Latest Odisha News

BREAKING NEWS

୨୪୭୩ ନୂଆ ଡାକ୍ତରଙ୍କୁ ନିଯୁକ୍ତିପତ୍ର ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟ ସ୍ୱାସ୍ଥ୍ୟସେବା କ୍ୟାଡରରେ ୨୪୭୩ ଜଣ ଡାକ୍ତରଙ୍କୁ ନୂଆ ନିଯୁକ୍ତି ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ ୨୩୯୨ ଏମବିବିଏସ ଡାକ୍ତର ଏବଂ ୮୧ ଦନ୍ତ ଚିକିତ୍ସକଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି । ଓଡ଼ିଶାରେ ସ୍ୱାସ୍ଥ୍ୟ ସେବାକୁ ମଜବୁତ କରିବା ସହ ଡାକ୍ତର ଅଭାବ ସମସ୍ୟା ଦୂର ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମ ଜାରି ରହିଛି।

କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶା ରୂପାନ୍ତରଣରେ ସ୍ବାସ୍ଥ୍ୟସେବା ଏକ ପ୍ରମୁଖ କ୍ଷେତ୍ର। ଓଡ଼ିଶା ଲୋକଙ୍କ ଟଙ୍କାକୁ ଦରମା ଆକାରରେ ଖର୍ଚ୍ଚ କରାଯାଉଛି। ଆପଣଙ୍କୁ ସେମାନଙ୍କ ସେବା କରିବାକୁ ପଡ଼ିବ। ପ୍ରତ୍ୟେକ ରୋଗୀଙ୍କୁ ସକରାତ୍ମକ ମନୋଭାବରେ ଚିକିତ୍ସା କରିବା ଆପଣଙ୍କ ଦାୟିତ୍ବ । ରାଜ୍ୟ ସରକାର ଓଡ଼ିଶାର ସାମଗ୍ରୀକ ବିକାଶ ପାଇଁ ସବୁ କ୍ଷେତ୍ରକୁ ଗୁରୁତ୍ବ ଦେଉଛନ୍ତି। ରୂପାନ୍ତରଣ ପ୍ରତ୍ୟେକ ଲୋକଙ୍କୁ ନୂଆ ସ୍ତରକୁ ନେବା ପାଇଁ କାମ କରାଯାଉଛି। 5T ଉପକ୍ରମରେ ସ୍ବାସ୍ଥ୍ୟକ୍ଷେତ୍ରକୁ ସରକାର ପ୍ରାଧାନ୍ୟ ଦେଉଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ପ୍ରତିଟି ଜୀବନ ମୂଲ୍ୟବାନ। ସୁସ୍ଥ ଓଡ଼ିଶା ଓ ସୁଖୀ ଓଡ଼ିଶା ଗଠନ ନେଇ କାମ କରିବାକୁ ନବ ନିଯୁକ୍ତ ଡାକ୍ତରଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଆଜିର ନିଯୁକ୍ତିକୁ ମିଶାଇ ରାଜ୍ୟରେ ଏପର୍ଯ୍ୟନ୍ତ ୩ ହଜାର ୬୦୦ ମେଡିକାଲ ଅଫିସରଙ୍କୁ ନିଯୁକ୍ତି ଦିଆସରିଲାଣି। ଗତ ନଭେମ୍ବରରେ ପ୍ରାୟ ୪ ହଜାର ନର୍ସିଂ ଅଫିସରଙ୍କୁ ନିଯୁକ୍ତି ଦିଆଯାଇଛି।

ଏହି ଅବସରରେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ମଧ୍ୟ ନବ ନିଯୁକ୍ତ ଡାକ୍ତରଙ୍କୁ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଉତ୍ସର୍ଗୀକୃତ ମନୋଭାବ ନେଇ କାମ କରିବାକୁ ଆହ୍ବାନ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନୂଆ ଓଡ଼ିଶା ଭିଜନରେ ଡାକ୍ତରମାନେ ଅଂଶୀଦାର ହେବାକୁ ଆହ୍ବାନ ଦେଇଛନ୍ତି।

 

Leave A Reply

Your email address will not be published.