Latest Odisha News

BREAKING NEWS

ଗୋଟିଏ ସପ୍ତାହରେ ୩୧୬୬ କର୍ମଚାରୀଙ୍କୁ ପଦୋନ୍ନତି ଦେଇ ରେକର୍ଡ କଲେ ରାଜ୍ୟ ସରକାର

ଭୁବନେଶ୍ୱର: ଗୋଟିଏ ସପ୍ତାହରେ ରାଜ୍ୟ ସରକାରଙ୍କ ୩୯ଟି ବିଭାଗ ଓ ୩୦ଟି ଜିଲ୍ଲାରେ ‘ଗ୍ରୁପ-ଏ’ଠାରୁ ଆରମ୍ଭ କରି ‘ଗ୍ରୁପ-ଡି’ ପର୍ଯ୍ୟନ୍ତ ବିଭିନ୍ନ ବର୍ଗର ୩୧୬୬ଜଣ କର୍ମଚାରୀ ପଦୋନ୍ନତି ପାଇଛନ୍ତି। ଡିସେମ୍ବର ମାସର ଶେଷ ସପ୍ତାହରେ ବିଭିନ୍ନ ବିଭାଗର ଏତେ ସଂଖ୍ୟକ କର୍ମଚାରୀ ପଦୋନ୍ନତି ପାଇବା ଏକ ରେକର୍ଡ ସୃଷ୍ଟି କରିଛି। ସୂଚନାଯୋଗ୍ୟ ଯେ, ନିମ୍ନ ଓ ମଧ୍ୟମ ବର୍ଗର କର୍ମଚାରୀମାନଙ୍କ ପଦୋନ୍ନତି କ୍ଷେତ୍ରରେ ହେଉଥିବା ଅହେତୁକ ବିଳମ୍ବ ଓ ଅଯଥା ହଇରାଣ ହରକତ ଘଟଣାରେ କ୍ଷୋଭପ୍ରକାଶ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡିସେମ୍ବର ୩୧ତାରିଖ ସୁଦ୍ଧା ସବୁ ଯୋଗ୍ୟ କର୍ମଚାରୀଙ୍କୁ ପଦୋନ୍ନତି ଦେବା ପାଇଁ ଡିସେମ୍ବର ୨୧ତାରିଖ ଦିନ ନିର୍ଦ୍ଦେଶ ଦେଇଥିଲେ।

ତଦନୁଯାୟୀ, ବିଭିନ୍ନ ବିଭାଗରୁ ମିଳିଥିବା ଖବରରୁ ଜଣାପଡ଼ିଛି ଯେ ଡିସେମ୍ବର ୨୪ରୁ ୩୧ସୁଦ୍ଧା ଗ୍ରୁପ-ଏରେ ୮୫୨ଜଣଙ୍କୁ ପଦୋନ୍ନତି ଦିଆଯାଇଥିବା ବେଳେ ଗ୍ରୁପ-ବିରେ ୫୨୭ଜଣଙ୍କୁ, ଗ୍ରୁପ-ସିରେ ୧୪୯୬ଜଣଙ୍କୁ ଏବଂ ଗ୍ରୁପ-ଡିରେ ୨୯୧ଜଣଙ୍କୁ ପଦୋନ୍ନତି ଦିଆଯାଇଛି। ଉଲ୍ଲେଖଯୋଗ୍ୟ, ୨୦୧୯ ଜାନୁଆରିରୁ ନଭେମ୍ବର ମଧ୍ୟରେ ବିଭିନ୍ନ ବର୍ଗରେ ୯୭୬୬ ପଦୋନ୍ନତି ପାଇଥିଲେ। ଡିସେମ୍ବର ମାସରେ ପଦୋନ୍ନତି ପାଇଥିବା ୩୧୬୬ଜଣଙ୍କୁ ମିଶାଇ ୨୦୧୯ବର୍ଷରେ ବିଭିନ୍ନ ବର୍ଗର ୧୨,୯୩୨ଜଣ କର୍ମଚାରୀ ପଦୋନ୍ନତି ସୁବିଧା ପାଇପାରିଛନ୍ତି। କେବଳ ଜିଲ୍ଲାସ୍ତର‌ରେ ଏହି ସମୟ ମଧ୍ୟରେ ୩୧୩୯ଜଣ ପଦୋନ୍ନତି ପ‌ାଇଛନ୍ତି ।

ବିଭାଗୀୟ ସ୍ତରରେ ସ୍ବରାଷ୍ଟ୍ର ବିଭାଗର ସର୍ବାଧିକ ୨୩୩୦ଜଣ ପଦୋନ୍ନତି ପାଇଥିବା ବେଳେ କୃଷି ଓ କୃଷକ ସଶକ୍ତୀକରଣ ବିଭାଗରୁ ୧୩୦୭ଜଣ ଏବଂ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରୁ ୧୨୫୧ଜଣ ପଦୋନ୍ନତି ପାଇଛନ୍ତି। ସେହିପରି ଜିଲ୍ଲା ସ୍ତରରେ କଟକ ଜିଲ୍ଲାର ସର୍ବାଧିକ ପଦୋନ୍ନତି ପାଇଥିବା ବେଳେ ମୟୁରଭଞ୍ଜ ଜିଲ୍ଲାର ୨୧୮ଜଣ ଓ ଗଞ୍ଜାମର ୧୯୪ଜଣ ପଦୋନ୍ନତି ପାଇଛନ୍ତି।

ରାଜ୍ୟ ସରକାର ନୂତନ ୫-ଟି ନୀତିରେ ସମୟ, ସ୍ବଚ୍ଛତା, ମିଳିତ ଉଦ୍ୟମ, ବୈଷୟିକ କୌଶଳର ପ୍ରୟୋଗ ଜରିଆରେ ପରିବର୍ତ୍ତନ ଆଣିବା ଉପରେ ଗୁରୁତ୍ବ ଦେଉଛନ୍ତି। ୫-ଟିର ଗୁରୁତ୍ବପୂର୍ଣ୍ଣ ଅଂଶୀଦାର ଭାବରେ କର୍ମଚାରୀମାନଙ୍କୁ ଉତ୍ସାହିତ କରିବା ପାଇଁ ମୁଖ୍ୟମନ୍ତ୍ରୀ କର୍ମଚାରୀଙ୍କ ପଦୋନ୍ନତିରେ ଅଯଥା ବିଳମ୍ବ ନ କରି ଯଥା ସମୟରେ ପଦୋନ୍ନତି ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

Leave A Reply

Your email address will not be published.