Latest Odisha News

ପୂର୍ବାଞ୍ଚଳ ପରିଷଦ ବୈଠକରେ ଯୋଗଦେଲେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ

ପାଟନା: ଆଜି ବିହାରର ରାଜଧାନୀ ପାଟନାଠାରେ ପୂର୍ବାଞ୍ଚଳ ପରିଷଦର ୨୬ ତମ ବୈଠକରେ ଯୋଗଦେଇଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ । ଏହି ବୈଠକରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସମେତ ଝାଡ଼ଖଣ୍ଡ, ଓଡ଼ିଶା, ପଶ୍ଚିମବଙ୍ଗ ଓ ବିହାରର ବରିଷ୍ଠ ମନ୍ତ୍ରୀମାନେ ଯୋଗ ଦେଇଥିଲେ । ବୈଠକରେ ଆନ୍ତଃରାଜ୍ୟ ପରିଷଦ ସଚିବାଳୟର ସଚିବ, ସଦସ୍ୟ ରାଜ୍ୟ ଗୁଡ଼ିକର ମୁଖ୍ୟ ଶାସନ ସଚିବ ଏବଂ ରାଜ୍ୟ ସରକାର ଓ କେନ୍ଦ୍ର ମନ୍ତ୍ରଣାଳୟ ତଥା ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଅମିତ ଶାହ କହିଛନ୍ତି ଯେ, ପୂର୍ବାଞ୍ଚଳ ଦେଶର ସାଂସ୍କୃତିକ ରାଜଧାନୀ ହୋଇଥିବାରୁ ପ୍ରାଚୀନ କାଳରୁ ଅନେକ ପ୍ରମୁଖ ଶିକ୍ଷାନୁଷ୍ଠାନର କେନ୍ଦ୍ରସ୍ଥଳୀ ଭାବେ ରହିଆସିଛି । ପୂର୍ବାଞ୍ଚଳରେ ଶିକ୍ଷା କ୍ଷେତ୍ରରେ ଅନେକ ପରୀକ୍ଷଣ କରାଯାଇଛି ଏବଂ ପ୍ରତିଯୋଗିତାମୂଳକ ପରୀକ୍ଷାରେ ମଧ୍ୟ ପୂର୍ବାଞ୍ଚଳର ପିଲାମାନେ ସବୁଠାରୁ ସଫଳ ହେଉଛନ୍ତି ବୋଲି ସେ କହିଥିଲେ । ଗୃହମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ପୂର୍ବାଞ୍ଚଳ ସମଗ୍ର ଦେଶର ଶିଳ୍ପ ବିକାଶର ଭିତ୍ତିପ୍ରସ୍ତର ସ୍ଥାପନ କରିଛି ଏବଂ ସ୍ୱାଧୀନତା ପୂର୍ବରୁ ଏବଂ ପରେ ଦେଶର ପୁନଃବିକାଶରେ ଏହି ଅଞ୍ଚଳର ଅନେକ ଦେଶପ୍ରେମୀ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଛନ୍ତି । ଏହି ଅଞ୍ଚଳ ଖଣିଜ ସମ୍ପଦ ଏବଂ ଜଳରେ ସମୃଦ୍ଧ । ବିହାର, ଓଡ଼ିଶା, ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗ ଭଳି ପୂର୍ବାଞ୍ଚଳ ରାଜ୍ୟ ସମଗ୍ର ଦେଶର ଆବଶ୍ୟକତା ପାଇଁ ପ୍ରାୟ ସମସ୍ତ ଖଣିଜ ସମ୍ପଦ ଯୋଗାଇ ଦେଇଛନ୍ତି ।

