Latest Odisha News

୨୦୨୨ ଟି୨୦ ବିଶ୍ୱକପ : ଇଂଲଣ୍ଡ ଦ୍ୱିତୀୟ ଥର ପାଇଁ ଜିତିଲା ଟ୍ରଫି

ଅଷ୍ଟ୍ରେଲିଆରେ ଟି୨୦ ବିଶ୍ୱକପର ଗତ ସଂସ୍କରଣ ୧୬ ଅକ୍ଟୋବରରୁ ୧୩ ନଭେମ୍ବର ପର୍ଯ୍ୟନ୍ତ ଆୟୋଜିତ ହୋଇଥିଲା । ଏଥିରେ ୧୬ଟି ଟିମ ଅଂଶଗ୍ରହଣ କରିଥିଲେ । ସୁପର ୧୨ର ଗ୍ରୁପ ୧ରେ ଆଫଗାନିସ୍ତାନ, ଅଷ୍ଟ୍ରେଲିଆ, ଇଂଲଣ୍ଡ, ନ୍ୟୁଜିଲାଣ୍ଡ, ଆୟର୍ଲାଣ୍ଡ ଓ ଶ୍ରୀଲଙ୍କା ରହିଥିବା ବେଳେ ଗ୍ରୁପ ୨ରେ ବାଂଲାଦେଶ, ଭାରତ, ପାକିସ୍ତାନ, ଦକ୍ଷିଣ ଆଫ୍ରିକା, ନେଦରଲାଣ୍ଡସ ଓ ଜିମ୍ବାୱେ ରହିଛନ୍ତି । ସୁପର ୧୨ରେ ଭାରତ ୪ ୱିକେଟରେ ପାକିସ୍ତାନକୁ ହରାଇ ବିଜୟ ଅଭିଯାନ ଆରମ୍ଭ କରିଥିଲା । ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ୧୫୯ ରନ କରିଥିଲା । ଶାନ ମାସୁଦ ୫୨ ରନ କରିଥିଲେ । ଜବାବରେ ବିରାଟ କୋହଲିଙ୍କ ବିସ୍ଫୋରକ ୮୨ ରନ ବଳରେ ଭାରତ ଶେଷ ଓଭରରେ ଏହି ରୋମାଂଚକ ମୁକାବିଲାକୁ ଜିତିଥିଲା ।

ଏହା ପରେ ନେଦରଲାଣ୍ଡକୁ ୫୬ ରନ ବ୍ୟବଧାନରେ ଭାରତ ହରାଇଥିଲା । ଟିମଇଣ୍ଡିଆ ପ୍ରଥମେ ବ୍ୟାଟିଂ କରି ୧୭୯ ରନ କରିଥିଲା । ବିରାଟ କୋହଲି ୬୨ରନ କରି ଅପରାଜିତ ରହିଥିଲେ । ନେଦରଲାଣ୍ଡ ନିର୍ଦ୍ଧାରିତ ଓଭରରେ ୯ ୱିକେଟ ହରାଇ ୧୨୩ ରନ କରିବାକୁ ସକ୍ଷମ ହୋଇଥିଲା । ତୃତୀୟ ମୁକାବିଲାରେ ଦକ୍ଷିଣ ଆଫ୍ରିକା ୫ ୱିକେଟରେ ଭାରତକୁ ହରାଇଥିଲା । ଭାରତ ୧୩୪ ରନର ବିଜୟ ଲକ୍ଷ୍ୟ ଦକ୍ଷିଣ ଆଫ୍ରିକା ସମ୍ମୁଖରେ ରଖିଥିଲା । ସୂର୍ଯ୍ୟକୁମାର ଯାଦବ ୪୦ ବଲରୁ ଦ୍ରୁତ ୬୮ ରନ କରିଥିଲେ । ଦକ୍ଷିଣ ଆଫ୍ରିକା ୧୯.୪ ଓଭରରେ ୫ ୱିକେଟ ହରାଇ ଏହାକୁ ଜିତି ନେଇଥିଲା । ଡେଭିଡ ମିଲର ୫୯ ରନ କରିଥିଲେ । ବାଂଲାଦେଶ ବିପକ୍ଷ ବର୍ଷା ବାଧାପ୍ରାପ୍ତ ମ୍ୟାଚରେ ଭାରତ ଡକ୍ୱୱର୍ଥ ଲୁଇସ ନିୟମରେ ୫ରନରେ ବିଜୟୀ ହୋଇଥିଲା । ଭାରତ ପ୍ରଥମେ ବ୍ୟାଟିଂ କରି ୧୮୪ ରନ କରିଥିଲା । ବିରାଟ କୋହଲି ୬୪ ରନ କରିଥିଲେ । ୧୬ ଓଭରରେ ୬ ୱିକେଟ ହରାଇ ୧୪୫ ରନ କରି ବାଂଲାଦେଶ ପରାଜିତ ହୋଇଥିଲା ।

