Latest Odisha News

୨୦୧୫ ବିଶ୍ୱକପ: ପ୍ରଭାବୀ ପ୍ରଦର୍ଶନ ସତ୍ୱେ ସେମିରୁ ଭାରତ ବିଦା

୨୦୧୧ ବିଶ୍ୱକପ କ୍ରିକେଟରେ ଭାରତ ବିଜୟୀ ହେବା ପରେ ପ୍ରଶଂସକଙ୍କ ନଜର ୨୦୧୫ ବିଶ୍ୱକପରେ ରହିଥିଲା । ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡରେ ଏହି ବିଶ୍ୱକପ ଆୟୋଜିତ ହୋଇଥିଲା । ଭାରତ ପ୍ରଭାବୀ ପ୍ରଦର୍ଶନ କରିଥିଲେ ମଧ୍ୟ ସେମିଫାଇନାଲରେ ଅଷ୍ଟ୍ରେଲିଆଠାରୁ ହାରି ଯାଇଥିଲା । ଫାଇନାଲରେ ନ୍ୟୁଜିଲାଣ୍ଡକୁ ୭ ୱିକେଟରେ ହରାଇ ଅଷ୍ଟ୍ରେଲିଆ ୫ମ ଥର ପାଇଁ ଚାମ୍ପିୟନ ହୋଇଥିଲା । ୧୪ଟି ଟିମକୁ ୨ଟି ଗ୍ରୁପରେ ଭାଗ କରାଯାଇଥିଲା । ପ୍ରତ୍ୟେକ ଗ୍ରୁପର ୪ଟି ଟିମ ନକଆଉଟ ପର୍ଯ୍ୟାୟକୁ ଉନ୍ନୀତ ହୋଇଥିଲେ । ଏହା ପରେ କ୍ୱାର୍ଟର ଫାଇନାଲ, ସେମିଫାଇନାଲ ଓ ଫାଇନାଲ ମ୍ୟାଚ ଆୟୋଜିତ ହୋଇଥିଲା ।

ଭାରତର ପ୍ରଦର୍ଶନ: ଗ୍ରୁପ ପର୍ଯ୍ୟାୟରେ ଭାରତ ଭଲ ପ୍ରଦର୍ଶନ କରିଥିଲା । ପାକିସ୍ତାନ, ଦକ୍ଷିଣ ଆଫ୍ରିକା, ୟୁଏଇ, ୱେଷ୍ଟଇଣ୍ଡିଜ, ଆୟର୍ଲାଣ୍ଡ ଓ ଜିମ୍ବାୱେକୁ ଭାରତ ପରାସ୍ତ କରିଥିଲା । କ୍ୱାର୍ଟର ଫାଇନାଲ ଭାରତ ଓ ବାଂଲାଦେଶ ମଧ୍ୟରେ ମୁକାବିଲା ହୋଇଥିଲା । ଯାହାକୁ ଟିମ ଇଣ୍ଡିଆ ସହଜରେ ଜିତି ନେଇଥିଲା । ସେମିଫାଇନାଲରେ ଆୟୋଜକ ଅଷ୍ଟ୍ରେଲିଆ ପୁନର୍ବାର ଭାରତକୁ ଝଟକା ଦେଇଥିଲା । ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ଷ୍ଟିଭେନ ସ୍ମିଥଙ୍କ ୧୦୫ ଓ ଆରୋନ ଫିଂଚଙ୍କ ୮୧ ରନ ବଳରେ ଭାରତ ସମ୍ମୁଖରେ ୩୨୯ ରନର ଲକ୍ଷ୍ୟ ରଖିଥିଲା । ଜବାବରେ ଭାରତ ୨୩୩ ରନ କରି ଅଲଆଉଟ ହୋଇ ଯାଇଥିଲା । ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ସର୍ବାଧିକ ୬୫ ରନ କରିଥିଲେ ।

