Latest Odisha News

BREAKING NEWS

କୋଣାର୍କ ମହୋତ୍ସବର ଦ୍ଵିତୀୟ ସନ୍ଧ୍ୟା; ମୁକ୍ତାକାଶ ରଙ୍ଗମଞ୍ଚରେ ଦର୍ଶକଙ୍କୁ ବିଭୋର କରିବ ଶାସ୍ତ୍ରୀୟ ନୃତ୍ୟ

ପୁରୀ: ଅନ୍ତର୍ଜାତୀୟ କୋଣାର୍କ ମହୋତ୍ସବର ଆଜି ଦ୍ବିତୀୟ ସନ୍ଧ୍ୟା । ଆଗାମୀ ୫ ଦିନ ଧରି କୋଣାର୍କ ମୁକ୍ତାକାଶ ରଙ୍ଗ ମଞ୍ଚରେ ପରିବେଷଣ କରାଯିବ ଓଡିଶୀ, ଭାରତନାଟ୍ୟମ, କଥକଲି, ମୋହିନିଅଟ୍ଟମ, କୁଚିପୁଡି, କଥକ ପରି ଶାସ୍ତ୍ରୀୟ ନୃତ୍ୟ ।

ଶାସ୍ତ୍ରୀୟ ନୃତ୍ୟ ସହ ଚନ୍ଦ୍ରଭାଗାରେ ଆୟୋଜନ କରାଯାଇଛି ଅନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବ । ଏଥିରେ ୪୧ଟି ଷ୍ଟଲ ରହିଛି । ଭାରତ ସମେତ ୬ଟି ଦେଶର ବାଲୁକା ଶିଳ୍ପୀ ଏଥିରେ ଭାଗନେଇଛନ୍ତି । ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିବା ପାଇଁ ଅର୍କକ୍ଷେତ୍ର କୋଣାର୍କକୁ ଭଳିକି ଭଳି ଆକର୍ଷଣୀୟ ତୋରଣ ଏବଂ ରଙ୍ଗୀନ ଆଲୋକରେ ସଜା ଯାଇଛି ।

କୋଣାର୍କ ମନ୍ଦିର ପାଦଦେଶରେ ମୁକ୍ତାକାଶ ରଙ୍ଗମଞ୍ଚରେ ଆରମ୍ଭ ହୋଇଥିବା ଏହି ଭବ୍ୟ ଉତ୍ସବକୁ ରାଜ୍ୟପାଳ ଗଣେଶୀ ଲାଲ ଉଦଘାଟନ କରିଥିଲେ। ଉଦଘାଟନୀ ସନ୍ଧ୍ୟା ଥିଲା ବେଶ ମନୋରମ।

ପ୍ରଥମ ସନ୍ଧ୍ୟାରେ ଗୁରୁ ରତିକାନ୍ତ ମହାପାତ୍ରଙ୍କ ସଂଯୋଜନାରେ ସୃଜନର ଶିଳ୍ପୀ ମଞ୍ଚସ୍ଥ କରିଥିଲେ ବନ୍ଦେ ସୂର୍ଯ୍ୟମ୍ । ପରେ ଆଦିତ୍ୟ ନାରାୟଣ ଅର୍ଚ୍ଚନା ହଂସଧୋନୀ ପଲବୀ ସୁଦ୍ଧ ପରିବେଷଣ କରିଥିଲେ । ଶେଷରେ ଭାରତୀ ସ୍ତୋତମ ଓ ବନ୍ଦେ ମାତରମ୍ ଦର୍ଶକଙ୍କୁ ମନ୍ତ୍ର ମୁଗ୍ଧ କରିଥିଲା l ଦ୍ବିତୀୟ ଚରଣରେ ପ୍ରସିଦ୍ଧ କଥକ ନୃତ୍ୟଶିଳ୍ପୀ ସମା ଭଟେ ସୂର୍ଯ୍ୟ ବନ୍ଦନା ପ୍ରସ୍ତୁତ କରିଥିଲେ । ସମା ଭଟେ ଓ ସାଥିଗଣ ଚତୁରଙ୍ଗର ସୁଦ୍ଧ ରୁପକୁ ନୃତ୍ୟ ଛନ୍ଦରେ ତୋଳି ଧରିଥିଲେ ।

କୋଣାର୍କ ମହୋତ୍ସବ ଦେଖିବାକୁ ଦର୍ଶକ ଗ୍ୟାଲେରୀରେ ମଧ୍ୟ ଖଚାଖଚ ଭିଡ଼ ପରିଲିକ୍ଷିତ ହୋଇଥିଲା ।

ଉଦଘାଟନୀ ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କ ସହ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଏବଂ କ୍ରୀଡ଼ାମନ୍ତ୍ରୀ ତୁଷାର କାନ୍ତି ବେହେରା ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବର ଉଦଘାଟନ କରିଥିଲେ ।

Leave A Reply

Your email address will not be published.