ଅନ୍ତିମ ମୁକାବିଲାରେ ଭାରତ ୭୧ ରନରେ ଜିମ୍ବାୱେକୁ ପରାସ୍ତ କରି ସେମିରେ ପ୍ରବେଶ କରିଥିଲା । ସୂର୍ଯ୍ୟକୁମାର ଯାଦବ ମଧ୍ୟ ଏହି ମ୍ୟାଚରେ ବିସ୍ଫୋରକ ୬୧ ରନ କରିଥିଲେ । ସେମିରେ ନ୍ୟୁଜିଲାଣ୍ଡ-ପାକିସ୍ତାନ ଓ ଭାରତ-ଇଂଲଣ୍ଡ ସାମ୍ନାସାମ୍ନି ହୋଇଥିଲେ । ପ୍ରଥମ ସେମିରେ ନ୍ୟୁଜିଲାଣ୍ଡକୁ ୭ ୱିକେଟରେ ପାକିସ୍ତାନକୁ ହରାଇ ଫାଇନାଲରେ ପ୍ରବେଶ କରିଥିଲା ।

ଦ୍ୱିତୀୟ ସେମିରେ ଭାରତ ପ୍ରଥମେ ବ୍ୟାଟିଂ କରି ୧୬୮ ରନ କରିଥିଲା । ହାର୍ଦ୍ଦିକ ପାଣ୍ଡ୍ୟା ସର୍ବାଧିକ ୬୩ ଓ ବିରାଟ କୋହଲି ୫୦ ରନ କରିଥିଲେ । କ୍ରିସ ଜୋର୍ଡାନ ୩ଟି ୱିକେଟ ନେଇଥିଲେ । ଇଂଲଣ୍ଡ ୧୬ ଓଭରରେ କୌଣସି ୱିକେଟ ନ ହରାଇ ବିଜୟୀ ହୋଇ ଫାଇନାଲକୁ ଉନ୍ନୀତ ହୋଇଥିଲା । ଆଲେକ୍ସ ହେଲ୍ସ ୮୬ ଓ ଜୋସ ବଟଲର ୮୦ ରନ କରି ଅପରାଜିତ ରହିଥିଲେ ।

ଫାଇନାଲରେ ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ୧୩୭ ରନ କରିଥିଲା । ଶନ ମାସୁଦ ୩୮ ଓ ବାବର ଆଜମ ୩୨ ରନ କରିଥିଲେ । ସାମ କୁରାନ ୩ଟି ୱିକେଟ ନେଇଥିଲେ । ଜବାବରେ ଇଂଲଣ୍ଡ ୧୯ ଓଭରରେ ୫ ୱିକେଟ ହରାଇ ଟାର୍ଗେଟ ହାସଲ କରିବା ସହ ଦ୍ୱିତୀୟ ଥର ପାଇଁ ଚାମ୍ପିୟନ ହୋଇଥିଲା । ବେନ ଷ୍ଟୋକ୍ସ ୫୨ ରନର ମ୍ୟାଚ ବିଜୟୀ ଇନିଂସ ଖେଳିଥିଲେ । ହ୍ୟାରିଶ ରୌଫ ୨ଟି ୱିକେଟ ନେଇଥିଲେ ।

Comments are closed.