Latest Odisha News

ସୁପ୍ରିମକୋର୍ଟଙ୍କ ୪ ବିଚାରପତି କରୋନା ପଜିଟିଭ୍

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢି ଚାଲିଥିବା ବେଳେ ସୁପ୍ରିମକୋର୍ଟର ୪ ବିଚାରପତି କରୋନା ସଂକ୍ରମିତ ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ, ଜଷ୍ଟିସ୍‌ ଅନିରୁଦ୍ଧ ବୋସ, ଏସ୍ ରବିନ୍ଦ୍ର ଭଟ, ଜେବି ପାର୍ଡିୱାଲା ଏବଂ ମନୋଜ ମିଶ୍ର କରୋନା ପଜିଟିଭ୍ ହୋଇଛନ୍ତି। ସଂକ୍ରମିତ ହେବା ପରେ ବିଚାରପତିମାନେ ସଂଗରୋଧରେ ରହିଛନ୍ତି। ନିକଟରେ ଆଉ ଜଣେ ବିଚାରପତି ସୂର୍ଯ୍ୟକାନ୍ତ କରୋନା ପଜିଟିଭ୍ ହୋଇଥିଲେ। ସପ୍ତାହେ ପୂର୍ବରୁ ସେ ସୁସ୍ଥ ହୋଇ ଫେରିଛନ୍ତି।

ତେବେ ଚିନ୍ତାର ବିଷୟ ହେଉଛି କରୋନା ସଂକ୍ରମିତ ହୋଇଥିବା ଜଷ୍ଟିସ ଭଟ ସମଲିଙ୍ଗି ବିବାହ ଉପରେ ଶୁଣାଣି କରୁଥିବା ପାଞ୍ଚ ଜଣିଆ ଖଣ୍ଡପୀଠର ସଦସ୍ୟ ଅଛନ୍ତି। ଗୁରୁବାର ଏହି ପ୍ରସଙ୍ଗରେ ଚାଲିଥିବା ଶୁଣାଣିରେ ପ୍ରତ୍ୟକ୍ଷ ଭାବେ ଉପସ୍ଥିତ ରହି ବିଚାର କରୁଥିଲେ। ସଂକ୍ରମିତ ବିଚାରପତିମାନଙ୍କୁ ଉପରେ ଡାକ୍ତରୀ ଟିମ ନଜର ରଖିଛନ୍ତି। ସେମାନଙ୍କ ଠାରେ କରୋନା ଲକ୍ଷଣ କେତେ ଦେଖାଯାଉଛି ତାର ପରୀକ୍ଷଣ କରାଯାଉଛି।

ଏପଟେ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ ନିଜ ସ୍ୱାସ୍ଥ୍ୟ ଉପରେ ନଜର ରଖିଛନ୍ତି। ତେଣୁ ବର୍ତ୍ତମାନର ସ୍ଥିତିକୁ ନଜରରେ ରଖି କୌଣସି ପରିସ୍ଥିତିରେ ଯେପରି ସୁପ୍ରିମକୋର୍ଟର କାର୍ଯ୍ୟ ପ୍ରଭାବିତ ନ ହୁଏ ସେଥିପାଇଁ ନିଷ୍ପତ୍ତି ନିଆଯାଇଛି । ଏଥିପାଇଁ ରେଜିଷ୍ଟ୍ରୀକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଏହାସହ କିଛି ଖଣ୍ଡପୀଠରେ ପରିବର୍ତ୍ତନ କରାଯାଇଛି।

Comments are closed.