Latest Odisha News

ନକଲି ପ୍ରମାଣପତ୍ର ଦେଖାଇ ସଂସଦକୁ ପଶିବାକୁ ଉଦ୍ୟମ, ୩ ଜଣଙ୍କୁ ବାନ୍ଧିଲା ସଂସଦ ପୋଲିସ

ନୂଆଦିଲ୍ଲୀ: ପୁଣି ସଂସଦ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ।ନକଲି ଆଧାରକାର୍ଡ ଦେଖାଇ ପଶିଲେ ଦୁବୃର୍ତ୍ତ । ରାଜଧାନୀ ଦିଲ୍ଲୀର ପୁରୁଣା ସଂସଦର ସୁରକ୍ଷା ଭଙ୍ଗ କରୁଥିବା ତିନି ଜଣଙ୍କୁ ଗିରଫ କରିଛି ପୋଲିସ ।

ସୂଚନା ଅନୁଯାୟୀ, ପୁରୁଣା ସଂସଦ ଭବନରେ ୩ ଜଣ ଦୁବୃର୍ତ୍ତ ପଶିଥିଲେ। ଏହି ତିନିଜଣଙ୍କର କାଜୁଆଲ ଏଣ୍ଟ୍ରି ପାସ ଥିଲା। ଗେଟ ନମ୍ବର ତିନିରେ ସଂସଦର ସୁରକ୍ଷା ପାଇଁ ନିୟୋଜିତ ହୋଇଥିବା ଏଏସଆଇ ଅନୀଲ କୁମାର ତିନିଜଣଙ୍କୁ ସନ୍ଦେହଜନକ ଭାବେ ଯାଞ୍ଚ ପାଇଁ ଅଟକାଇ ସେମାନଙ୍କୁ କାଜୁଆଲ ପାସ ବ୍ୟତୀତ ଅନ୍ୟ ପରିଚୟ ପତ୍ର ମାଗିଥିଲେ। ଏହାପରେ ଅଭିଯୁକ୍ତମାନେ ନିଜର ଆଧାର କାର୍ଡ ଦେଖାଇଥିଲେ । ଆଧାର କାର୍ଡ ସମାନ ଥିଲା, କିନ୍ତୁ ଏଥିରେ ଭିନ୍ନ ଭିନ୍ନ ଫଟୋଗ୍ରାଫ ରହିଥିଲା। ଅଭିଯୁକ୍ତମାନେ ଆଧାର କାର୍ଡରେ ଜାଲିଆତି କରି ସଂସଦରେ ପସିବାକୁ ଚେଷ୍ଟା କରିଥିଲେ । ଏହି ୩ ଜଣ ଅଭିଯୁକ୍ତମାନେ ହାସିପୁରର ସୋଏବ, କାସୀମ ଏବଂ ଆମ୍ରୋହା ନିବାସୀ ମୋନିସ ବୋଲି ଜଣାପଡିଛି । ଏମାନଙ୍କ ମଧ୍ୟରୁ ଜଣଙ୍କର ପରିଚୟ ନଥିଲା, ତେଣୁ ସେ ଅନ୍ୟ ଜଣ ସହକର୍ମୀଙ୍କ ଆଧାର କାର୍ଡକୁ ଟ୍ୟାମ୍ପରିଂ କରି ନିଜ ପାଇଁ ବ୍ୟବହାର କରିଥିଲା। ତେବେ ଯେତେବେଳେ କାସୀମ ଏବଂ ମୋନିସ ସମାନ ଆଧାରକାର୍ଡ ଦେଖାଇଥିଲେ ସେତେବେଳେ ତିନିଜଣ ଘଟଣାସ୍ଥଳରେ ଧରାପଡିଥିଲେ। ପରେ ଏହା ଜଣାପଡ଼ିଲା ଯେ ଏହି ତିନି ଜଣ ସେଠାରେ କାର୍ଯ୍ୟରତ ଶ୍ରମିକ ଥିଲେ। ଏହି ତିନିଜଣଙ୍କର ବୟସ ପ୍ରାୟ ୧୮ବର୍ଷ ଏବଂ ସେମାନେ ପାର୍ଲାମେଣ୍ଟ ଗୃହରେ କଣ୍ଟ୍ରାକ୍ଟର ଶାହନାୱାଜ ଆଲାମଙ୍କ ଅଧୀନରେ କାର୍ଯ୍ୟ କରୁଥିଲେ।

ପୋଲିସର ସୂଚନାନୁସାରେ, ପାର୍ଲାମେଣ୍ଟ ଥାନାରେ ତିନି ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜ୍ଜୁ ହେବା ସହ ତଦନ୍ତ ଆରମ୍ଭ ହୋଇଛି। ଏହି ମାମଲା ସଂସଦର ସୁରକ୍ଷା ସହ ଜଡିତ ଥିବାରୁ ସ୍ଥାନୀୟ ପୋଲିସ ବ୍ୟତୀତ ଅନ୍ୟ ସୁରକ୍ଷା ଏଜେନ୍ସିମାନେ ମଧ୍ୟ ଅଭିଯୁକ୍ତଙ୍କୁ ଅଧିକ ପଚରାଉଚରା ଜାରି ରଖିଛନ୍ତି।

Comments are closed.