୩୭ତମ ସବ ଜୁନିୟର ଜାତୀୟ ବ୍ୟାଡ଼ମିଣ୍ଟନ ଚମ୍ପିୟାନସିପ୍; ବାଳିକା ସିଙ୍ଗଲ ୧୫ ଓ ୧୭ ବର୍ଷରୁ କମ୍ ବର୍ଗ ସେମିଫାଇନାଲରେ ଓଡ଼ିଆ ଖେଳାଳୀ
ବାଳିକା ଡବଲସ ସେମିଫାଇନାଲ ପହଁଚିଲେ ଓଡ଼ିଆ ଖେଳାଳୀ ସ୍ଵାତି-ନିମିଶା
ଭୁବନେଶ୍ୱର: ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମ୍ ସ୍ଥିତ ଡାଲମିଆ ଭାରତ ଗୋପିଚାନ୍ଦ ବ୍ୟାଡ଼ମିଣ୍ଟନ ଉତ୍କର୍ଷ କେନ୍ଦ୍ର (ସଟଲ)ରେ ଆୟୋଜିତ ୩୭ତମ ଜାତୀୟ ସବ ଜୁନିୟର ବ୍ୟାଡ଼ମିଣ୍ଟନ ଚମ୍ପିୟାନସିପ୍ର ଚତୁର୍ଥ ଦିନରେ ଉଭୟ ବୟସ ବର୍ଗରେ ସମସ୍ତ ବିଭାଗର ସେମିଫାଇନାଲ ଲାଇନ ଚୂଡାନ୍ତ ହୋଇଯାଇଛି।
ଚତୁର୍ଥ ଦିନର ଖେଳରେ ଓଡ଼ିଆ ଖେଳାଳୀ ତନଭି ପତ୍ରି ୧୫ବର୍ଷରୁ କମ୍ ବୟସ ବର୍ଗର କ୍ୱାର୍ଟର ଫାଇନାଲରେ ଉତ୍ତରପ୍ରଦେଶର ଅଗ୍ରୀମା ସିଂଙ୍କୁ ୨୧-୧୪ ଓ ୨୧-୧୪ ପଏଣ୍ଟର ଦୁଇଟି ଗେମ୍ରେ ପରାଜିତ କରି ସେମି ଫାଇନାଲରେ ପହଞ୍ଚିଛନ୍ତି। ଏହି ବୟସ ବର୍ଗରେ ତେଲେଙ୍ଗାନାର ଅବନି ବିକ୍ରମ ଗୋବିନ୍ଦ, ହାମସିନୀ ଚନ୍ଦରମ ଓ ପଞ୍ଜାବର ଇନାୟତ ଗୁଲାଟି ନିଜ ନିଜ ପ୍ରତିଦ୍ବନ୍ଦୀଙ୍କୁ ହରାଇ ସେମି ଫାଇନାଲରେ ପହଂଚିଛନ୍ତି।
ବାଳକ ୧୫ ବର୍ଷରୁ କମ୍ ବିଭାଗର କ୍ୱାର୍ଟର ଫାଇନାଲ ଲଢେଇରେ ତେଲେଙ୍ଗାନାର ଶ୍ରୀଚେତନ ସୌର୍ୟ ସାମଲା ଟପ୍ସିଡ଼ ପଞ୍ଜାବର ୱାଜିର ସିଂଙ୍କୁ ୨୧-୧୯, ୨୧-୨୩ ଓ ୨୧-୧୮ ପଏଣ୍ଟରେ ହରାଇ ସେମି ଫାଇନାଲରେ ପହଞ୍ଚିଛନ୍ତି। ଏହି ବିଭାଗରେ କର୍ଣ୍ଣାଟକର ପୁଷ୍କର ସାଇ, ଦିଲ୍ଲୀର ହର୍ଷିତ ଖତ୍ରୀ ଓ ରାଜସ୍ଥାନର ଅଂଶୁମାନ ଚୌଧୁରୀ ନିଜ ନିଜ ପ୍ରତିଦ୍ବନ୍ଦୀଙ୍କୁ ହରାଇ ସେମି ଫାଇନାଲରେ ପହଂଚିଯାଇଛନ୍ତି।