ଅଭୂଲା କ୍ଷଣ: ୨୦୧୫ ବିଶ୍ୱକପର ଆରମ୍ଭରେ ଅଷ୍ଟ୍ରେଲିଆ ବିପକ୍ଷରେ ଷ୍ଟିଭେନ ଫିନ ହ୍ୟାଟ୍ରିକ ୱିକେଟ ହାସଲ କରିଥିଲେ ମଧ୍ୟ ତାହା ଇଂଲଣ୍ଡକୁ ବିଜୟ ପ୍ରଦାନ କରିପାରି ନ ଥିଲା । ଅମ୍ପାୟରିଂ ତ୍ରୁଟି ଯୋଗୁ ଏହି ମ୍ୟାଚରେ ଜେମ୍ସ ଟେଲର ଶତକ ହାସଲ କରିପାରିନ ଥିଲେ ।
ବିଶ୍ୱକପରେ ଭାରତ ପୁନର୍ବାରେ ପାକିସ୍ତାନ ବିପକ୍ଷରେ ଅପରାଜେୟ ରହିଥିଲା । ବିରାଟ କୋହଲିଙ୍କ ଚମତ୍କାର ଶତକ ବଳରେ ଭାରତ ସହଜରେ ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱୀଙ୍କୁ ହରାଇଥିଲା ।

ବିଶ୍ୱକପରେ ଟିମ ସୌଥୀ ୩୩ ରନରେ ୭ଟି ୱିକେଟ ଅକ୍ତିଆର କରି ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ । ବ୍ରେଣ୍ଡନ ମ୍ୟାକକୁଲାମ ୧୮ ବଲରେ ଅର୍ଦ୍ଧଶତକ ହାସଲ କରିଥିଲେ । ଏହା ବିଶ୍ୱକପର ତୃତୀୟ ଦ୍ରୁତ ଅର୍ଦ୍ଧଶତକ ଥିଲା ।
ବିଶ୍ୱକପରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତର ପ୍ରଥମ ବିଜୟ: ୨୦୧୫ ବିଶ୍ୱକପରେ ଭାରତ ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକାକୁ ଏହି ମେଗା ଇଭେଂଟରେ ପରାସ୍ତ କରିଥିଲା । ଶିଖର ଧାୱନଙ୍କ ୧୩୭ ରନ ସହାୟତାରେ ଭାରତ ୩୦୭ ରନ କରିଥିଲା । ଜବାବରେ ଦକ୍ଷିଣ ଆଫ୍ରିକା ୧୭୭ ରନ କରି ଅଲଆଉଟ ହୋଇ ଯାଇଥିଲା । ରବିଚନ୍ଦ୍ରନ ଅଶ୍ୱୀନ ୩ଟି ୱିକେଟ ଅକ୍ତିଆର କରିଥିଲେ ।

ଗେଲଙ୍କ ଦ୍ୱଶତକ: ଜିମ୍ବାୱେର ଦୁର୍ବଳ ବୋଲିଂର ଫାଇଦା ଉଠାଇ ୱେଷ୍ଟଇଣ୍ଡିଜ କ୍ରିସ ଗେଲ ଦ୍ୱିଶତକ ହାସଲ କରିଥିଲେ । ସେ ପ୍ରଥମ ଅଣ ଭାରତୀୟ ଭାବେ ଦିନିକିଆ କ୍ରିକେଟରେ ୨୦୦ ରନ କରିବା ସୌଭାଗ୍ୟ ଅର୍ଜନ କରିଥିଲେ । ଏହି ମ୍ୟାଚରେ ସଚିନ ତେନ୍ଦୁଲକର ଓ ରାହୁଲ ଡ୍ରାଭିଡ ପାର୍ଟନରଶିପ ରେକର୍ଡକୁ ୧୬ ବର୍ଷ ପରେ ଗେଲ ଏବଂ ମାର୍ଲନ ସାମୁଏଲ୍ସ ଭାଙ୍ଗିଥିଲେ ।

ବିଶ୍ୱକପରେ ଆଫଗାନିସ୍ତାନର ପ୍ରଥମ ବିଜୟ: ଆଫଗାନିସ୍ତାନ ଏହି ବିଶ୍ୱକପରେ ପ୍ରଥମ ବିଜୟ ହାସଲ କରିବା ଗୌରବ ଅର୍ଜନ କରିଥିଲା । ଏକ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ସ୍କଟଲାଣ୍ଡକୁ ଆଫଗାନିସ୍ତାନ ପରାସ୍ତ କରିଥିଲା ।

