Latest Odisha News

୨୦୧୦ ଟି୨୦ ବିଶ୍ୱକପ: ଇଂଲଣ୍ଡ ଚାମ୍ପିୟନ, ଭାରତ ସୁପର ଏଇଟରୁ ବିଦା

ୱେଷ୍ଟଇଣ୍ଡିଜରେ ୨୦୧୦ ଟି୨୦ ବିଶ୍ୱକପ ଆୟୋଜିତ ହୋଇଥିଲା । ଫାଇନାଲରେ ଅଷ୍ଟ୍ରେଲିଆକୁ ହରାଇ ଇଂଲଣ୍ଡ ଚାମ୍ପିୟନ ହୋଇଥିବା ବେଳେ ଭାରତ ସୁପର ଏଇଟରୁ ବିଦାୟ ନେଇଥିଲା । ୧୨ଟି ଟିମକୁ ୪ଟି ଗ୍ରୁପରେ ଭାଗ କରାଯାଇଥିଲା । ଭାରତ ଗ୍ରୁପ ସିରେ ଦକ୍ଷିଣ ଆଫ୍ରିକା ଓ ଆଫଗାନିସ୍ତାନ ସହ ରହିଥିଲା । ପ୍ରଥମ ମୁକାବିଲାରେ ଭାରତ ୭ ୱିକେଟରେ ଆଫଗାନିସ୍ତାନକୁ ପରାସ୍ତ କରିଥିଲା । ଆଫଗାନିସ୍ତାନ ୨୦ ଓଭରରେ ୮ ୱିକେଟରେ ୧୧୫ ରନ କରିଥିଲା । ଭାରତ ୧୪.୫ ଓଭରରେ ୩ ୱିକେଟ ହରାଇ ଏହାକୁ ହାସଲ କରି ନେଇଥିଲା । ମୁରଲୀ ବିଜୟ ୪୮ ରନ କରିଥିଲେ । ଦ୍ୱିତୀୟ ମ୍ୟାଚରେ ସୁରେଶ ରାଇନାଙ୍କ ଶତକ ବଳରେ ଭାରତ ୧୮୭ ରନର ଲକ୍ଷ୍ୟ ଦକ୍ଷିଣ ଆଫ୍ରିକା ସମ୍ମୁଖରେ ରଖିଥିଲା । ୨୦ ଓଭରରେ ୫ ୱିକେଟ ହରାଇ ଦକ୍ଷିଣ ଆଫ୍ରିକା ୧୭୨ ରନ କରିବାକୁ ସକ୍ଷମ ହୋଇଥିଲା । ଜ୍ୟାକ୍ସ କାଲିସ ୭୩ ରନ କରିଥିଲେ । ୟୁସୁଫ ପଠାନ ଭାରତ ପକ୍ଷରୁ ୨ଟି ୱିକେଟ ନେଇଥିଲେ ।

ସୁପର ଏଇଟକୁ ଭାରତ ସମେତ ଇଂଲଣ୍ଡ, ନ୍ୟୁଜିଲାଣ୍ଡ, ପାକିସ୍ତାନ, ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ, ଶ୍ରୀଲଙ୍କା ଓ ୱେଷ୍ଟଇଣ୍ଡିଜ ପ୍ରବେଶ କରିଥିଲେ । ଗ୍ରୁପ ଏଫରେ ଭାରତ ଯଥାକ୍ରମେ ଅଷ୍ଟ୍ରେଲିଆ, ୱେଷ୍ଟଇଣ୍ଡିଜ ଓ ଶ୍ରୀଲଙ୍କାଠାରୁ ହାରି ଅଭିଯାନ ଶେଷ କରିଥିଲା । ଅପରପକ୍ଷରେ ଇଂଲଣ୍ଡ ୬ ୱିକେଟରେ ପାକିସ୍ତାନକୁ, ୩୯ ରନରେ ଦକ୍ଷିଣ ଆଫ୍ରିକାକୁ ଓ ନ୍ୟୁଜିଲାଣ୍ଡକୁ ୩ ୱିକେଟରେ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଥିଲା । ସେମିଫାଇନାଲରେ ଇଂଲଣ୍ଡ-ଶ୍ରୀଲଙ୍କା ଓ ପାକିସ୍ତାନ-ଅଷ୍ଟ୍ରେଲିଆ ମଧ୍ୟରେ ମୁକାବିଲା ହୋଇଥିଲା ।

ପ୍ରଥମ ସେମିରେ ଶ୍ରୀଲଙ୍କା ଆଞ୍ଜେଲା ମାଥ୍ୟୁସଙ୍କ ୫୮ ରନ ସହାୟତାରେ ୬ ୱିକେଟ ବିନିମୟରେ ୧୨୮ ରନ କରିଥିଲା । ଇଂଲଣ୍ଡ ୧୬ ଓଭରରେ ୩ ୱିକେଟ ହରାଇ ଏହାକୁ ହାସଲ କରି ନେଇଥିଲା । କେଭିନ ପିଟରସନ ୪୨ ରନ କରିଥିଲେ । ଦ୍ୱିତୀୟ ସେମିରେ ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୧୯୨ ରନର ଲକ୍ଷ୍ୟ ଅଷ୍ଟ୍ରେଲିଆ ସମ୍ମୁଖରେ ରଖିଥିଲା । ଉମର ଆକମଲ ୩୫ ବଲରୁ ୫୬ ରନ କରିଥିଲେ । ଜବାବରେ ଅଷ୍ଟ୍ରେଲିଆ ଗୋଟିଏ ବଲ ବାକି ଥାଇ ୭ ୱିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା । ମାଇକେଲ ହସୀ ୬୦ ରନ କରିଥିବା ବେଳେ ମହମ୍ମଦ ଅମୀର ୩ଟି ୱିକେଟ ନେଇଥିଲେ ।

ଫାଇନାଲରେ ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୧୪୭ ରନ କରିଥିଲା । ଡେଭିଡ ହସୀ ୫୯ ରନ କରିଥିଲେ । ର‌୍ୟାନ ସାଇଡବଟ୍ଟମ ୨ଟି ୱିକେଟ ନେଇଥିଲେ । ଇଂଲଣ୍ଡ ୧୭ ଓଭରରେ ୩ ୱିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା । କ୍ରେଗ କେଇସୱେଟର ୬୩ ରନ କରିଥିଲେ । ଏଥିସହ ଇଂଲଣ୍ଡ ଟି୨୦ ବିଶ୍ୱକପରେ ଟ୍ରଫି ହାତେଇବାରେ ତୃତୀୟ ଟିମ ହୋଇଥିଲା ।

Leave A Reply

Your email address will not be published.