ମାଲକାନଗିରି: ଲାଲବାହିନୀ ଉପରୁ ତୁଟୁଛି ଭରସା । ଭୁଶୁଡୁଛି ଲାଲଗଡ଼ । ମୁଖ୍ୟସ୍ରୋତକୁ ଫେରୁଛନ୍ତି ମାଓବାଦୀ । ମାଲକାନଗିରି ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାରେ ୨୪ ଜଣ ମାଓବାଦୀ ଆଜି ଆତ୍ମସମର୍ପଣ କରିଛନ୍ତି । ଏମାନଙ୍କ ମଧ୍ୟରେ ଅଛନ୍ତି ୭ ଜଣ ମହିଳା ମାଓବାଦୀ । କିସ୍ତାରାମଠାରେ ଥିବା ସିଆରପିଏଫର ୨୧୨ କୋବ୍ରା ବାଟାଲିଆନ ନିକଟରେ ୨୪ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି ।
ବସ୍ତର ଆଇଜି ସୁନ୍ଦରରାଜ ପି, ସୁକମା ଏସପି ସୁନୀଲ ଶର୍ମା ଓ ସିଆରପିଏଫ କମାଣ୍ଡାଣ୍ଟ ଜେ.ପି. ବତାଇଙ୍କ ଉପସ୍ଥିତିରେ ମାଓବାଦୀମାନେ ଆତ୍ମସମର୍ପଣ କରିଛନ୍ତି । ନିଜର ସ୍ଥିତି ବଜାଇ ରଖିବା ଲାଗି ବସ୍ତର ଅଞ୍ଚଳରେ ଏବେ ମାଓବାଦୀ ଆଦିବାସୀ ଲୋକଙ୍କ ଉପରେ ଅତ୍ୟାଚାର ଓ ଜୁଲମ୍ କରୁଥିବାରୁ ମାଓ ସଂଗଠନ ଛାଡିଥିବା କରିଛନ୍ତି ଆତ୍ମସମର୍ପଣ କରିଥିବା ମାଓବାଦୀ କହିଛନ୍ତି ।
ଶତାଧିକ ଗାଁ ଲୋକଙ୍କ ସହ ଏମାନେ ସିଆରପିଏଫ କ୍ୟାମ୍ପରେ ପହଞ୍ଚିଥିଲେ । ସେଠାରେ ଯବାନ ମାନେ ପ୍ରଥମେ ଆଦିବାସୀ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ପରେ ସେମାନଙ୍କୁ ଖାଇବା ପିଇବା ଦେଇ ଉତ୍ତମ ବ୍ୟବହାର କରିଥିଲେ । ଏମାନଙ୍କୁ ଦେଖି ଅନ୍ୟ ନକ୍ସଲ ପନ୍ଥୀମାନେ ମଧ୍ୟ ଆଗାମୀ ଦିନରେ ସମାଜର ମୁଖ୍ୟ ସ୍ରୋତରେ ସାମିଲ୍ ହେବେ ବୋଲି ପୋଲିସ ଆଶା ରଖିଛି ।
Comments are closed.