ଢେଙ୍କାନାଳ: କାଳବୈଶାଖୀ ବେଳେ ନିଜକୁ ସୁରକ୍ଷିତ ରଖିବାକୁ ଯାଇ ପ୍ରାଣ ହରାଇଲେ ତିନି ଜଣ। କିଏ ଗଛ ତଳେ ତ ଆଉ କିଏ ସ୍କୁଲ ପିଣ୍ଡାରେ ଆଶ୍ରୟ ନେଇଥିଲେ କିନ୍ତୁ ବଜ୍ରପାତ ନେଇଯାଇଛି ତିନି ଜୀବନ। ଶନିବାର ସନ୍ଧ୍ୟା ୫ଟା ସମୟରେ ଢେଙ୍କାନାଳରେ କାଳବୈଶାଖୀର ତାଣ୍ଡବଲୀଳା ଦେଖିବାକୁ ମିଳିଛି। ଯେଉଁସମୟରେ ଅକଳରେ ତିନି ଜଣଙ୍କ ମୃତ୍ୟୁ ଘଟିଛି।
ବିଜୁଳି ମାରିବାରୁ ଗଁଦିଆ ବ୍ଲକ ଅନ୍ତର୍ଗତ ଦେଓଗାଁ ପଞ୍ଚାୟତ ଅଧିନସ୍ଥ ଦେଓଗାଁ ଗ୍ରାମରେ ଥିବା ଏକ ବିଦ୍ୟାଳୟ ପିଣ୍ଡାରେ ପାଞ୍ଚ ଜଣ ଲୋକ ଆଶ୍ରୟ ନେଇଥିବା ବେଳେ ଅଘଟଣ ଘଟିଛି। ପିଣ୍ଡାରେ ଆଶ୍ରୟ ନେଇଥିବା ବେଳେ ଜଗତ ଦେହୁରୀଙ୍କ ଘଟଣା ସ୍ଥାନରେ ମୃତ୍ୟୁ ହୋଇଥିବା ବେଳେ ଗୁରୁତର ତିନିଜଣଙ୍କୁ ଜିଲ୍ଲା ମୁଖ୍ୟ ଚିକତ୍ସାଳୟରେ ଭର୍ତ୍ତି କରାଯାଇଛି। ଏପରିକି ବିଦ୍ୟାଳୟ ଓ ତାର ସୁରକ୍ଷା ପାଚେରୀ ବଜ୍ରପାତରେ ନଷ୍ଟ ହୋଇଯାଇଛି।
ସେହିପରି ଅନ୍ୟ ଦୁଇଜଣ ବ୍ୟକ୍ତି ସଦର ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତ ଅଧିନସ୍ଥ ପାଞ୍ଚକାହାନୀୟା ଅଞ୍ଚଳରେ ମଇଁଷି ଚରେଇବାକୁ ଯାଇ କାଳ ବୈଶାଖୀ ବଜ୍ରପାତର ଶିକାର ହୋଇ ପ୍ରାଣ ହରାଇଛନ୍ତି। ମୃତକ ଦୁଇ ଜଣ ନଢଣପୁର ବାସିନ୍ଦା ପଙ୍କଜ ଦେହେରାଙ୍କ ପୁଅ ପ୍ରକାଶ କୁମାର ବେହେରା(୪୫) ଓ ବନ୍ଧୁ ବେହେରାଙ୍କ ପୁଅ ଶଙ୍କର୍ଷଣ ବେହେରା (୭୦)। ପଳାଶ ଗଛମୂଳରେ ଆଶ୍ରୟ ନେଇଥିବା ସମୟରେ କାଳବୈଶାଖୀର ବଜ୍ରପାତ ଶିକାର ହୋଇ ଗଛମୂଳରେ ମୃତ୍ୟୁ ହୋଇଛି।
ସେହିପରି କାଳବୈଶାଖୀ ବେଳେ ପ୍ରବଳ ବେଗରେ ପବନ ବୋହିବାରୁ ଅନେକ ସ୍ଥାନରେ ଗଛ ଉପୁଡି ରାସ୍ତା ଅବରୋଧ ହୋଇଯାଇଛି । ସେହିପରି ଅନେକ ସ୍ଥାନରେ ଘରର ଛପର ସହିତ ଅନେକ ନଷ୍ଟ ହୋଇଯାଇଛି। ସହରାଞ୍ଚଳରେ ଥିବା ଟାଉନ ଥାନା, ମୀନା ବଜ଼ାର, ବାଜିଚୌକ, କୁଞ୍ଜକାନ୍ତ ଓ ଆରଆଇ ଅଫିସ ପ୍ରଭୃତି ସ୍ଥାନରେ ଭାଙ୍ଗି ପଡ଼ିଥିବା ଗଛ ଗୁଡିକୁ ଜିଲ୍ଲା ମୁଖ୍ୟ ଅଗ୍ନିଶମ ବିଭାଗର କର୍ମଚାରୀ ଆସି ରାସ୍ତା ପରିସ୍କାର କରୁଛନ୍ତି।
Comments are closed.