Latest Odisha News

BREAKING NEWS

ସରିଲା ଅବଧି,କିନ୍ତୁ ଶେଷ ହୋଇପାରିଲାନି ରାସ୍ତା କାମ, ସମସ୍ୟା ଘେରରେ ୪ ପଞ୍ଚାୟତବାସୀ

ନବରଙ୍ଗପୁର: ଗାଁକୁ ନାହିଁ ରାସ୍ତା । ସରିଛି ଅବଧି କିନ୍ତୁ ସରିପାରିଲାନି ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ରାସ୍ତା । ରାସ୍ତା ନଥିବାରୁ ନାହିଁ ନାଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି ୪ ପଞ୍ଚାୟତବାସୀ । ଜମି ହୁଡ଼ା ଦେଇ କରୁଛନ୍ତି ଯାତାୟାତ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକରେ ।

ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ମୁସାମୁଣ୍ଡିଗୁଡା ଛକ ନିକଟରୁ କଣ୍ଟାଗାଁ ପର୍ଯ୍ୟନ୍ତ ଦିର୍ଘ ୨୧ କିଲୋମିଟର ରାସ୍ତା ନିର୍ମାଣର ଅବଧି ସାରିଯାଇଥିଲେ ମଧ୍ୟ ଏଯାଏଁ ସମ୍ପୂର୍ଣ୍ଣ ହୋଇପାରୁନାହିଁ ରାସ୍ତକାମ । ଚଳିତ ବର୍ଷ ଜୁଲାଇ ମାସରେ କାର୍ଯ୍ୟ ଅବଧି ଶେଷ ହୋଇଛି କିନ୍ତୁ ବିଭାଗୀୟ ଅଧିକାରୀ ଏବଂ ଠିକାଦାରଙ୍କ ଅବହେଳା ଯୋଗୁଁ ଏଯାଏଁ ସମ୍ପୂର୍ଣ୍ଣ ହୋଇପାରୁନାହିଁ ରାସ୍ତକାମ। ଅନ୍ୟପଟେ ନୂତନ ବ୍ରିଜ ନିର୍ମାଣ ପାଇଁ ବର୍ଷା ଦିନରେ ପୁରୁଣା ବ୍ରିଜକୁ ଭାଙ୍ଗି ଦିଆଯାଇଛି । କିନ୍ତୁ ଲୋକଙ୍କ ଯାତାୟାତ ପାଇଁ ଡ଼ାଇଭର୍ସନ ରାସ୍ତା ନିର୍ମାଣ ହୋଇଥିଲେ ହେଁ ତାହା ଜନସାଧାରଣଙ୍କ କାର୍ଯ୍ୟରେ ଆସୁନି । ଫଳରେ ଜନସାଧାରଣ ଜମି ହୁଡ଼ା ଦେଇ ବିପଦ ସଙ୍ଖୁଳ ଭାବେ ଯାତାୟାତ କରିବା ପାଇଁ ବାଧ୍ୟ ହେଉଛନ୍ତି । ବାରମ୍ବାର ଅଭିଯୋଗ ପରେବି କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନଥିବାରୁ ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।

ମୂଷାମୁଣ୍ଡି ଗୁଡା,ଭାୟା ଅଞ୍ଚଳଗୁମ୍ମା ଦେଇ କଣ୍ଟାଗାଁ ପର୍ଯ୍ୟନ୍ତ ଦୀର୍ଘ ୧୮ କିଲୋମିଟର ରାସ୍ତା କାମ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ବର୍ଷେ ହେଲା ଆରମ୍ଭ ହୋଇଛି। ୯ କୋଟି ଟଙ୍କା ବ୍ୟୟ ଅଟକଳରେ ଆରମ୍ଭ ହୋଇଥିବା ଏହି ପ୍ରଧାନମନ୍ତ୍ରୀ ସଡକ ଯୋଜନା ରାସ୍ତା ଓ ପୋଲ କାମ ସମ୍ପୂର୍ଣ୍ଣ ହୋଇପାରିନଥବାରୁ କଣ୍ଟାଗାଁ, ଝରିଗୁମ୍ମା,ପାତ୍ରପୁଟ ଓ ଅଞ୍ଚଳଗୁମ୍ମା ଏହି ୪ ଟି ପଞ୍ଚାୟତର ହଜାର ହଜାର ଲୋକ ନବରଙ୍ଗପୁର ଜିଲ୍ଲା କେନ୍ଦ୍ରକୁ ଆସିବା ପାଇଁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ସମସ୍ୟାକୁ ନେଇ ଶତାଧିକ ପଞ୍ଚାୟତବାସୀ ପ୍ରଶାସନର ଦ୍ୱାରାସ୍ତ ହେବାପରେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ । ସେପଟେ ଏସମ୍ପର୍କରେ କିଛି ପ୍ରତିକ୍ରିୟା ରଖିବାକୁ ବିଭାଗୀୟ ଅଧିକାରୀ ମନା କରିଦେଇଛନ୍ତି । ଏହାକୁ ନେଇ ଏବେ ଜନ ଅସନ୍ତୋଷ ଵୃଦ୍ଧି ପାଇବାରେ ଲାଗିଛି । ୪ ଟି ପଞ୍ଚାୟତବାସୀଙ୍କ ପାଇଁ ଏହି ରାସ୍ତା ଲାଇଫାଲାଇନ ହୋଇଥିବାବେଳେ ବିଭାଗୀୟ କତ୍ତୃପକ୍ଷ ଓ ଠିକାଦାରଙ୍କ ଖାମଖିଆଲି ମନଭାବ ଲୋକଙ୍କୁ ହଇରାଣରେ ପକାଇଛି, ତେଣୁ ଜିଲ୍ଲା ପ୍ରଶାସନ ଏଦିଗରେ ତୁରନ୍ତ ଦୃଷ୍ଟିଦେବାକୁ ଦାବୀ କରିଛନ୍ତି ସ୍ଥାନୀୟ ଲୋକେ ।

Comments are closed.