Latest Odisha News

BREAKING NEWS

ହୃଦଘାତରେ ୩୯ ବର୍ଷୀୟ ହାର୍ଟ ସର୍ଜନଙ୍କର ମୃତ୍ୟୁ; ଉଦବେଗ ପ୍ରକାଶ

ଚେନ୍ନାଇ: ଚେନ୍ନାଇରେ ବୁଧବାର ହୃଦରୋଗୀଙ୍କ ଚିକିତ୍ସା କରୁଥିବା ଜଣେ ୩୯ ବର୍ଷୀୟ ସର୍ଜନଙ୍କର ଡ୍ୟୁଟି ସମୟରେ ହୃଦଘାତରେ ମୃତ୍ୟୁ ହୋଇଥିବା ଖବର ମିଳିଛି। ତେବେ ହସ୍ପିଟାଲର ଅନ୍ୟ ଡାକ୍ତରମାନେ ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

ଏହି ଘଟଣାଟି ଚେନ୍ନାଇର ସବିତା ମେଡିକାଲ କଲେଜରେ ଘଟିଥିବା ଜଣାପଡ଼ିଛି। ମୃତକଙ୍କ ନାମ ଡକ୍ଟର ଗାର୍ଡଲିନ୍ ରୟ ହୋଇଥିବାବେଳେ ତାଙ୍କୁ ପରାମର୍ଶଦାତା କାର୍ଡିଆକ୍ ସର୍ଜନ ଭାବରେ ନିଯୁକ୍ତ କରାଯାଇଥିଲା।

ଏହାକୁ ନେଇ ହାଇଦ୍ରାବାଦର ନ୍ୟୁରୋଲୋଜିଷ୍ଟ ଡକ୍ଟର ସୁଧୀର କୁମାର ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ ରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, ଡକ୍ଟର ଗାର୍ଡଲିନ୍ ରାୟଙ୍କୁ CPR, ଆଞ୍ଜିଓପ୍ଲାଷ୍ଟି ସହିତ ଷ୍ଟେଣ୍ଟିଂ, ଇନ୍ଟ୍ରା-ଆଓର୍ଟିକ ବେଲୁନ୍ ପମ୍ପ, ଏପରିକି ECMO ମଧ୍ୟ ଦିଆଯାଇଥିଲା। କିନ୍ତୁ ତାଙ୍କୁ ବଞ୍ଚାଯାଇ ପାରିଲା ନାହିଁ। ତାଙ୍କ ହୃଦୟର ବାମ ମୁଖ୍ୟ ଧମନୀ ୧୦୦ ପ୍ରତିଶତ ବ୍ଲକ ହୋଇଯାଇଥିଲା ଯାହାଫଳରେ ତାଙ୍କର ସେହିଠାରେ ହିଁ ମୃତ୍ୟୁ ହୋଇଯାଇଥିଲା।

ତେବେ ଏହିପରି ୩୦ରୁ ୪୦ ବର୍ଷ ବୟସର ଡାକ୍ତରମାନଙ୍କ ମଧ୍ୟରେ ହୃଦଘାତରେ ମୃତ୍ୟୁବରଣ କରିବା ସାଧାରଣ ହୋଇଗଲାଣି। ଏହାର ମୁଖ୍ୟ କାରଣ ହେଉଛି ଡାକ୍ତରମାନଙ୍କୁ ୧୨ରୁ ୧୮ ଘଣ୍ଟା ଓ କେତେବେଳେ ୨୪ ଘଣ୍ଟା ପର୍ଯ୍ୟନ୍ତ କାମ କରିବାକୁ ପଡ଼େ। ତେଣୁ ଏହିପରି କାର୍ଯ୍ୟ ସମୟ ଯୋଗୁଁ ଏଭଳି ଘଟଣା ଦେଖିବାକୁ ମିଳୁଥିବା ସେ କହିଥିଲେ। ଏହା ବ୍ୟତୀତ ଚାପ, ଅସ୍ୱାସ୍ଥ୍ୟକର ଜୀବନଶୈଳୀ, ଶାରୀରିକ ବ୍ୟାୟାମ ନ କରିବା, ସ୍ୱାସ୍ଥ୍ୟ ଯାଞ୍ଚକୁ ଅଣଦେଖା କରିବା ଓ ଖାଦ୍ୟ ଖାଇବାର ସମୟ ସୀମା ନ ରଖିବା ମଧ୍ୟ ହୃଦରୋଗର ଆଶଙ୍କା ବଢ଼ାଇଥାଏ।

 

Comments are closed.