବନ୍ୟା ଜଳ ଛାଡ଼ିଯିବା ପରେ ଏହି ଅଘଟଣ ଘଟିଛି । ବନ୍ୟା ପାଣିର ସୁଅ ଥିଲେ ବ୍ୟାପକ ଧନ ଜୀବନ କ୍ଷୟକ୍ଷତି ହୋଇଥାନ୍ତା ବୋଲି କହିଛନ୍ତି ସ୍ଥାନୀୟ ଲୋକ ।

ଗତ କିଛି ବର୍ଷ ହେବ ନଦୀ ବନ୍ଧର ସଠିକ୍ ମରାମତି କରାଯାଉ ନଥିବାରୁ ନଦୀ ବନ୍ଧ ଭୁଶୁଡ଼ି ପଡ଼ିଥିବା ଲୋକେ କହିଛନ୍ତି । ପ୍ରତି ବର୍ଷ ଜଳ ସମ୍ପଦ ବିଭାଗ କେବଳ ବାଲି ମୋରମ ପକାଇ ନଦୀବନ୍ଧ ମରାମତି କରୁଛି । କିନ୍ତୁ ସ୍ଥାୟୀ ପ୍ରତିକାର ପାଇଁ କୌଣସି ଠୋସ୍ ପଦକ୍ଷେପ ନେଉ ନାହିଁ । ମରାମତି ନାଁରେ ଅର୍ଥ ବାଟ ମାରଣା କରାଯାଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଏନେଇ ଜଳସମ୍ପଦ ବିଭାଗର ଅଧିକାରୀଙ୍କ ପ୍ରତିକ୍ରିୟା ମିଳି ପାରି ନାହିଁ ।

ତେବେ ପ୍ରତିବର୍ଷ ଏହି ସ୍ଥାନରେ କାହିଁକି ନଦୀବନ୍ଧ ଭୁଶୁଡୁଛି ତାହାର ଅନୁଧ୍ୟାନ ନିମନ୍ତେ ବୈଷୟିକ କମିଟି ଗଠନ କରି ସୁରକ୍ଷା ସୁନିଶ୍ଚିତ କରିବାକୁ ଦାବି କରିଛନ୍ତି ଗାଁ ଲୋକ । ବନ୍ୟା ଜଳ ଥିବା ସମୟରେ ନଦୀ ବନ୍ଧ ଭାଙ୍ଗିଥିଲେ ସତ୍ୟବାଦୀ ଓ ପୁରୀ ସଦର ବ୍ଲକର ପ୍ରାୟ ୧୦ଟି ପଞ୍ଚାୟତ ବନ୍ୟା ଜଳରେ ଉବୁଟୁବୁ ହୋଇଥାନ୍ତା ।

Leave A Reply

Your email address will not be published.