କୋଟା: କୋଟାରୁ ପୁଣି ଏକ ଦୁଃଖଦ ଖବର । କୋଟାରେ ପୁଣି ଗଲା ମେଧାବୀ ଛାତ୍ରୀଙ୍କ ଜୀବନ । ଏଠାରେ କୋଚିଂ ନେଉଥିବା ଜଣେ ଛାତ୍ରୀଙ୍କ ମୃତଦେହ ଗର୍ଲସ ହଷ୍ଟେଲରୁ ଜବତ ହୋଇଛି । ମିଳିଥିବା ସୂଚନା ଅନୁସାରେ, ୧୬ ବର୍ଷର ଏହି ଛାତ୍ରୀ ଜଣକ ୫ ମାସ ତଳେ ଝାରଖଣ୍ଡରୁ ଆସିଥିଲେ । ସେ ଏଠାରେ ନିଟ ପାଇଁ ପ୍ରସ୍ତୁତ ହେଉଥିଲେ ।
ଏହାକୁ ମିଶାଇ ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ୨୪ ଜଣ ମେଧାବୀ ଛାତ୍ର ଆତ୍ମହତ୍ୟା କଲେଣି । କୋଟାର ଛାତ୍ର ଆତ୍ମହତ୍ୟା ଘଟଣା ଏବେ ଚିନ୍ତାର ବିଷୟ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଏକ ରାଜ୍ୟ ସ୍ତରୀୟ କମିଟି ଗଠନ ମଧ୍ୟ କରାଯାଇଛି । ଅନେକ ଗାଇଡଲାଇନ ମଧ୍ୟ ଜାରି କରାଯାଇଛି । ତଥାପି ଆତ୍ମହତ୍ୟା କମିବାର ନାଁ ଧରୁନି ।
ପୋଲିସ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଛାତ୍ରୀ ଜଣକ ଝାରଖଣ୍ଡ ରାଞ୍ଚିର । ସେ କୋଟାରେ ଇଲେକ୍ଟ୍ରୋନିକ୍ସ କମ୍ପ୍ଲେକ୍ସ ସ୍ଥିତ ହଷ୍ଟେଲରେ ରହୁଥିଲେ । ଛାତ୍ର ଜଣକ ଗତକାଲି ସନ୍ଧ୍ୟାରେ ବାହାରକୁ ବାହାରି ନ ଥିଲେ । ତାଙ୍କ ରୁମ କବାଟ ଭିତରୁ ବନ୍ଦ ଥିଲା । ଫଳରେ କବାଟ ଭାଙ୍ଗିବା ପରେ ଜଣାପଡିଥିଲା ଯେ ଛାତ୍ରୀ ଜଣକ ଫାଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ କରାଇଛି ।
କୋଟାର କୋଚିଂ ହବ ଯେମିତି ମୃତ୍ୟୁର ଯନ୍ତା ପାଲଟି ଯାଇଛି । ରାଜସ୍ଥାନ ପୋଲିସର କହିବା ଅନୁସାରେ, ୨୦୨୨ରେ କୋଟାରେ ଆତ୍ମହତ୍ୟା ସଂଖ୍ୟା ଥିଲା ୧୫ । ଏହି ସଂଖ୍ୟା ୨୦୧୯ରେ ୧୮, ୨୦୧୮ରେ ୨୦, ୨୦୧୬ରେ ୧୭, ୨୦୧୫ରେ ୧୮ ଥିଲା । ତେବେ କୋଭିଡ୍-୧୯ ମହାମାରୀ ଯୋଗୁଁ କୋଚିଂ ବନ୍ଦ ଥିବାରୁ ୨୦୨୦ ଓ ୨୦୨୧ରେ କେହି ଛାତ୍ରଛାତ୍ରୀ ଜୀବନ ହରାଇ ନ ଥିବା ଜଣାଯାଇଛି ।
Comments are closed.