କୋରାପୁଟ: କୋରାପୁଟରେ ନିଜକୁ ମାଓବାଦୀ ବୋଲି ପରିଚୟ ଦେଇ ଲୋକଙ୍କ ଠାରୁ ଟଙ୍କା ଆଦାୟ କରୁଥିବା ଅଭିଯୋଗରେ ପୁଲିସ ୪ ଜଣଙ୍କୁ ଗିରଫ କରିଛି। ଗିରଫ ନକଲି ମାଓବାଦୀଙ୍କ ମଧ୍ୟରୁ ଜଣେ ମହିଳା ରହିଛନ୍ତି। ଏମାନେ ମାଓବାଦୀ ନାଁରେ ବିଭିନ୍ନ ସ୍ଥାନରୁ ଦାଦାବଟି ଆଦାୟ କରିବା ସହ ଧମକ ଚମକ ଦେଉଥିବାର ଅଭିଯୋଗ ରହିଛି। ଯେଉଁମାନଙ୍କୁ ଟାର୍ଗେଟ୍ କରୁଥିଲେ ସେମାନଙ୍କୁ କହୁଥିଲେ ଯେ ଯଦି ସେ ଟଙ୍କା ନଦିଅନ୍ତି ତେବେ ତାଙ୍କୁ ‘ପ୍ରଜା କୋର୍ଟ’ରେ ହାଜର କରାଇବେ। ଯେଉଁଠାରେ ତାଙ୍କୁ ଭୟଙ୍କର ପରିଣାମ ଭୋଗିବାକୁ ପଡ଼ିବ । ଯାହାକୁ ନେଇ ଭୟଭୀତ ହୋଇପଡୁଥିଲେ ଲୋକମାନେ।
ଗିରଫ ହୋଇଥିବା ନକଲି ମାଓବାଦୀ ହେଲେ ରବୀନ୍ଦ୍ର ମହାନନ୍ଦିଆ,ଧିରେନ ମହାନନ୍ଦିଆ,ବାଦଲ ମହାନନ୍ଦିଆ, କାଜଲ ମହାନନ୍ଦିଆ ବୋଲି ଜଣା ପଡିଛି। ସମସ୍ତଙ୍କ ଘର କୋରାପୁଟ ଜ଼ିଲ୍ଲା ବୋଲି ଜଣା ପଡିଛି। ନକଲି ମାଓବାଦୀଙ୍କ ଠାରୁ ୫୦ ହଜାର ଟଙ୍କା, ହୋଣ୍ଡା ସ୍କୁଟି ସମେତ ମୋବାଇଲ ଜବତ କରିଛି ପୋଲିସ। ଏ ନେଇ କୋରାପୁଟ ଏସପି ଅଭିନବ ସୋନକର ସୂଚନା ଦେଇଛନ୍ତି ।
ଜଣେ ପୀଡିତା ଉକ୍ତ ୪ଜଣଙ୍କ ବିରୋଧରେ ପାଡୁଆ ଥାନାରେ ଲିଖିତ ଅଭିୟୋଗ କରିବା ପରେ କୋରାପୁଟ ଏସପି ଅଭିନବ ସୋନକରଙ୍କ ନିର୍ଦ୍ଦେଶରେ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା। ନନ୍ଦିପୁର ଏସଡିପିଓଙ୍କ ନେତୃତ୍ୱରେ ଦାମନଯୋଡି ଓ ସେମିଳିଗୁଡା ଆଇଆଇସି ଏବଂ ଡିଭିଏଫ କର୍ମଚାରୀଙ୍କୁ ନେଇ ଏକି ଟିମ୍ ଗଠନ ହୋଇଥିଲା।
ଏସପି କହିଛନ୍ତି ଯେ, ସ୍ୱତନ୍ତ୍ର ଟିମ୍ ନକଲି ମାଓବାଦୀଙ୍କୁ ଠାବ କରିବା ସହ ସେମାନଙ୍କ ଗତିବିଧି ଉପରେ ନଜର ରଖିଥିଲା। ଏହି ଗ୍ୟାଙ୍ଗର ଚାରି ଜଣ ସଦସ୍ୟ ଜଣେ ବ୍ୟକ୍ତିଙ୍କ ଠାରୁ ଚାନ୍ଦା ଆଦାୟ କରୁଥିବା ବେଳେ ଧରାପଡ଼ିଥିଲେ ବୋଲି ସେ କହିଛନ୍ତି।
Comments are closed.