Latest Odisha News

BREAKING NEWS

ସେଞ୍ଚୁରିଅନ୍ ବିଶ୍ବବିଦ୍ୟାଳୟର ୧୩ତମ ସମାବର୍ତ୍ତନ ଉତ୍ସବ; ୩୦୫୯ ଜଣଙ୍କୁ ଡିଗ୍ରୀ ପ୍ରଦାନ

ନିଯୁକ୍ତି ପଛରେ ନପଡ଼ି, ନିଯୁକ୍ତିଦାତା ହୁଅ: ରାଜ୍ୟପାଳ

ଭୁବନେଶ୍ୱର: ସେଞ୍ଚୁରିଅନ୍ ବିଶ୍ବବିଦ୍ୟାଳୟ ପକ୍ଷରୁ ୧୩ତମ ସମାବର୍ତ୍ତନ ଉତ୍ସବ ଆୟୋଜିତ ହୋଇଥିଲା।

ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ଯପାଳ ଡ. ହରିବାବୁ କମ୍ଭମପତି ଯୋଗଦେଇ କହିଥିଲେ ଯେ, ନୂତନତାକୁ ଆପଣେଇବା ଓ ବୃହତ୍ତର କଲ୍ୟାଣ ପାଇଁ ପ୍ରଯୁକ୍ତିବିଦ୍ୟାର ଉପଯୋଗ କରିବାକୁ ପଡ଼ିବ। ଆଜିର ଛାତ୍ରଛାତ୍ରୀ ଦେଶର ଭବିଷ୍ୟତ। ସେମାନେ ଦେଶର ପ୍ରଯୁକ୍ତିବିଦ୍ୟା ଓ ସାମାଜିକ ଦୃଶ୍ୟପଟ୍ଟକୁ ଆକାର ଦେବା ପାଇଁ ନେତୃତ୍ବ ନେବାକୁ ପଡ଼ିବ। ଛାତ୍ରଛାତ୍ରୀମାନେ ପାଠପଢ଼ା ସହ ଗବେଷଣାକୁ ଗୁରୁତ୍ୱ ଦେବା ଆବଶ୍ୟକ, ଯାହା ସମସ୍ତଙ୍କ ବିକାଶ ଓ ଅଭିବୃଦ୍ଧିରେ ସହାୟକ ହୋଇପାରିବ।

ରାଜ୍ୟପାଳ ଡ. ହରିବାବୁ କମ୍ଭମପତି ସେଞ୍ଚୁରିଅନ ବିଶ୍ବବିଦ୍ୟାଳୟର ଦକ୍ଷତା ସମନ୍ଵିତ ମଡେଲକୁ ପ୍ରଶଂସା କରି କହିଥିଲେ, ଏହା କେବଳ ଛାତ୍ରଛାତ୍ରୀଙ୍କ ପାଇଁ ଦୃଢ଼ ଉଦ୍ୟୋଗୀ ପରିବେଶ ସୃଷ୍ଟି କରୁଛି ତା ନୁହେଁ ବରଂ ଛାତ୍ରଛାତ୍ରୀଙ୍କୁ ନୂତନ ଚିନ୍ତାଧାରା, ନିର୍ମାଣ ଓ ସମସ୍ୟାର ସମାଧାନକୁ ଗୁରୁତ୍ୱ ଦେଉଛି। ବିଶ୍ବବିଦ୍ୟାଳୟର ପ୍ରଶିକ୍ଷଣ ଇକୋସିଷ୍ଟମ୍, ଇନକ୍ୟୁବେଟର ଓ ଶିଳ୍ପ ସଂଯୁକ୍ତ ଶିକ୍ଷାଦାନ ଛାତ୍ରଛାତ୍ରୀଙ୍କୁ ଅଧିକ କ୍ୟାରିୟର ସୁଯୋଗ ସୃଷ୍ଟି କରୁଛି। ଛାତ୍ରଛାତ୍ରୀ ଉଦ୍ୟୋଗିକତା ପ୍ରତି ଆଗ୍ରହ ପ୍ରକାଶ କରନ୍ତୁ। ନିଯୁକ୍ତି ପଛରେ ନପଡି, ନିଯୁକ୍ତି ପ୍ରଦାନକାରୀ ହେବାକୁ ଚେଷ୍ଟା କରନ୍ତୁ।