ଡିଭିଲର୍ସଙ୍କ ୩୬୦ ଡିଗ୍ରୀ ଶଟ: ୱେଷ୍ଟଇଣ୍ଡିଜ ବିପକ୍ଷରେ ଦକ୍ଷିଣ ଆଫ୍ରିକାର ଏବି ଡିଭିଲର୍ସ କ୍ରିକେଟର ୩୬୦ ଡିଗ୍ରୀରେ କିପରି ଶଟ ମରା ଯାଇପାରେ ତାହା ପ୍ରମାଣ କରିଥିଲେ । ଏହି ମ୍ୟାଚରେ ସେ ଦ୍ରୁତ ଶତକ ଏବଂ ୧୫୦ ରନ କରିବା କୀର୍ତିମାନ ସ୍ଥାପନ କରିଥିଲେ ।ୱିଲିୟମସନଙ୍କ ବିଜୟୀ ଛକା: ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିଲା ବିଶ୍ୱକପର ସବୁଠାରୁ ରୋମାଂଚକର ମ୍ୟାଚ । ସୁଇଂ ବୋଲିଂ, ବ୍ୟାଟିଂ, ସ୍ପିନ ଓ ଫିଲ୍ଡିଂର ଅଦ୍ଭୁତ ମୁକାବିଲା ଦେଖିବାକୁ ମିଳିଥିଲା । ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ୧୫୧ ରନ କରି ଅଲଆଉଟ ହୋଇ ଯାଇଥିଲା । ଡେଭିଡ ୱାର୍ଣ୍ଣର ୩୪, ବ୍ରାଡ ହାଡିନ ୪୩ ରନ କରିଥିଲେ । ଟ୍ରେଂଟ ବୋଲ୍ଟ ୫ଟି ୱିକେଟ ନେଇଥିଲେ । ଜବାବରେ ବ୍ରେଣ୍ଡନ ମ୍ୟାକକୁଲାମଙ୍କ ଅର୍ଦ୍ଧଶତକ ସହାୟତାରେ ନ୍ୟୁଜିଲାଣ୍ଡ ଭଲ ଆରମ୍ଭ କରିଥିଲା । ମାତ୍ର ମିଚେଲ ଷ୍ଟାର୍କ ୨୮ ରନରେ ୬ଟି ୱିକେଟ ନେଇ କିୱି ଟିମକୁ ବିପଦରେ ପକାଇ ଦେଇଥିଲେ । ୯ଟି ୱିକେଟ ହରାଇଥିଲେ ମଧ୍ୟ କେନ ୱିଲିୟମସନ ଗୋଟିଏ ପଟେ ରହି ୪୫ ରନର ଇନିଂସ ଖେଳି ଦଳକୁ ବିଜୟୀ କରାଇଥିଲେ । ସେ ଛକା ମାରି ଦଳକୁ ଜିତାଇଥିଲେ ।

ଗୁପଟିଲଙ୍କ ଦ୍ୱିଶତକ: ନ୍ୟୁଜିଲାଣ୍ଡର ମାର୍ଟିନ ଗୁପଟିଲ ୱେଷ୍ଟଇଣ୍ଡିଜ ବିପକ୍ଷରେ ୨୩୭ ରନର ଇନିଂସ ଖେଳିଥିଲେ । ଏହା ବିଶ୍ୱକପର ସର୍ବାଧିକ ବ୍ୟକ୍ତିଗତ ସ୍କୋର ହୋଇଥିଲା ।ଫାଇନାଲ: ନ୍ୟୁଜିଲାଣ୍ଡ ଫାଇନାଲରେ ଅଷ୍ଟ୍ରେଲିଆ ବିପକ୍ଷରେ ୧୮୩ ରନ କରିଥିଲା । ଗ୍ରାଂଟ ଏଲିଅଟଙ୍କ ୮୩ ରନ ବ୍ୟତୀତ ଅନ୍ୟ କେହି ଭଲ ବ୍ୟାଟିଂ ପ୍ରଦର୍ଶନ କରିପାରି ନ ଥିଲେ । ଏହା ପରୋକ୍ଷରେ ୧୯୮୩ର ଫାଇନାଲକୁ ମନେ ପକାଇ ଦେଇଥିଲା । ଭାରତ ବିଜୟ ହାସଲ କରିଥିବା ବେଳେ ନ୍ୟୁଜିଲାଣ୍ଡ କିନ୍ତୁ ମାତ ଖାଇ ଯାଇଥିଲା । ଜବାବରେ ଷ୍ଟିଭ ସ୍ମିଥ(୫୬ ନଟଆଉଟ) ଓ ମାଇକେଲ କ୍ଲାର୍କଙ୍କ ୭୪ ରନ ବଳରେ ଅଷ୍ଟ୍ରେଲିଆ ସହଜରେ ବିଜୟ ହାସଲ କରି ଚାମ୍ପିୟନ ହୋଇଥିଲେ ।

Comments are closed.