Latest Odisha News

ଗଞ୍ଜେଇ ଜବତ କରିବାକୁ ଯାଇ ହଟହଟା; ୨୬ ପୋଲିସ କର୍ମୀ ଆହତ

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାର ମୋହନା ଅଞ୍ଚଳରେ ୩୦ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ କରି ଫେରୁଥିବା ବେଳେ ଉତ୍ତ୍ୟକ୍ତ ଗ୍ରାମବାସୀଙ୍କ ଆକ୍ରମଣରେ ଅତି କମରେ ୨୬ ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି।

ଗତ ଶୁକ୍ରବାର ଦିନ ମୋହନା ଥାନା ଅଧୀନସ୍ଥ ପିଡିକା ଗ୍ରାମରେ ଏହି ଘଟଣା ଘଟିଛି। ପଥର ଏବଂ ବାଡ଼ି ଧରି ଗ୍ରାମବାସୀମାନେ ୬ ପୋଲିସ ଗାଡ଼ିକୁ କ୍ଷତି ପହଞ୍ଚାଇବା ସହ ରାସ୍ତା ଅବରୋଧ କରିଥିଲେ। ଜୁବା ଏବଂ ପିଡିକା ଗ୍ରାମର ବାସିନ୍ଦାମାନେ ୭୫ ଜଣିଆ ପୋଲିସ ଟିମକୁ କିଛି ଘଣ୍ଟା ଧରି ବନ୍ଧକ ରଖିଥିଲେ।

ସୂଚନାଯୋଗ୍ୟ, ପିଡିକା ଗ୍ରାମରେ ବିପୁଳ ପରିମାଣର ଗଞ୍ଜେଇ ଗଚ୍ଛିତ ଥିବା ଖବର ପାଇ ପୋଲିସ ଚଢାଉ କରିଥିଲା। ଆର ଉଦୟଗିରିର ସବ-ଡିଭିଜନାଲ ପୋଲିସ ଅଧିକାରୀ (ଏସଡିପିଓ) ଅମିତାଭ ପଣ୍ଡାଙ୍କ ନେତୃତ୍ୱରେ ଏକ ଦଳ ଗାଁରେ ଚଢାଉ କରି ପ୍ରାୟ ୩୦ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରିଥିବା ଜଣାପଡ଼ିଛି। ଫେରିବା ବାଟରେ ପୋଲିସ କର୍ମଚାରୀମାନଙ୍କୁ ଗ୍ରାମବାସୀମାନେ ଆକ୍ରମଣ କରି ଜବତ ଗଞ୍ଜେଇ ମଧ୍ୟ ନେଇଯାଇଥିଲେ। ଯାହାପରେ ଗାଁରେ ଅତିରିକ୍ତ ଫୋର୍ସ ପହଞ୍ଚିବା ପରେ ପୋଲିସ କର୍ମଚାରୀମାନଙ୍କୁ ଉଦ୍ଧାର କରାଯାଇଥିଲା।

ଆହତ କର୍ମଚାରୀମାନଙ୍କୁ ମୋହନା ଡାକ୍ତରଖାନାକୁ ନିଆଯାଇଥିବା ବେଳେ ସେମାନେ ବର୍ତ୍ତମାନ ବିପଦମୁକ୍ତ ଥିବା ଜଣାପଡିଛି। ତେବେ ପୋଲିସ ଉପରେ ଆକ୍ରମଣ କରିଥିବା ଲୋକଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଅଧିକାରୀ ସୂଚନା ଦେଇଛନ୍ତି।

Comments are closed.