Latest Odisha News

ଇଣ୍ଡିଆ ବୁକ୍ ଅଫ ରେକର୍ଡରେ ସାମିଲ ହେଲେ ୩ ବର୍ଷର ଗୋକୁଲ

କନ୍ଧମାଳ: ବୟସ ମାତ୍ର ୩ ବର୍ଷ ହେଲେ ବୁଦ୍ଧି ଆଉ ସ୍ମରଣଶକ୍ତି ବିଚକ୍ଷଣ । ଯାହା ବି ଥରେ ଜାଣିନିଅନ୍ତି ତାକୁ ସବୁଦିନ ପାଇଁ ନିଜ ମୁଣ୍ଡ ଭିତରେ କଏଦ୍ କରିଦିଅନ୍ତି । ବର୍ଣ୍ଣମାଳା,ପଶୁପକ୍ଷୀଙ୍କ ନାମ ଏବଂ ବିଭିନ୍ନ ସଂଖ୍ୟା ଯେଉଁଠି କିଛି ତାଙ୍କ ବୟସର ପିଲାଙ୍କ ପାଇଁ କାଠିକର ପାଠ । ସେଠି ସିଏ ନିର୍ଭୁଲ ଓ ଅନର୍ଗଳ ଭାବେ ସବୁ କିଛି ଫଟାଫଟ କହିପକାଉଛନ୍ତି । ତୁଳସୀ ଦୁଇ ପତ୍ରରୁ ବାସିଲା ଭଳି ମାତ୍ର ୩ ବର୍ଷ ବୟସରେ ସେ ଆଜି ଇଣ୍ଡିଆ ବୁକ୍ ଅଫ ରେକର୍ଡ ସମ୍ମାନରେ ସମ୍ମାନିତ ହୋଇଛନ୍ତି  ।

ଆମେ କହୁଛୁ, କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଗୋକୁଳ ପୋଖରାଜ ପାଢିଙ୍କ କଥା । ବୟସ ତାଙ୍କର ୩ ବର୍ଷ । ହେଲେ ଏହି ବୟସରେ ଅଗାଢ ଜ୍ଞାନର ଅଧିକରୀ ସେ । ସବୁ ରାଜ୍ୟର ରାଜଧାନୀ ଠାରୁ ଆରମ୍ଭ କରି ଯେକୌଣସି ବି ସାଧାରଣଜ୍ଞାନ, ଐତିହାସିକ ସ୍ଥାନର ନାମ, କମ୍ପ୍ୟୁଟର ବୈଷୟିକ ଜ୍ଞାନ ସବୁ କିଛି ତାଙ୍କ ଜିଭ ଅଗରେ । ଶରୀରର ୩୩ ପାର୍ଟସ, ୧୨ ପର୍ବପର୍ବାଣୀ, ୨୩ ଯାନବାହାନ, କମ୍ପ୍ୟୁଟରର ୧୯ଟି ପାର୍ଟସ, ୧୭ଟା ଗୃହପାଳିତ ପଶୁ, ୧୬ ଜଳଚରଙ୍କ ନାମ, ୧୬ଟି ଐତିହାସିକ କୀର୍ତ୍ତି, ୧୬ଟି ବୃତ୍ତି, ୬ ଋତୁ, ୭ ଧର୍ମ, ୮ ଭଲ ଅଭ୍ୟାସ, ୬ଟା ନର୍ସରୀ ରାଇମ, ୨୬ଟି ଇଂରାଜୀ ବର୍ଣ୍ଣମାଳା ତାହା ପୁଣି ଶବ୍ଦ ସହିତ, ୧୫ଟି ସାଧାରଣଜ୍ଞାନ, ଏ ସବୁ କିଛିର ଉତ୍ତର ସେ ମାତ୍ର ୩ ବର୍ଷ ୩ ମାସ ବୟସରେ ଦେଇପାରୁଛନ୍ତି ।

ଯାହାକୁ ନେଇ ତାଙ୍କ ପିତାମାତା ଗର୍ବ ଅନୁଭବ କରୁଛନ୍ତି । ଏନେଇ ଗୋକୁଳଙ୍କ ବାପା କହିଛନ୍ତି, ଏ ସବୁ ଗୋକୁଳଙ୍କ ମାଆଙ୍କ ପାଇଁ ହୋଇପାରିଛି, ସେ ତାଙ୍କୁ ସବୁ କିଛି ଶିଖାଇଛନ୍ତି । ଆଗକୁ ଆମ ପୁଅ ଜଣେ ଡାକ୍ତର ହେବାକୁ ଚାହୁଁଛି । ଏନେଇ ମାଆ କୁହନ୍ତି, ଛୁଆ ବେଳୁ ହିଁ ଧୁରନ୍ଧର ଥିଲେ ଗୋକୁଳ, ମାଆ ପ୍ରାର୍ଥନା କରିବା ସମୟରେ ସେ ମନ୍ତ୍ରଟିକୁ ଶୁଣି ଗାଇବାକୁ ଲାଗୁଥିଲେ । ଯାହା ପରେ ମାଆ ତାଙ୍କୁ ଧିରେ ଧିରେ ସବୁ କିଛି ବିଷୟରେ ଶିଖାଇବାକୁ ଲାଗିଥିଲେ, ଆଉ ଗୋକୁଳ ବି ଫଟାଫଟ ସବୁ କିଛି ମନେରଖୁଥିଲେ । ତାହା ପରେ ସେମାନେ ଗୋକୁଳଙ୍କ ଏହି ଜ୍ଞାନ ପାଇଁ ରେକର୍ଡ ବୁକରେ ଆବେଦନ କରିଥିଲେ । ଗତବର୍ଷରୁ ସେ ଏଥିପାଇଁ ପ୍ରସ୍ତୁତ ହେଉଥିଲେ । ଆଉ ଏବର୍ଷରେ ତାଙ୍କୁ ଇଣ୍ଡିଆ ବୁକ୍ ଅଫ ରେକର୍ଡ ମିଳିଛି ।

Comments are closed.