ସାଙ୍ଗଲି: ମହାରାଷ୍ଟ୍ରର ସାଙ୍ଗଲିର ଏକ ପରିବାରର ୨୫ ଜଣ କରୋନାରେ ଆକ୍ରାନ୍ତ ଥିବା ଜଣାପଡିଛି । ଅବରୁଦ୍ଧ ହୋଇ ଗୋଟିଏ ଘରେ ୨୫ ଜଣ ସଦସ୍ୟ ରହୁଥିବାରୁ ଦ୍ରୁତ ଗତିରେ ସଂକ୍ରମଣ ବ୍ୟାପିଛି ବୋଲି ଜଣେ ଅଧିକାରୀ କହିଛନ୍ତି ।
ପ୍ରାରମ୍ଭରେ ୪ଜଣ ପରିବାର ସଦସ୍ୟ ମାର୍ଚ୍ଚ ୨୩ରେ ସାଉଦି ଆରବରୁ ଫେରିବା ପରେ ତାଙ୍କ କରୋନା ରିପୋର୍ଟ ପଜିଟିଭ ଆସିଲା । ଏହାପରେ ଗୋଟିଏ ସପ୍ତାହରେ ପରିବାରର ୨ ବର୍ଷୀୟ ଶିଶୁ ସମେତ ୨୧ ଜଣ ସଦସ୍ୟ କରୋନାରେ ସଂକ୍ରମିତ ହେଲେ ।
ଯେହେତୁ ସଂକ୍ରମଣ କେବଳ ଗୋଟିଏ ପରିବାରରେ ସୀମିତ ରହିଛି । ସେଥିପାଇଁ ଜିଲ୍ଲା ପ୍ରଶାସନ ଏହାକୁ ‘ସାମାଜିକ ସଂକ୍ରମଣ’ ନୁହେଁ ବୋଲି କହିଛନ୍ତି । ଜିଲ୍ଲାପାଳ ଅଭିଜିତ ଚୌଧୁରୀ ରବିବାର ଦିନ କହିଛନ୍ତି, “ଇସଲାମପୁର ତହସିଲର ଏହି ୨୫ ଜଣିଆ ସଦସ୍ୟ ବିଶିଷ୍ଟ ଯୌଥ ପରିବାର ଗୋଟିଏ ଘରେ ଅବରୁଦ୍ଧ ହୋଇ ରହିଥିବାରୁ ସଂକ୍ରମିତ ହୋଇଯାଇଛନ୍ତି ।”
ତେବେ ମହାରାଷ୍ଟ୍ରରେ ରବିବାର ସୁଦ୍ଧା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୯୬ରେ ପହଞ୍ଚିଛି । ଏନେଇ ମହାରାଷ୍ଟ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ରାଜେଶ ଟୋପେ ରବିବାର ଦିନ କହିଥିଲେ ।