Latest Odisha News

BREAKING NEWS

ଥାନାରେ ପଶି ହତ୍ୟା ଅଭିଯୁକ୍ତଙ୍କୁ ଖସାଇ ନେବାକୁ ଉଦ୍ୟମ: ୯ ଗିରଫ, ୪ଟି ବାଇକ୍‌ ଜବତ

ଗଞ୍ଜାମ: ନିର୍ବାଚନ ସମୟରେ ଗଞ୍ଜାମ ଜିଲ୍ଲାରେ ବିପର୍ଯ୍ୟସ୍ତ ହୋଇ ପଡ଼ିଛି ଆଇନ ଶୃଙ୍ଖଳା ପରିସ୍ଥିତି। ଗତ ରାତିରେ କୋଦଳା ଥାନାରେ ପଶି ଜଣେ ହତ୍ୟା ଅଭିଯୁକ୍ତଙ୍କୁ ଟାଣି ନେଇଯାଉଥିଲେ ଦୁବୃର୍ତ୍ତ। ଏହି ସମୟରେ ପୋଲିସ ଦୁର୍ବୃତ୍ତଙ୍କୁ ଅଟକାଇବାକୁ ଚେଷ୍ଟା କରିବାରୁ ପୋଲିସ୍‌ ସହ ସେମାନଙ୍କର ଧସ୍ତାଧସ୍ତି ହୋଇଥିଲା। ଶେଷରେ ପୋଲିସ ଅଭିଯୁକ୍ତଙ୍କୁ କାବୁ କରି ରଖିବାରେ ସଫଳ ହୋଇଛି।

ଜଣେ ହତ୍ୟା ଅଭିଯୁକ୍ତଙ୍କୁ ଥାନାରୁ ଖସାଇ ନେବାକୁ ଉଦ୍ୟମ କରୁଥିଲେ ଉକ୍ତ ଦୁର୍ବୃତ୍ତ। ଏହି ମାମଲାରେ ପୋଲିସ ୩୫ଜଣଙ୍କ ନାମରେ ମାମଲା ରୁଜୁ କରିଥିବା ବେଳେ ୯ ଜଣଙ୍କୁ ଗିରଫ କରିଛି। ଏହି ଘଟଣାର ଦୃଶ୍ୟ ଥାନା ସିସିଟିଭି କ୍ୟାମେରାରେ ରେକର୍ଡ ହୋଇଛି। ୨୦୨୩ ମସିହାରେ ଦୀପୁ ପାତ୍ର ହତ୍ୟାକାଣ୍ଡ ଘଟଣାର ଅଭିଯୁକ୍ତ ଜେ ଛଚୀନା ଗ୍ରାମର ବିକ୍ରମ ପରିଡ଼ାଙ୍କୁ ପୋଲିସ ଗତ ରାତିରେ ଉଠାଇ ଆଣିଥିଲା। କିଛି ସମୟ ପରେ ତାଙ୍କର କିଛି ସମର୍ଥକ ଥାନା ହାଜତରେ ପଶି ଅଭିଯୁକ୍ତଙ୍କୁ ଖସାଇ ନେବାକୁ ଚେଷ୍ଟା କରିଥିଲେ ।

ପୋଲିସ ବିକ୍ରମ ପରିଡ଼ାଙ୍କୁ କାବୁ କରି ରଖିବାରେ ସଫଳ ହୋଇଥିବା ବେଳେ ଦୁବୃର୍ତ୍ତମାନେ ସେଠାରୁ ଫେରାର ହେବାକୁ ଉଦ୍ୟମ କରିଥିଲେ। ତେବେ ଏହି ଘଟଣାରେ ୯ ଜଣଙ୍କୁ ଗିରଫ କରାଯାଇଛି। ଏ ନେଇ ଗଞ୍ଜାମ ଏସପି ତାଙ୍କ ପ୍ରତିକ୍ରିୟା ରଖିଥିବା ବେଳେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଓ ୩୫ରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କ ନାମରେ ମାମଲା ରୁଜୁ ହୋଇଥିବା କହିଛନ୍ତି। ଏହି ଘଟଣାରେ ୧୦ ପୋଲିସ୍‌ କର୍ମଚାରୀ ଆହତ ହୋଇଛନ୍ତି । ଅଭିଯୁକ୍ତଙ୍କ ୪ଟି ବାଇକ୍‌ ଜବତ ହୋଇଥିବା ଏସ୍‌ପି ସୂଚନା ଦେଇଛନ୍ତି।

Leave A Reply

Your email address will not be published.