ବିଶ୍ବବିଦ୍ୟାଳୟ କୁଳପତି ଡ. ସୁପ୍ରିୟା ପଟ୍ଟନାୟକ ଛାତ୍ରଛାତ୍ରୀମାନଙ୍କର ଉତ୍ସର୍ଗୀକୃତ ଭାବନା ଓ ସହନଶୀଳତା ପାଇଁ ସେମାନଙ୍କୁ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ, ଜାତୀୟ ଶିକ୍ଷା ନୀତି ୨୦୨୦ ଦକ୍ଷତା ଭିତ୍ତିକ ପାଠ୍ୟକ୍ରମକୁ ଆମ ବିଶ୍ବବିଦ୍ୟାଳୟ ଗୁରୁତ୍ୱ ଦେଉଛି। ଆବିଷ୍କାରମୂଳକ ଶିକ୍ଷା ଓ ଦକ୍ଷତା ଭିତ୍ତିକ ତାଲିମକୁ ମାଧ୍ୟମରେ ସେଞ୍ଚୁରିଅନ୍ ବିଶ୍ବବିଦ୍ୟାଳୟ ସମସ୍ତ ଛାତ୍ରଛାତ୍ରୀଙ୍କ ବିକାଶ ଲକ୍ଷ୍ୟ ରଖିଛି। ସେଞ୍ଚୁରିଅନ୍ ବିଶ୍ବବିଦ୍ୟାଳୟ ଶିକ୍ଷା ମାଧ୍ୟମରେ ସୁଦୃଢ଼ ସମାଜ ଗଠନ ପାଇଁ ଉତ୍ସର୍ଗୀକୃତ।

ଇସ୍ରୋ, ସ୍ପେସ୍ କମିଶନ ଅଧ୍ୟକ୍ଷ ତଥା ସ୍ପେସ୍ ମନ୍ତ୍ରାଳୟର ସଚିବ ଡ. ଭି ନାରାୟଣ କହିଥିଲେ ଯେ, ସେଞ୍ଚୁରିଅନ୍ ବିଶ୍ବବିଦ୍ୟାଳୟ ତାର ଗୁଣାତ୍ମକ ଶିକ୍ଷାଦାନ ପ୍ରତି ସବୁବେଳେ ପ୍ରତିଶୃତିବଦ୍ଧ। ନୂତନତା ଉପରେ ଗୁରୁତ୍ୱ ଦେଇ ଏକ ପ୍ରଗତିଶୀଳ ଏବଂ ପ୍ରଯୁକ୍ତିବିଦ୍ୟା ସଶକ୍ତ ଭବିଷ୍ୟତ ପାଇଁ କାର୍ଯ୍ୟ କରୁଛି। ଏଠାରୁ ଉତ୍ତୀର୍ଣ୍ଣ ହେଉଥିବା ଛାତ୍ରଛାତ୍ରୀମାନେ ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, କୃଷି, ସ୍ୱାସ୍ଥ୍ୟସେବା, ଉଦ୍ୟୋଗୀତା, ସାମାଜିକ ବିକାଶ କିମ୍ବା ସେମାନେ ବାଛିଥିବା ଯେକୌଣସି କ୍ଷେତ୍ରରେ- ସାର୍ଥକ ଅବଦାନ ନିଶ୍ଚିତ ଭାବେ ଦେବେ। ସମାଜ ଆମକୁ ସବୁ କିଛି ପ୍ରଦାନ କରିଛି, ତେଣୁ ନିଜର କ୍ଷେତ୍ରରେ ଆଗକୁ ଯିବା ସମୟରେ ସମାଜ ପାଇଁ କିଛି କରିବାକୁ ପ୍ରତିଶୃତିବଦ୍ଧ ରୁହ। ବର୍ତ୍ତମାନ ସମୟରେ ବିକଶିତ ଭାରତ ପାଇଁ ପ୍ରଚୁର ସୁଯୋଗ ରହିଛି। ଦେଶକୁ ଆଗକୁ ନେବା ପାଇଁ ସମସ୍ତ ଛାତ୍ରଛାତ୍ରୀ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତୁ ବୋଲି କହିଛନ୍ତି।

