Latest Odisha News

ରାଜ୍ୟର ସରକାରୀ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ୪ ହଜାର ୧୬୬ ଜଣ ନୂଆ ଶିକ୍ଷକ ଯୋଗ ଦେଲେ

ଭୁବନେଶ୍ୱର: ବୁଧବାର ଓଡ଼ିଶାର ବିଭିନ୍ନ ସରକାରୀ ମାଧ୍ୟମିକ ବିଦ୍ୟାଳୟରେ ୪ ହଜାର ୧୬୬ ଜଣ ଶିକ୍ଷକ ଯୋଗ ଦେଇଛନ୍ତି। ଏମାନଙ୍କୁ ସାମିଲ କରିବା ପାଇଁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ‘ନିଯୁକ୍ତି ପର୍ବ’ର ଆୟୋଜନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ନବ ନିଯୁକ୍ତ ଶିକ୍ଷକମାନଙ୍କୁ ପିଲାଙ୍କ ମଧ୍ୟରେ ଆତ୍ମବିଶ୍ୱାସ ସୃଷ୍ଟି କରିବାକୁ ଆହ୍ୱାନ ଦେଇଥିଲେ। ସେ ପିଲାମାନଙ୍କୁ ମହାନ ଦେଶ, ମହାନ ରାଷ୍ଟ୍ର ଓ ମହାନ ସଂସ୍କୃତିକୁ ଭଲପାଇବା ପାଇଁ ପ୍ରେରଣା ଦେବା ସହ ଏହାକୁ ନେଇ ଗର୍ବ ଅନୁଭବ କରିବାକୁ ପରାମର୍ଶ ଦେଇଥିଲେ।

ଛାତ୍ରଛାତ୍ରୀମାନେ ବଡ଼ ବଡ଼ ସ୍ୱପ୍ନ ଦେଖି ନିଜ ଲକ୍ଷ୍ୟ ହାସଲ ପାଇଁ ଉଦ୍ୟମ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ଏକବିଂଶ ଶତାବ୍ଦୀରେ ଏକ ନୂତନ ଓଡ଼ିଶା, ଏକ ସଶକ୍ତ ଓଡ଼ିଶା ଗଠନରେ ଶିକ୍ଷକମାନଙ୍କର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିବ ବୋଲି ସେ କହିଥିଲେ।

ନବନିଯୁକ୍ତ ଶିକ୍ଷକମାନଙ୍କୁ ଅଭିନନ୍ଦନ ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ, ଶିକ୍ଷା ଛାତ୍ରଛାତ୍ରୀଙ୍କୁ ମୌଳିକ ଜ୍ଞାନ ଓ ଦକ୍ଷତା ପ୍ରଦାନ କରିଥାଏ। ଏହା ସେମାନଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ମନୋଭାବ ସୃଷ୍ଟି କରିଥାଏ ଏବଂ ସେମାନଙ୍କୁ ରୂପାନ୍ତରିତ ନାଗରିକରେ ପରିଣତ କରିବାରେ ସହାୟତା କରିଥାଏ।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଶିକ୍ଷକଙ୍କ ଲକ୍ଷ୍ୟ କେବଳ ଭଲ ଛାତ୍ର ସୃଷ୍ଟି କରିବା ନୁହେଁ ବରଂ ଭଲ ମଣିଷ ସୃଷ୍ଟି କରିବା ମଧ୍ୟ। ଶିକ୍ଷକତା କେବଳ ଏକ ବୃତ୍ତି ନୁହେଁ ବରଂ ଓଡ଼ିଶାକୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବା ଏକ ମିଶନ ବୋଲି ସେ କହିଥିଲେ।

ରାଜ୍ୟ ସରକାର ଶିକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦେଇଥିବା ଦର୍ଶାଇ ନବୀନ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ୫-ଟି ମାଧ୍ୟମରେ ୬ ହଜାର ୮୮୩ଟି ହାଇସ୍କୁଲର ପରିବର୍ତ୍ତନ କରାଯାଇଛି। ଫଳରେ ବିଦ୍ୟାଳୟର ପରିବେଶରେ ବ୍ୟାପକ ପରିବର୍ତ୍ତନ ହୋଇଛି। ଏହା ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଆଣିଛି। ଏହି କାରଣରୁ ସରକାରୀ ବିଦ୍ୟାଳୟରେ ନାମଲେଖା ଯଥେଷ୍ଟ ବୃଦ୍ଧି ପାଇଛି ବୋଲି ସେ କହିଛନ୍ତି।

ଶିକ୍ଷା କ୍ଷେତ୍ରରେ ପ୍ରୋତ୍ସାହନ ପାଇଁ ରାଜ୍ୟ ସରକାର ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ଯୋଜନା ଆରମ୍ଭ କରିଥିବା ଦର୍ଶାଇ ସେ କହିଥିଲେ ଯେ ଶିକ୍ଷା କ୍ଷେତ୍ରରେ ଜଡ଼ିତ ସମସ୍ତଙ୍କୁ ପୁରସ୍କାର ଦେବାର ବ୍ୟବସ୍ଥା ରହିଛି। ଏଥିପାଇଁ ପ୍ରତିବର୍ଷ ୧୩୮ କୋଟି ଟଙ୍କାର ବଜେଟ୍ ଧାର୍ଯ୍ୟ କରାଯାଇଛି। ଶିକ୍ଷକ, ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, ସରକାରୀ ବିଦ୍ୟାଳୟ, ଗ୍ରାମପଞ୍ଚାୟତ, ବିଦ୍ୟାଳୟ ପରିଚାଳନା କମିଟି, ଛାତ୍ରଛାତ୍ରୀ ଓ ଜିଲ୍ଲା ଓ ବ୍ଲକସ୍ତରୀୟ ଶିକ୍ଷା ଅଧିକାରୀଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି ମଧ୍ୟ ନବନିଯୁକ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ଉଦବୋଧନ ଦେଇଥିଲେ।

୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି. କେ. ପାଣ୍ଡିଆନ୍ ନବନିଯୁକ୍ତ ଶିକ୍ଷକମାନଙ୍କ ସହ ମତ ବିନିମୟ କରିବା ସହ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ ସୃଷ୍ଟି କରିବା ସେମାନଙ୍କ ଦାୟିତ୍ୱ ବୋଲି କହିଥିଲେ।

ଆମ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଶିକ୍ଷକମାନେ ଉଦ୍ୟମ କରିବାକୁ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ପରାମର୍ଶ ଦେଇଥିଲେ।

Comments are closed.