୧୫ ବର୍ଷରୁ କମ୍ ବାଳିକା ଡବଲସରେ ଓଡ଼ିଆ ଯୋଡି ସ୍ଵାତୀ ନାୟକ ଓ ନିମିଶା ଓଝା ନିଜ ପ୍ରତିଦ୍ବନ୍ଦୀ କର୍ଣ୍ଣାଟକ ଯୋଡି ଶ୍ରେୟା କାନ୍ଦିବିଲ୍ଲା ଓ ଶ୍ରୀ ନାଗଲକ୍ଷ୍ମୀ. ପି. ଙ୍କୁ ୨୨-୨୦, ୧୪-୨୧, ୨୧-୧୧ ପଏଣ୍ଟରେ ପରାସ୍ତ କରି ସେମିଫାଇନାଲ ରେ ପହଂଚିଛନ୍ତି। ଏହି ବିଭାଗର ଅନ୍ୟ ଏକ କ୍ଵାଟରରେ ତାମିଲନାଡୁ ଯୋଡି ନୟୋନିକା. ଏ. ଏବଂ ଧନ୍ୟା. ଏସ. ଜେ. ଆନ୍ଧ୍ର-ହରିଆଣା ଯୋଡି ତ୍ରିସିଥା ଓ ଜୋଏଲ ରଣାଙ୍କୁ ହରାଇ ସେମିଫାଇନାଲରେ ପହଂଚିଛନ୍ତି।
୧୭ ବର୍ଷ ରୁ କମ୍ ବାଳିକା ସିଙ୍ଗଲ ବିଭାଗରେ ତନଭି ପତ୍ରି ନିଜ ପ୍ରତିଦ୍ବନ୍ଦୀ କେରଳର ହିଥା ମାରିଆ ଜୋସଙ୍କୁ ୨୧-୧୫, ୨୧-୧୨ ଦୁଇଟି ଗେମ୍ରେ ପରାସ୍ତ କରି ପ୍ରତିଯୋଗିତାର ସେମି ଫାଇନାଲ୍ରେ ପ୍ରବେଶ କରିଛନ୍ତି। ଏହି ବିଭାଗର ଅନ୍ୟ କ୍ଵାଟର ଫାଇନାଲ ଲଢେଇରେ ତାମିଲନାଡୁ ଖେଳାଳୀ ଦୀକ୍ଷା ଏସ. ଆର, ଦିଲ୍ଲୀ ଖେଳାଳୀ ଋଷିକା ନନ୍ଦୀ ନିଜ ନିଜ ପ୍ରତିଦ୍ବନ୍ଦୀଙ୍କୁ ପରାସ୍ତ କରି ସେମି ଫାଇନାଲ ରେ ପହଂଚିଛନ୍ତି।
୧୭ ବର୍ଷରୁ କମ୍ ବାଳକ ବିଭାଗରେ ଟପ୍ସିଡ଼ ଜଗସେର ସିଂ ଖାଙ୍ଗୁରା କର୍ଣ୍ଣାଟକର ପ୍ରଣବ ଏମଙ୍କୁ ୨୧-୧୪, ୨୧-୧୭ ହରାଇ ସେମି ଫାଇନାଲରେ ପହଞ୍ଚିଛନ୍ତି। ଏହି ବିଭାଗରେ ଆସାମର ବର୍ଣ୍ଣିଲ ଆକାଶ ଚେଙ୍ଗମାଇ, ପଞ୍ଜାବର ବିରାଜ ଶର୍ମା, ମହାରାଷ୍ଟ୍ରର ଦେବ ରୂପରେଲିଆ ନିଜ ନିଜ ପ୍ରତିଦ୍ବନ୍ଦୀଙ୍କୁ ହରାଇ ସେମିଫାଇନାଲରେ ପହଂଚିଛନ୍ତି।
ଆସନ୍ତାକାଲି ଡିସେମ୍ବର ୫ ତାରିଖ ଦିନ ସମସ୍ତ ବିଭାଗର ସେମି ଫାଇନାଲ ଏବଂ ଆଗାମୀ ୬ ତାରିଖ ଦିନ ଏହି ଜାତୀୟ ଚମ୍ପିୟାନସିପ୍ର ସମସ୍ତ ଫାଇନାଲ ଖେଳ ଅନୁଷ୍ଠିତ ହେବ ବୋଲି ଓଡ଼ିଶା ଷ୍ଟେଟ ବ୍ୟାଡ଼ମିଣ୍ଟନ ଆସୋସିଏସନ୍ ତଥା ଆୟୋଜନ କମିଟିର ସମ୍ପାଦକ ନିଲିନ କୁମାର ଜଣାଇଛନ୍ତି।