ଡିଫେନ୍ସ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ (ଡିଆରଡିଓ) ମହାନିର୍ଦ୍ଦେଶକ ଡ. ବିକେ ଦାସ କହିଥିଲେ ଯେ, ଆମ ଦେଶ ପ୍ରତିରକ୍ଷା କ୍ଷେତ୍ରରେ ଦିନକୁ ଦିନ ଅଧିକ ଶକ୍ତିଶାଳୀ ହେଉଛି। ଏହା ନୂତନତା, ବିକାଶ ଏବଂ ବିଶ୍ୱ ପ୍ରଭାବରେ ଅଗ୍ରଗତି କରୁଛି। ତେଣୁ ଛାତ୍ରଛାତ୍ରୀମାନେ ଆକାଂକ୍ଷା ସହିତ ଆଗକୁ ବଢ଼, କିନ୍ତୁ ତୁମର ମୂଲ୍ୟବୋଧ, ନୈତିକତା ଏବଂ ମୂଳକୁ ନିକଟରେ ରଖ। ତୁମର କାର୍ଯ୍ୟ ମାଧ୍ୟମରେ ଜୀବନକୁ ପରିବର୍ତ୍ତନ କର। ଆତ୍ମବିଶ୍ୱାସ ରଖି ବିଶ୍ୱର ବିକାଶ ପାଇଁ କାର୍ଯ୍ୟ କର। ସେ ଆହୁରି କହିଥିଲେ, ବର୍ତ୍ତମାନ ଦେଶକୁ ସାହସ, ସୃଜନଶୀଳତା ଏବଂ ଉଦ୍ଦେଶ୍ୟ ଥିବା ଯୁବ ମନର ଆବଶ୍ୟକତା ଅଛି। ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟ ଦକ୍ଷତା, ପ୍ରଯୁକ୍ତିବିଦ୍ୟା ଏବଂ ଅନୁସନ୍ଧାନ ଦ୍ବାରା ଭାରତର ବିକାଶରେ ସାର୍ଥକ ଅବଦାନ ଦେବାକୁ ହେବ। ସ୍ୱଦେଶୀ ଅଭିବୃଦ୍ଧିକୁ ଆଗକୁ ବଢ଼ାଇବାକୁ ଛାତ୍ରଛାତ୍ରୀମାନଙ୍କୁ ପ୍ରସ୍ତୁତି କରିବାର ମଧ୍ଯ ଆବଶ୍ୟକତା ରହିଛି। କାର୍ଯ୍ୟକ୍ରମରେ ଚଳିତବର୍ଷ ୩୯ ଜଣ ପିଏଚଡି ସ୍କଲାର୍ ଏବଂ ପୂର୍ବ ବ୍ୟାଚ୍‌ର ୧୮୩ ଜଣ ଛାତ୍ରଛାତ୍ରୀ ଓ ୨୦୨୫ ଗ୍ରାଜୁଏଟ ବ୍ୟାଚର ଛାତ୍ରଛାତ୍ରୀ ୩୦୫୯ଜଣଙ୍କୁ ଡିଗ୍ରୀ ପ୍ରଦାନ କରାଯାଇଛି। ଏଥିସହ ବିଟେକ୍ ଇଞ୍ଜିନିୟରିଂ (ମେରାଇନ୍)ରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଓନିନୟେ ଫ୍ରାନ୍ସିସ୍କା ଅଜାକା (Onyinye Francisca Ajaka) ଙ୍କୁ ଭିଜିଟର୍ସ ଗୋଲ୍ଡ ମେଡାଲ ପ୍ରଦାନ କରାଯାଇଛି।

ମାଷ୍ଟର ଅଫ୍ ଫାର୍ମାସିରେ ଶ୍ରେଷ୍ଠ ମହିଳା ସ୍ନାତକ ଭାବରେ ସଙ୍ଗୀତା ଘୋଷଙ୍କୁ ଧୀରେନ ପଟ୍ଟନାୟକ ସ୍ମାରକୀ ଗୋଲ୍ଡ ମେଡାଲ୍ ପ୍ରଦାନ କରାଯାଇଥିଲା। ସ୍କୁଲ୍ ଅଫ୍ ମ୍ୟାନେଜମେଣ୍ଟ ରେ ସର୍ବୋତ୍ତମ ପ୍ରଦର୍ଶନ ପାଇଁ ସାକେତ ରାଜଙ୍କୁ ପିଟର ରେନୱିକ୍ ସ୍ମାରକୀ ଗୋଲ୍ଡ ମେଡାଲ୍ ଦିଆଯାଇଛି। ଆଲାଇଡ୍ ହେଲଥକେୟାର୍ ସାଇନ୍ସେସ୍‌ରେ ଶ୍ରେଷ୍ଠ ସ୍ନାତକ ପାଇଁ ଅର୍ପିତା ମହାପାତ୍ରଙ୍କୁ ଦେବେନ୍ଦ୍ର ପ୍ରଧାନ ସ୍ମାରକୀ ଗୋଲ୍ଡ ମେଡାଲରେ ସମ୍ମାନିତ କରାଯାଇଛି। ଏଥିସହ ୧୭ଜଣ ଛାତ୍ରଛାତ୍ରୀ ବିଶ୍ୱବିଦ୍ୟାଳୟ ଗୋଲ୍ଡ ମେଡାଲ୍ ଏବଂ ୩୩ ଜଣ ଛାତ୍ରଛାତ୍ରୀ ମେରିଟ୍ ଆୱାର୍ଡ ସମ୍ମାନରେ ସମ୍ମାନିତ କରାଯାଇଛି।

କାର୍ଯ୍ୟକ୍ରମରେ ପ୍ରଫେସର ମୁକ୍ତିକାନ୍ତ ମିଶ୍ର (ସଭାପତି), ପ୍ରଫେସର ଡି. ଏନ୍. ରାଓ (ଉପ-ସଭାପତି), ପ୍ରଫେସର ଅନିତା ପାତ୍ର (କୁଳସଚିବ) ଓ ଡ. ବିଶ୍ୱଜିତ ମିଶ୍ର (ପ୍ରୋ-ଭାଇସ୍ ଚାନ୍ସେଲର) ପ୍ରମୁଖ ଉପସ୍ଥିତ ଥିଲେ। ଅଧ୍ୟାପକ, କର୍ମଚାରୀ, ବିଶିଷ୍ଟ ଅତିଥି, ପିତାମାତା ଏବଂ ଅଭିଭାବକମାନେ ଉତ୍ସବମୁଖର ପରିବେଶକୁ ଅଧିକ ଉତ୍ସାହିତ କରିଥିଲେ।

 

Leave A Reply

Your email address will not be published.