ସୁନ୍ଦରଗଡ଼: ପରକୀୟା ପ୍ରୀତିରୁ ଗୋଷ୍ଠୀ ସଂଘର୍ଷ । ଗଡ଼ିଲା ୫ ମୁଣ୍ଡ । ସୁନ୍ଦରଗଡ ସଦର ଥାନା କରମଡିହି ଗୀତାପଡ଼ାରେ ଗୋଷ୍ଠୀ ସଂଘର୍ଷ । ମଧ୍ୟରାତ୍ରରେ ୨ ଯାଯାବର ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷରୁ ରକ୍ତପାତ । ଘଟଣାସ୍ଥଳରେ ୪ ପ୍ଲାଟୁନ ଫୋର୍ସ ମୁତୟନ । ତେବେ ପରକୀୟା ପ୍ରୀତିରୁ ଯାଯାବର ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିବା ନେଇ ସୂଚନା ମିଳିଛି ।
ସୂଚନା ଅନୁସାରେ, ଗତ କିଛି ମାସ ହେବ ମହାରାଷ୍ଟ୍ରର ୱାର୍ଦ୍ଧା ଅଞ୍ଚଳର ଏକ ଯାଯାବର ଦଳ ଆସି ସଦର ଥାନା କରମଡିହି ନିକଟରେ ତମ୍ବୁ ଘରେ ରହୁଥିଲେ । ସେମାନଙ୍କ ମଧ୍ୟରେ ଥିବା ଅବିନାଶ ପାୱାର ନାମକ ଜଣେ ଯୁବକଙ୍କ ପତ୍ନୀକୁ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ ଗତ କିଛି ଦିନ ହେବ ସଂଘର୍ଷ ଲାଗିରହିଥିଲା । ଗତକାଲି ରାତି ପ୍ରାୟ ୧୧ଟା ବେଳେ ସମସ୍ତେ ଶୋଇଥିବା ବେଳେ ହଠାତ୍ କିଛି ଲୋକ ଆସି ଏମାନଙ୍କ ଉପରେ ଭୁଜାଲି ଦ୍ବାରା ଆକ୍ରମଣ କରିଥିଲେ । ଫଳରେ ଘଟଣାସ୍ଥଳରେ ୩ ମହିଳା ଓ ୨ ଜଣ ପୁରୁଷଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ୨ ଜଣ ଗୁରୁତର ଅଛନ୍ତି । ଗୁରୁତର ମାନଙ୍କୁ ମେଡିକାଲ୍ରେ ଭର୍ତ୍ତି କରିଛି ପୋଲିସ । ତେବେ ଆକ୍ରମଣକାରୀ ଗୋଷ୍ଠୀ ଜଣେ ମହିଳା ଓ ୨ ଶିଶୁଙ୍କୁ ନେଇ ଫେରାରନ ହୋଇଯାଇଛି । ପ୍ରାଥମିକ ସୂଚନା ଅନୁସାରେ ଉକ୍ତ ମହିଳା ଜଣଙ୍କ ଅବିନାଶ ପାୱାରଙ୍କ ଦ୍ଵିତୀୟ ପତ୍ନୀ । ଅନ୍ୟ ଗୋଷ୍ଠୀର ଜଣେ ଯୁବକଙ୍କ ସହ ତାଙ୍କ ପତ୍ନୀଙ୍କର ପରକିୟା ପ୍ରୀତି ଥିବା ନେଇ କୁହାଯାଉଛି । ତେବେ ଘଟଣାସ୍ଥଳରେ ଡିଆଇଜି ଓ ଏସ୍ପି ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ହତ୍ୟାକାଣ୍ଡ ପରେ ଘଟଣାସ୍ଥଳରେ ୪ ପ୍ଲାଟୁନ ଫୋର୍ସ ମୁତୟନ ।