ୱାସିଂଟନ୍: ବ୍ୟାପୁଛ ଲସ୍ ଏଞ୍ଜେଲସ୍ ନିଆଁ । ଆମେରିକା କାଲିଫର୍ଣ୍ଣିଆରେ ଭୟଙ୍କର ଭାବେ ବ୍ୟାପୁଛି ଜଙ୍ଗଲ ନିଆଁ । ଗୋଟେପଟେ ଲସ୍ ଏଞ୍ଜେଲସ୍ର ୨ଟି ଜଙ୍ଗଲରୁ ନିଆଁ ଲିଭାଯାଇଥିବା ବେଳେ ସେପଟେ ଆଉ ୨ଟି ଜଙ୍ଗଲକୁ ବ୍ୟାପିଛି ନିଆଁ । ଜଙ୍ଗଲ ନିଆଁରେ ପୋଡ଼ି ହୋଇ ମୃତ୍ୟୁସଂଖ୍ୟା ୨୪କୁ ବୃଦ୍ଧି ପାଇଛି । ଏଯାବତ୍ ପ୍ରାୟ ତିନି ଲକ୍ଷରୁ ଅଧିକ ଲୋକ ସ୍ଥାନାନ୍ତର ହେଲେଣି ।
ବର୍ତ୍ତମାନ ଲସ୍ ଏଞ୍ଜେଲସ୍ ଆଖପାଖ ଅଞ୍ଚଳରେ ନିଆଁ ଜଳୁଛି, ଯେଉଁଥିରେ ଇଟନ୍, ହର୍ଷ୍ଟ, କେନେଥ୍ ଏବଂ ପାଲିସାଡେସ୍ ଅଗ୍ନିକାଣ୍ଡ ସମେତ ଅନ୍ୟୂନ ୪ଟି ବଡ଼ ଅଗ୍ନିକାଣ୍ଡ ଘଟିଛି, ଯାହା ପ୍ରାୟ ୩୮,୨୭୬ ଏକର ଜମିରେ ବ୍ୟାପିଛି। ୨ଟି ନିଆଁକୁ ଆୟତ୍ତ କରାଯାଇଥିବା ସୂଚନା ମିଳିଛି। ଅନ୍ୟପଟେ ଆସନ୍ତା ବୁଧବାର ପର୍ଯ୍ୟନ୍ତ ପ୍ରବଳ ପବନ ବହିବାର ପୂର୍ବାନୁମାନ କରିଛି ପାନିପାଗ ବିଭାଗ । ଫଳରେ ନିଆଁ ଆହୁରି ବ୍ୟାପିପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି। ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ ବାହିନୀ ସଂଘର୍ଷ ଜାରି ରଖିଛନ୍ତି।
ଲସ୍ ଏଞ୍ଜେଲସ୍ କାଉଣ୍ଟିର ଚାରି ଅଞ୍ଚଳରେ ନିଆଁ ବ୍ୟାପି ତାଣ୍ଡବ ରଚିଛି। ଏଥିରେ ପେସିଫିକ୍ ପେଲିସେଡସ୍ ଅଞ୍ଚଳ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ଏଠାରେ ପ୍ରାୟ ୧୦୦୦ ଏକର ଯାଏଁ ନିଆଁ ବ୍ୟାପିଛି, ଯେଉଁଥିରେ ହଜାର ହଜର ଘର ଜଳି ପୋଡି ପାଉଁଶ ହୋଇଯାଇଛି। ଫଳରେ ଏଠାର ଲୋକ ଘର ଛାଡି ସୁରକ୍ଷିତ ସ୍ଥାନକୁ ଯିବାକୁ ବାଧ୍ୟ ହୋଇଛନ୍ତି।ଏହି ଭୟଙ୍କର ଅଗ୍ନିକାଣ୍ଡ ହଲିଉଡ ହିଲ୍ସରେ ପହଞ୍ଚିଥିବା ବେଳେ ଅନେକ ଆମେରିକୀୟ ଚଳଚ୍ଚିତ୍ର ବ୍ୟକ୍ତିତ୍ୱଙ୍କ ଘରେ ମଧ୍ୟ ନିଆଁ ଲାଗିଯାଇଛି । ସେପଟେ ନିଆଁ ଲିଭାଇବା ପାଇଁ ଚାଲିଥିବା ପ୍ରୟାସ ମଧ୍ୟରେ ପାଣି ଅଭାବ ଏକ ବଡ଼ ପ୍ରସଙ୍ଗ ପାଲଟିଛି । ଆକାଶ ମାର୍ଗରୁ ପାଣି ବର୍ଷା କରାଯାଉଛି । ୩୦ ହେଲିକପ୍ଟର ଆକାଶରୁ ପାଣି ବୃଷ୍ଟି କରୁଛନ୍ତି । ନିଆଁ ଆୟତ୍ତ କରିବା ସରକାରଙ୍କ ପାଇଁ ଚ୍ୟାଲେଞ୍ଜ ପାଲଟିଛି । ସେପଟେ ଜଳ ଅଭାବନକୁ ନେଇ କାଲିଫର୍ଣ୍ଣିଆର ଗଭର୍ଣ୍ଣର ଗାଭିନ୍ ନ୍ୟୁସମ୍ ଅସନ୍ତୋଷ ପ୍ରକାଶ କରିଛନ୍ତି ।