ଏହି ବୈଠକରେ ୪ଟି ରାଜ୍ୟ ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଓ ଓଡ଼ିଶା ଶ୍ରେଷ୍ଠ କାର୍ଯ୍ୟ ପଦ୍ଧତି ସମ୍ପର୍କରେ ଭଲ ଉପସ୍ଥାପନା କରିଥିଲେ । ଏହି ଶ୍ରେଷ୍ଠ କାର୍ଯ୍ୟ ପଦ୍ଧତି ଅନ୍ୟ ରାଜ୍ୟମାନଙ୍କୁ ସକାରାତ୍ମକ ପଦକ୍ଷେପ ନେବାକୁ ପ୍ରେରଣା ଯୋଗାଇବ ବୋଲି ସେ କହିଛନ୍ତି । ହାଜିପୁର-ସାଗୌଲି ନୂଆ ରେଳ ଲାଇନ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ କାର୍ଯ୍ୟ ପ୍ରାୟ ଶେଷ ହୋଇଛି ବୋଲି ବୈଠକରେ ସୂଚନା ଦିଆଯାଇଥିଲା । ସେହିପରି ପଶ୍ଚିମବଙ୍ଗରେ ନବଦ୍ୱୀପ ଘାଟ-ନବଦ୍ୱୀପ ଧାମ ନୂଆ ରେଳଲାଇନ ପ୍ରକଳ୍ପ ପାଇଁ ୧୫ କିମି ର ଜମି ଅଧିଗ୍ରହଣ ଆରମ୍ଭ ହୋଇଛି । ଏହାବ୍ୟତୀତ କୃଷ୍ଣନଗର-ନବଦ୍ୱୀପ-ଘାଟ ଗେଜ୍ ରୂପାନ୍ତରଣ ୧୨.୨ କିମି ର ସମ୍ପୂର୍ଣ୍ଣ ଫେଜ୍‌ ଅର୍ଥାତ୍ କୃଷ୍ଣନଗର-ଅମଘାଟା ୮.୩୦ କିମି ରେ କାମ ଆରମ୍ଭ ହୋଇଛି ।

ବିହାରରେ ହୋଇଥିବା ଜାତିଭିତ୍ତିକ ଜନଗଣନା ସମ୍ପର୍କରେ ଗୃହ ଓ ସମବାୟ ମନ୍ତ୍ରୀ କହିଛନ୍ତି, ଯେତେବେଳେ ତାଙ୍କ ଦଳ ବିହାରରେ କ୍ଷମତାରେ ଅଂଶୀଦାର ଥିଲା ସେତେବେଳେ ସେ ଜାତିଭିତ୍ତିକ ଜନଗଣନାକୁ ସମର୍ଥନ କରିଥିଲେ ଏବଂ ରାଜ୍ୟପାଳ ମଧ୍ୟ ଏହି ବିଲକୁ ଅନୁମୋଦନ କରିଥିଲେ । ଜାତିଭିତ୍ତିକ ଜନଗଣନାକୁ ନେଇ କିଛି ସମସ୍ୟା ରହିଛି ଏବଂ ରାଜ୍ୟ ସରକାର ଏହାର ସମାଧାନ କରିବେ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି । ଜାତିଭିତ୍ତିକ ସର୍ବେକ୍ଷଣରେ ବାଧା ସୃଷ୍ଟି କରିବାକୁ କେନ୍ଦ୍ର ସରକାରଙ୍କର କୌଣସି ଉଦ୍ଦେଶ୍ୟ ନଥିଲା ବୋଲି ସେ କହିଛନ୍ତି ।

କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି ଯେ ଆଞ୍ଚଳିକ ପରିଷଦ ବୈଠକର ଭୂମିକା ଉପଦେଷ୍ଟାଙ୍କ ଭଳି ହୋଇଥିଲେ ମଧ୍ୟ ଗୃହମନ୍ତ୍ରୀ ଭାବରେ ସାଢ଼େ ଚାରି ବର୍ଷର ଅଭିଜ୍ଞତା ଆଧାରରେ ସେ କହିପାରିବେ ଯେ ପରିଷଦ ଏବଂ ଏହାର ଷ୍ଟାଣ୍ଡିଂ କମିଟିର ବୈଠକକୁ ଗୁରୁତ୍ୱ ଦେଇ ଅନେକ ସମସ୍ୟାର ସମାଧାନ କରିବାରେ ଆମେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛୁ । ୧୭ ଜୁନ୍ ୨୦୨୩ ରେ ଅନୁଷ୍ଠିତ ଷ୍ଟାଣ୍ଡିଂ କମିଟିର ତ୍ରୟୋଦଶ ବୈଠକରେ ସମୁଦାୟ ୪୮ଟି ପ୍ରସଙ୍ଗ ଉପରେ ଗଭୀର ଭାବରେ ଆଲୋଚନା ହୋଇଥିବା ବେଳେ ସେଥିମଧ୍ୟରୁ ସଦସ୍ୟ ରାଜ୍ୟଗୁଡ଼ିକର ମୁଖ୍ୟ ଶାସନ ସଚିବ ଏବଂ ରାଜ୍ୟ ଓ କେନ୍ଦ୍ରର ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ଆଲୋଚନା ପରେ ପାରସ୍ପରିକ ସହମତିରେ ସମୁଦାୟ ୨୮ଟି ପ୍ରସଙ୍ଗର ସମାଧାନ କରାଯାଇଥିଲା । ଆଜିର ବୈଠକରେ ମୋଟ ୨୧ଟି ପ୍ରସଙ୍ଗରେ ଆଲୋଚନା ହୋଇଥିଲା ।

 

Comments are closed.