Latest Odisha News

BREAKING NEWS

ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଭୋଟିଂ; ୧୧ଟା ସୁଦ୍ଧା ୨୧ ପ୍ରତିଶତ ମତଦାନ

ଭୁବନେଶ୍ଦର: ଦ୍ବିତୀୟ ପର୍ଯ୍ୟାୟ ଭୋଟିଂରେ ସକାଳ ୧୧ ଟା ସୁଦ୍ଧା ୨୧ ପ୍ରତିଶତ ଭୋଟ ଗ୍ରହଣ କରାଯାଇଛି । ତେବେ ସକାଳ ୯ଟା ସୁଦ୍ଧା ୬.୯୯ ଭୋଟ ଗ୍ରହଣ କରାଯାଇଥିବା ବେଳେ ଏବେ ଏହା ପାଖାପାଖି ୨୧ ପ୍ରତିଶତ ମତଦାନ ଗ୍ରହଣ କରାଯାଇଛି । ସବୁଠୁ ଅଧିକ ସୁନ୍ଦରଗଡ ବଣେଇ ନିର୍ବାଚନ ମଣ୍ଡଳୀରେ ୩୫ ପ୍ରତିଶତ ମତଦାନ ହୋଇଛି  । ବ୍ରଜରାଜନଗରୀରେ୨୫.୫ ପ୍ରତିଶତ ଭୋଟ ଗ୍ରହଣ ହେଇଥିବା ବେଳେ ଝାରୁସୁଗୁଡାରେ ୨୫ ପ୍ରତିଶତରୁ ଅଧିକ ମତଦାନ ହୋଇଛି । ସେହିପରି ବୀରମିତ୍ରପୁର ୨୪ ପ୍ରତିଶତ, ରଘୁନାଥପଲ୍ଲୀରେ ୨୩ ପ୍ରତିଶତ, ରାଉଲକେଲାରେ ୧୯ ପ୍ରତିଶତ ମତଦାନ ହୋଇଥିବା ନେଇ ସୂଚନା ଦେଇଛନ୍ତି ସିଇଓ ନିକୁଞ୍ଜ ଧଳ ।

ଆଜି ରାଜ୍ୟରେ ଚାଲିଛି ଦ୍ବିତୀୟ ପର୍ଯ୍ୟାୟ ମତଦାନ ପ୍ରକ୍ରିୟା । ୫ ଟି ଲୋକସଭା ଆସନ ଓ ଏହା ଅନ୍ତର୍ଗତ ୩୫ ଟି ବିଧାନସଭା ଆସନରେ ଭୋଟ ଗ୍ରହଣ କରାଯାଉଛି । ଆସିକା, କନ୍ଧମାଳ, ବରଗଡ, ବଲାଙ୍ଗୀର ଓ ସୁନ୍ଦରଗଡ ଲୋକସଭା ଆସନ ସ୍ଥିତ ୩୫ ବିଧାନସଭା ଆସନର ୩୦୫ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଭୋଟର ।

ତେବେ ଆଜିର ପର୍ଯ୍ୟାୟ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଅନେକ ହେଭିଓ୍ବେଟ ନେତା ତଥା ସନ୍ତୋଷ ସିଂ ସାଲୁଜା, ବରିଷ୍ଠ ନେତା ଜୁଏଲ ଓରାମ, ଦିଲ୍ଲୀପ ତିର୍କୀ, ପ୍ରଦୀପ ପୁରୋହିତ, ସଙ୍ଗୀତା ସିଂହଦେଓ ଓ ନିରଞ୍ଜନ ପୂଜାରୀଙ୍କ ଭାଗ୍ୟ ପରୀକ୍ଷା ଚାଲିଛି ।

ତେବେ ପ୍ରଥମ ପର୍ଯ୍ୟାରେ ପ୍ରାୟ ୭୫ ପ୍ରତିଶତ ମତଦାନ ଗ୍ରହଣ କରାଯାଇଥିବାବେଳେ ଏଥର ମଧ୍ୟ ଅଧିକ ହାରରେ ଭୋଟ ଦାନ କରିବା ପାଇଁ ଅନୁରୋଧ କରିଛନ୍ତି ମୁଖ୍ୟ ନିର୍ବାଚନୀ ଅଧିକାରୀ ।

ଏହାରି ଭିତରେ ସୁନ୍ଦରଗଡ କିଛି ସ୍ଥାନରେ ଇଭିଏମରେ ତ୍ରୁଟି ଦେଖାଦେଇଥିଲେ ମଧ୍ୟ ଅଧଘଣ୍ଟା ଭିତରେ ଏହାକୁ ଠିକ୍ କରାଯାଇଛି । ଯାହା ବି ଅଭିଯୋଗ ଆସୁଛି ନିୟୋଜିତ ମୋବାଇଲ ପାର୍ଟି ତାହା ତଦାରଖ କରୁଛନ୍ତି ବୋଲି ସୂଚନା ଦେଇଛନ୍ତି ଅତିରିକ୍ତ ଡିଜି ।

Leave A Reply

Your email address will not be published.