Latest Odisha News

ଟି୨୦ ବିଶ୍ୱକପ: ପ୍ରଥମ ସଂସ୍କରଣରେ ଭାରତ ଚାମ୍ପିୟନ

୨୦୦୭ରୁ ଆଇସିସି ଟି୨୦ ବିଶ୍ୱକପ ଦକ୍ଷିଣ ଆଫ୍ରିକାରେ ଆରମ୍ଭ ହୋଇଥିଲା । ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱରେ ଭାରତ ଏଥିରେ ଚାମ୍ପିୟନ ହୋଇଥିଲା । ତେବେ ଗୌତମ ଗମ୍ଭୀରଙ୍କ ଓଭରାଲ ପ୍ରଦର୍ଶନ, ଯୁବରାଜ ସିଂଙ୍କ ଗୋଟିଏ ଓଭରରେ ୬ ଛକା ଏବଂ ଯୋଗୀନ୍ଦର ଶର୍ମାଙ୍କ ଶେଷ ଓଭର ବୋଲିଂ ଏବେ ବି ମନରୁ ଯାଉ ନାହିଁ । ୧୨ଟି ଟିମ ଏଥିରେ ଅଂଶଗ୍ରହଣ କରିଥିଲେ । ୪ଟି ଗ୍ରୁପରେ ସେମାନଙ୍କୁ ଭାଗ କରାଯାଇଥିଲା । ପ୍ରତ୍ୟେକ ଗ୍ରୁପରୁ ୨ଟି ଲେଖାଏଁ ଟିମ ସୁପର ଏଇଟରେ ପ୍ରବେଶ କରିଥିଲେ । ସୁପର ଏଇଟରେ ମଧ୍ୟ ୨ଟି ଗ୍ରୁପ କରାଯାଇଥିଲା । ପ୍ରତ୍ୟେକ ଗ୍ରୁପରୁ ୨ଟି ଟିମ ସେମିଫାଇନାଲରେ ଏବଂ ପରେ ଫାଇନାଲ ଖେଳା ଯାଇଥିଲା ।

ଭାରତ ଗ୍ରୁପ ଡିରେ ପାକିସ୍ତାନ ଓ ସ୍କଟଲାଣ୍ଡ ସହିତ ରହିଥିଲା । ସ୍କଟଲାଣ୍ଡ ବିପକ୍ଷ ମ୍ୟାଚ ବର୍ଷା ଯୋଗୁ ବାତିଲ ହୋଇଥିଲା । ପରେ ପାକିସ୍ତାନ ବିପକ୍ଷ ରୋମାଂଚକ ମୁକାବିଲାକୁ ବୋଲ ଆଉଟରେ ଜିତି ଭାରତ ସୁପର ଏଇଟରେ ପ୍ରବେଶ କରିଥିଲା । ଭାରତ ପ୍ରଥମେ ବ୍ୟାଟିଂ କରି ୧୪୧ ରନ କରିଥିଲା । ରବିନ ଉଥପ୍ପା(୫୦), ଏମଏସ ଧୋନୀ (୩୩) ରନ କରିଥିଲେ । ଜବାବରେ ପାକିସ୍ତାନ ୨୦ ଓଭରରେ ୭ ୱିକେଟ ହରାଇ ସମାନ ରନ କରିଥିଲା । ମିସବା ଉଲ ହକ ୫୩ ରନ କରିଥିଲେ । ଇରଫାନ ପଠାନ ୨ଟି ୱିକେଟ ନେଇଥିଲେ । ଭାରତ ବୋଲ ଆଉଟରେ ୩-୦ରେ ଜିତିଥିଲା ।

ଅଷ୍ଟ୍ରେଲିଆ, ବାଂଲାଦେଶ, ଇଂଲଣ୍ଡ, ଭାରତ, ନ୍ୟୁଜିଲାଣ୍ଡ, ପାକିସ୍ତାନ, ଦକ୍ଷିଣ ଆଫ୍ରିକା ଓ ଶ୍ରୀଲଙ୍କା ସୁପର ୮କୁ ଉନ୍ନୀତ ହୋଇଥିଲେ । ନ୍ୟୁଜିଲାଣ୍ଡ, ଦକ୍ଷିଣ ଆଫ୍ରିକା ଓ ଇଂଲଣ୍ଡ ସହ ଭାରତ ଗ୍ରୁପ ଇରେ ସ୍ଥାନ ପାଇଥିଲା । ଅନ୍ୟ ୪ଟି ଟିମ ଗ୍ରୁପ ଏଫରେ ରହିଥିଲେ । ନ୍ୟୁଜିଲାଣ୍ଡ ବିପକ୍ଷ ମୁକାବିଲାରେ ଭାରତ ପରାଜିତ ହୋଇଥିଲା । ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ବ୍ରେଣ୍ଡନ ମ୍ୟାକକୁଲାମଙ୍କ ୪୫ ରନ ସହାୟତାରେ ୧୯୦ ରନ କରିଥିଲା । ଭାରତ ୯ ୱିକେଟ ବିନିମୟରେ ୧୮୦ ରନ କରିବାକୁ ସକ୍ଷମ ହୋଇଥିଲା । ଗୌତମ ଗମ୍ଭୀର ୫୧ ଓ ବୀରେନ୍ଦ୍ର ସେହ୍ୱାଗ ୪୦ ରନ କରିଥିଲେ ।

