Latest Odisha News

BREAKING NEWS

୨୫ ଲକ୍ଷ ସ୍ବୟଂ ସହାୟକ ଗୋଷ୍ଠୀ ମହିଳାଙ୍କ ଦ୍ବାରା ୨୫ ହଜାର ଗ୍ରାମରେ ଖାଦ୍ୟମେଳା

ଭୁବନେଶ୍ବର : ଗ୍ରାମୀଣ ଓଡ଼ିଶାରେ ପୁଷ୍ଟିକର ଖାଦ୍ୟର ପ୍ରସାର ଓ ପ୍ରଚାର ପାଇଁ ଜୀବିକା ମିଶନ ଆନୁକୂଲ୍ୟରେ ୨୫୦୦ ଗ୍ରାମ ପଞ୍ଚାୟତରେ ସପ୍ତାହବ୍ୟାପୀ ‘ଓଡ଼ିଶା ପୁଷ୍ଟି ମହୋତ୍ସବ’ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟବାସୀଙ୍କ ମଧ୍ୟରେ ମୋ ଉପକାରୀ ବଗିଚାର ପ୍ରଚାର ପ୍ରସାର ଏବଂ ଉତ୍ତମ ଓ ପୁଷ୍ଟି ସମ୍ବନ୍ଧୀୟ ସଚେତନତା ସୃଷ୍ଟି ଏହି ମହୋତ୍ସବର ମୂଳ ଲକ୍ଷ୍ୟ ।

ଅକ୍ସଫାମର ରିପୋର୍ଟ ଅନୁଯାୟୀ, ମୋ ଉପକାରୀ ବଗିଚା ଅଧିନରେ ରାଜ୍ୟରେ ୪ ଲକ୍ଷ ୭୪ ହଜାର ପୁଷ୍ଟି ବଗିଚା ସ୍ଥାପନ କରାଯାଇଛି । ୪ ଲକ୍ଷ ୭୦ ହଜାର ସ୍ବୟଂ ସହାୟକ ଗୋଷ୍ଠୀ ମହିଳାଙ୍କୁ ପିଏଲଏ-ଲାନ୍ ଶିକ୍ଷଣୀୟ କାର୍ଯ୍ୟକ୍ରମ ଅଧିନରେ ସ୍ବାସ୍ଥ୍ୟ ଏବଂ ପୁଷ୍ଟି ସମ୍ବନ୍ଧୀୟ ତାଲିମ ପ୍ରଦାନ କରାଯାଇଛି । ମିଶନ ଶକ୍ତି ବିଭାଗ ଅଧିନସ୍ଥ ଓଡ଼ିଶା ଜୀବିକା ମିଶନର ୧୧ ହଜାର ୭୦୪ ଦକ୍ଷ ଗୋଷ୍ଠୀ ଭିତ୍ତିକ କର୍ମଚାରୀ ଗ୍ରାମୀଣ ଓଡ଼ିଶାର ଘରେ ଘରେ ପୁଷ୍ଟି ବଗିଚା ସ୍ଥାପନ ନିମନ୍ତେ ଆବଶ୍ୟକୀୟ ସହାୟତା ପ୍ରଦାନ କରୁଛନ୍ତି ।

ମୋ ଉପକାରୀ ବଗିଚା କାର୍ଯ୍ୟକ୍ରମ ‘ସେଫ୍ ଓ ନ୍ୟୁଟ୍ରି ଫୁଡ୍’ ବର୍ଗରେ ‘ଆଉଟଲୁକ୍ ପୋଷଣ ଆଓ୍ବାର୍ଡ ୨୦୧୯’ ପୁରସ୍କାରରେ ପୁରସ୍କୃତ ହୋଇଛି । ମୋ ଉପକାରୀ ବଗିଚା ମିଶନ ଶକ୍ତି ବିଭାଗର ଏକ ସଫଳ ପ୍ରୟାସ ଏବଂ ଏହାର ସଫଳତା ଆଧାରରେ ମଧ୍ୟପ୍ରଦେଶ ଓ ଝାଡଖଣ୍ଡ ମଧ୍ୟ ସେମାନଙ୍କ ରାଜ୍ୟରେ ଏହାକୁ କାର୍ଯ୍ୟକାରୀ କରିଛନ୍ତି ।

ମିଶନ ଶକ୍ତି ବିଭାଗର କମିଶନର ସୁଜାତା ଆର. କାର୍ତ୍ତିକେୟନ ଏହି ଉତ୍ସବର ସଫଳତାକୁ ନେଇ ଖୁସି ବ୍ୟକ୍ତି କରିଛନ୍ତି । ‘ଓଡ଼ିଶା ପୁଷ୍ଟି ମହୋତ୍ସବ’ ସ୍ବୟଂ ସହାୟକ ଗୋଷ୍ଠୀଙ୍କ ନେତୃତ୍ବରେ ଅନୁଷ୍ଠିତ ଉତ୍ସବ । ଯାହାକି ରାଜ୍ୟର ଘରେ ଘରେ ପୁଷ୍ଟି ସମ୍ବନ୍ଧରେ ସଚେତନତା ସୃଷ୍ଟି କରିଛି । ରାଜ୍ୟରେ ମୋ ଉପକାରୀ ବଗିଚାର ସଫଳତା ପ୍ରଶଂସନୀୟ ବୋଲି କହିଛନ୍ତି ମିଶନ ଶକ୍ତି ବିଭାଗର କମିଶନର ।

Comments are closed.