Latest Odisha News

BREAKING NEWS

ଗତ ୧୬ ମାସ ମଧ୍ୟରେ ୩୪୮୬ ଜଣ ସାଇବର ଠକେଇର ଶିକାର

ଭୁବନେଶ୍ୱର: ଗତ ୧୬ ମାସ ମଧ୍ୟରେ ୩୪୮୬ ଜଣ ସାଇବର ଠକେଇର ଶିକାର।

କଂଗ୍ରେସ ବିଧାୟକ ରାମ ଚନ୍ଦ୍ର କାଡମଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ସୋମବାର ଦିନ ବିଧାନସଭାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଅଗଷ୍ଟ ୨୦୨୩ରୁ ନଭେମ୍ବର ୨୦୨୪ ମଧ୍ୟରେ ଅର୍ଥାତ୍ ଗତ ୧୬ ମାସ ମଧ୍ୟରେ ସାଇବର ଅପରାଧୀମାନେ ୩୪୮୬ ଜଣ ଲୋକଙ୍କୁ ଠକି ପ୍ରାୟ ୨,୨୨୦,୯୭୮,୬୪୭ ଟଙ୍କା (୨୨୨.୦୯ କୋଟି ଟଙ୍କା) ହଡ଼ପ କରିଛନ୍ତି।

ଯେଉଁଥିରୁ କେବଳ ୬୧.୩୬ ଲକ୍ଷ ଟଙ୍କା ପୀଡିତଙ୍କୁ ଫେରସ୍ତ ମିଳିଥିବା ବେଳେ ଠକଙ୍କ ଆକାଉଣ୍ଟର ୬.୭୪ କୋଟି ଟଙ୍କା ଫ୍ରିଜ୍ କରାଯାଇଛି। ତେବେ “ଡିଜିଟାଲ୍ ଗିରଫ” ଠକେଇ ମାଧ୍ୟମରେ ମୋଟ ୬୯ ଜଣ ପୀଡିତଙ୍କୁ ଟାର୍ଗେଟ କରାଯାଇଥିଲା। ସାଇବର ଠକେଇ ମାମଲାରେ ଜଡିତ ୭୨୭ ଜଣଙ୍କୁ ଗିରଫ କରାଯିବା ସହ ୧୦୪ଟି ମାମଲାରେ ଚାର୍ଜସିଟ୍ ମଧ୍ୟ ଦାଖଲ କରାଯାଇଥିବା ନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି।

ଯେଉଁମାନେ ବିଳମ୍ବରେ ଏହି ଠକେଇର ଅଭିଯୋଗ କରିଛନ୍ତି ସେମାନଙ୍କୁ ଟଙ୍କା ଫେରସ୍ତ ମିଳିପାରିନାହିଁ କିମ୍ବା ପୁନରୁଦ୍ଧାର ହାର କମ୍ ବୋଲି ପୋଲିସ ତରଫରୁ କୁହାଯାଇଛି। ଜାତୀୟ ସାଇବର ହେଲପଲାଇନ୍ ୧୯୩୦କୁ ତୁରନ୍ତ ଡାଏଲ୍ କରି www.cybercrime.gov.in ରେ ଘଟଣା ରିପୋର୍ଟ କରିବାକୁ ବାରମ୍ବାର କହିବା ସତ୍ତ୍ୱେ ମଧ୍ୟ ଏପରି ଘଟଣା ବଢ଼ିବାରେ ଲାଗିଛି ବୋଲି ପୋଲିସ ସୂଚନା ଦେଇଛି।

ତେବେ ଠକମାନେ ମ୍ୟୁଲ୍ ଆକାଉଣ୍ଟ ବ୍ୟବହାର କରିବା ସହ ତୁରନ୍ତ ବହୁ ସ୍ତର ମାଧ୍ୟମରେ ଟଙ୍କା ସ୍ଥାନାନ୍ତର କରିବା ସହ ପାଣ୍ଠିକୁ ଦ୍ରୁତ ଭାବରେ କ୍ରିପ୍ଟୋକରେନ୍ସିରେ ରୂପାନ୍ତର କରି ଓ ନକଲି ପରିଚୟ ସହିତ ପଞ୍ଜିକୃତ ସିମ୍ କାର୍ଡ ବ୍ୟବହାର ଏବଂ ରାଜ୍ୟ ସୀମା ଦେଇ ସ୍ଥାନାନ୍ତର କରୁଥିବାରୁ ଏ ସବୁ ପୋଲିସ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଛି।

 

Leave A Reply

Your email address will not be published.