ଇଂଲଣ୍ଡ ବିପକ୍ଷ ସ୍ମରଣୀୟ ମ୍ୟାଚକୁ ଭାରତ ୧୮ ରନରେ ଜିତି ନେଇଥିଲା । ଭାରତ ପ୍ରଥମେ ବ୍ୟାଟିଂ କରି ଗମ୍ଭୀରଙ୍କ ୫୮, ସେହ୍ୱାଗଙ୍କ ୬୮ ଓ ଯୁବରାଜ ସିଂ ୫୮ ରନ କରିଥିଲେ । ଷ୍ଟୁଆର୍ଟ ବ୍ରଡଙ୍କ ଗୋଟିଏ ଓଭରରେ ଯୁବରାଜ ୬ଟି ଛକା ମାରିଥିଲେ । ଜବାବରେ ଇଂଲଣ୍ଡ ୬ ୱିକେଟ ବିନିମୟରେ ୨୦୦ ରନ କରିବାକୁ ସକ୍ଷମ ହୋଇଥିଲା । ଏହା ପରେ ଦକ୍ଷିଣ ଆଫ୍ରିକାକୁ ୩୭ ରନରେ ଭାରତ ହରାଇଥିଲା । ରୋହିତ ଶର୍ମାଙ୍କ ୫୦ ରନ ସହାୟତାରେ ଭାରତ ପ୍ରଥମେ ବ୍ୟାଟିଂ କରି ୧୫୩ ରନ କରିଥିଲା । ଦକ୍ଷିଣ ଆଫ୍ରିକା ୯ ୱିକେଟ ବିନିମୟରେ ୧୧୬ ରନ କରିଥିଲା । ଆରପି ସିଂ ୪ଟି ୱିକେଟ ନେଇଥିଲେ ।

ସେମି ଫାଇନାଲକୁ ନ୍ୟୁଜିଲାଣ୍ଡ, ପାକିସ୍ତାନ, ଭାରତ ଓ ଅଷ୍ଟ୍ରେଲିଆ ଉନ୍ନୀତ ହୋଇଥିଲେ । ଅଷ୍ଟ୍ରେଲିଆ ବିପକ୍ଷ ସେମିଫାଇନାଲରେ ଭାରତ ୧୫ ରନରେ ବିଜୟୀ ହୋଇଥିଲା । ଯୁବରାଜ ସିଂଙ୍କ ବିସ୍ଫୋରକ ୭୦ ଓ ଧୋନୀଙ୍କ ୩୬ ରନ ସହାୟତରେ ଭାରତ ୧୮୮ ରନ କରିଥିଲା । ଅଷ୍ଟ୍ରେଲିଆ ୭ ୱିକେଟ ବିିନିମୟରେ ୧୮୩ ରନ କରିବାକୁ ସକ୍ଷମ ହୋଇଥିଲା । ଅନ୍ୟ ମୁକାବିଲାରେ ନ୍ୟୁଜିଲାଣ୍ଡକୁ ୬ ୱିକେଟରେ ହରାଇ ପାକିସ୍ତାନ ଫାଇନାଲରେ ପ୍ରବେଶ କରିଥିଲା ।

ଟାଇଟାଲ ମୁକାବିଲାରେ ଭାରତ ପ୍ରଥମେ ବ୍ୟାଟିଂ କରିଥିଲା । ଗମ୍ଭୀରଙ୍କ ୭୫ ଓ ରୋହିତଙ୍କ ୩୦ ରନ ବଳରେ ଭାରତ ୫ ୱିକେଟ ବିନିମୟରେ ୧୫୭ ରନ କରିଥିଲା । ଜବାବରେ ୭୭ ରନରେ ୬ଟି ୱିକେଟ ହରାଇ ପାକିସ୍ତାନ ବିପଦରେ ପଡିଥିଲା । ମିସବା ୪୩ ରନ କରି ପାକିସ୍ତାନ ବିଜୟ ଆଶା ଉଜ୍ଜୀବୀତ ରଖିଥିଲେ । ଶେଷ ଓଭରରେ ବିଜୟ ପାଇଁ ୧୩ ରନ ଆବଶ୍ୟକ ହେଉଥିଲା । ଧୋନୀ ଆଶ୍ଚର୍ଯ୍ୟଜନକ ଭାବେ ଯୋଗୀନ୍ଦରଙ୍କୁ ବୋଲିଂ ଦେଇଥିଲେ । ଦ୍ୱିତୀୟ ବଲରେ ମିସବା ତାଙ୍କୁ ୬ ମାରିବା ଭାରତୀୟ ଶିବିରରେ ନିରାଶ ବାଦଲ ଖେଳାଇ ଦେଇଥିଲା । ତୃତୀୟ ବଲର ମିସବା ଶର୍ଟ ଫାଇନ ଲେଗ ଦେଇ ଶଟ ମାରିବାକୁ ଉଦ୍ୟମ କରି ଆଉଟ ହୋଇଥିଲେ । ଏହା ପରେ ପାକିସ୍ତାନ ଅଲଆଉଟ ହୋଇ ଯାଇଥିଲା । ଆଉ ଭାରତ ଚାମ୍ପିୟନ ହୋଇଥିଲା । ଯୋଗୀନ୍ଦର ରାତାରାତି ଷ୍ଟାର ପାଲଟି ଯାଇଥିଲେ ।

Comments are closed.