Latest Odisha News

ଚାକିରି ପାଇଁ ନକଲି ସାର୍ଟିଫିକେଟ, ଥାନାରେ ମାମଲା ପରେ ତିନି ଶିକ୍ଷକ ଫେରାର

ବଲାଙ୍ଗୀର: ଶିକ୍ଷକ ଚାକିରିରେ ନିଯୁକ୍ତି ପାଇବାକୁ ଜାଲ ସାର୍ଟିଫିକେଟ୍ ଦେଇଥିବା ଅଭିଯୋଗରେ ୩ ଜଣ ସ୍କୁଲ୍ ଶିକ୍ଷକ ଏବେ ଫେରାର୍ ହୋଇଯାଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ବଲାଙ୍ଗୀର ଜିଲ୍ଲା ଶିକ୍ଷାଧିକାରୀ ୪ ଜଣ ଶିକ୍ଷକଙ୍କ ବିରୋଧରେ ନକଲି ସାର୍ଟିଫିକେଟ୍ ଦାଖଲ ନେଇ ଥାନାରେ ଅଭିଯୋଗ କରିଥିଲେ। ଏପରିକି ଶିକ୍ଷକମାନଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିବା ପାଇଁ ବିଦ୍ୟାଳୟର ପ୍ରଧାନ ଶିକ୍ଷକମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଗତ ୧୦ ବର୍ଷ ଧରି ଜିଲ୍ଲାର ପୁଇଁତଳା ବ୍ଲକର ଏକ ହାଇସ୍କୁଲରେ ହିନ୍ଦୀ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରୁଥିବା ମୃଣ୍ମୟୀ ପଣ୍ଡାଙ୍କୁ ପୁଲିସ ଗିରଫ କରିଥିଲା।

ଅନ୍ୟ ୩ ଜଣ ଶିକ୍ଷକ ହେଲେ ବେଲପଡା ବ୍ଲକ ଅନ୍ତର୍ଗତ ସୁରେଇକେଲା ହାଇସ୍କୁଲର ବିରଞ୍ଚି ପ୍ରସାଦ ନାୟକ, ସଇଁତଳା ବ୍ଲକ ଅନ୍ତର୍ଗତ ଗଣପତିପଲ୍ଲୀ ହାଇସ୍କୁଲର ସଞ୍ଜୀବମଣି ମହାନନ୍ଦ ଓ ବଙ୍ଗମୁଣ୍ଡା ସରକାରୀ ବାଳିକା ହାଇସ୍କୁଲର ଆଲମା ଟପ୍ପୋ।

ପୋଲିସ ପଚରାଉଚରା କରିବା ପୂର୍ବରୁ ତିନିଜଣ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିବାରୁ ସେମାନେ ଗିରଫ ହେବା ଭୟରେ ଚମ୍ପଟ ମାରିଛନ୍ତି।

ସୂଚନାଯୋଗ୍ୟ ଯେ, ୬ ମାସ ତଳେ ଜିଲ୍ଲାରେ ଏକ ସଙ୍ଗଠିତ ନକଲି ସାର୍ଟିଫିକେଟ୍ ରାକେଟ୍ ଠାବ ହେବା ପରେ କର୍ତ୍ତୃପକ୍ଷ ଶିକ୍ଷକ ଓ ଅନ୍ୟମାନେ ଦାଖଲ କରିଥିବା ସାର୍ଟିଫିକେଟ୍ଗୁଡ଼ିକର ପୁଙ୍ଖାନୁପୁଙ୍ଖ ଯାଞ୍ଚ କରୁଛନ୍ତି।

Comments are closed.