ବାଲେଶ୍ୱର: କାମ କରୁଥିବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୋଟ୍ ୧୨ ଜଣ ବିଦ୍ୟୁତ ଆଘାତର ଶିକାର ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୪ ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି। ୮ ଜଣ ସାମାନ୍ୟ ଆହତ ହୋଇଛନ୍ତି। ଏହି ଘଟଣା ବାଲିଆପାଳ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ପକ୍କା ଘର ତିଆରି କାମରେ ନିୟୋଜିତ ଥିବା ବେଳେ ଏପରି ଏକ ଘଟଣା ଘଟିଛି।
ମିଳିଥିବା ସୂଚନା ଅନୁଯାୟୀ, ବାଲିଆପାଳ ବସଷ୍ଟାଣ୍ଡ ନିକଟରେ ଥିବା ବାବୁ ସେଠୀଙ୍କ ଘର ନିର୍ମାଣ କାମ ବେଳେ ଶ୍ରମିକ ମାନେ ରଡ୍ ବିଛାଉଥିଲେ। ଏହି ସମୟରେ ପାଖ ଦେଇ ଯାଇଥିବା ୧୧ କେଭି ତାର ସଂସ୍ପର୍ଶରେ ଆସିଥିଲା ଲୁହା ରଡ୍। ଫଳରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଛନ୍ତି ସେଇ ଶ୍ରମିକମାନେ ଯେଉଁମାନେ ଲୁହା ରଡ୍ ବିଛାଇବା କାମରେ ନିୟୋଜିତ ଥିଲେ।
ସୌଭାଗ୍ୟବଶତଃ ଘଟଣାସ୍ଥଳରେ ଉପସ୍ଥିତ ଥିବା ସ୍ଥାନୀୟ ଲୋକେ ତୁରନ୍ତ ଜରୁରୀକାଳୀନ ପରିସ୍ଥିତିକୁ ଦୃଷ୍ଟିରେ ରଖି ଆହତ ଶ୍ରମିକମାନଙ୍କୁ ଉଦ୍ଧାର କରିଥିଲେ। ସେମାନେ ସମୟ ନଷ୍ଟ ନକରି ସେମାନଙ୍କୁ ତୁରନ୍ତ ନିକଟସ୍ଥ ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ତେବେ ୪ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବାଲେଶ୍ବର ଜିଲ୍ଲା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।
ଖବର ପାଇ ସ୍ଥାନୀୟ ପୋଲିସ ଓ ବିଦ୍ୟୁତ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଘଟଣାର ପାରିପାର୍ଶ୍ୱିକ ପରିସ୍ଥିତିକୁ ଅନୁଧ୍ୟାନ କରିବା ସହ ବିଦ୍ୟୁତ ଆଘାତର କାରଣ ଜାଣିବାକୁ ଚେଷ୍ଟା କରୁଛନ୍ତି।
Comments are closed.