ନୂଆଦିଲ୍ଲୀ: ଆଉ ହାତ ଗଣତି ଦିନ ପରେ ଟି୨୦ ବିଶ୍ୱକପ ଆରମ୍ଭ ହୋଇଯିବ । କ୍ରିକେଟର ଏହି ମନୋରଞ୍ଜନ ଫର୍ମାଟରେ ବ୍ୟାଟ୍ସମ୍ୟାନଙ୍କ ବିସ୍ଫୋରକ ବ୍ୟାଟିଂ ଦେଖିବାକୁ ମିଳିଥାଏ । ଏଥର ଅଭିଷେକ ଶର୍ମା, ସୂର୍ଯ୍ୟକୁମାର ଯାଦବ, ଟ୍ରେଭିସ ହେଡ ଓ ଡେୱାଲ୍ଡ ବ୍ରେଭିସ ବିସ୍ଫୋରକ ଇନିଂସ ଖେଳିବେ ବୋଲି ଆଶା କରାଯାଉଛି । ଟି୨୦ ବିଶ୍ୱକପରେ ଦ୍ରୁତ ଶତକ ହାସଲ କରିଥିବା କେତେକ ବ୍ୟାଟ୍ସମ୍ୟାନଙ୍କ ଉପରେ ନଜର ପକାଇବା ।
ଏହି ତାଲିକାରେ ୱେଷ୍ଟଇଣ୍ଡିଜର କ୍ରିସ ଗେଲ ଶୀର୍ଷରେ ରହିଛନ୍ତି । ସେ ୪୭ ବଲରେ ଶତକ ହାସଲ କରିଥିଲେ । ୨୦୧୬ ବିଶ୍ୱକପରେ ଇଂଲଣ୍ଡ ବିପକ୍ଷ ମୁକାବିଲାରେ ସେ ଏହି ଇନିଂସ ଖେଳିଥିଲେ । ଦ୍ୱିତୀୟ ସ୍ଥାନରେ ମଧ୍ୟ ଗେଲଙ୍କ ନାମ ରହିଛି । ୨୦୦୭ ବିଶ୍ୱକପରେ ସେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦ୍ରୁତ ଶତକ ମାରିଥିଲେ । ୨୦୧୨ ବିଶ୍ୱକପରେ ନ୍ୟୁଜିଲାଣ୍ଡର ବ୍ରେଣ୍ଡନ ମ୍ୟାକକୁଲାମ ୫୧ ବଲରେ ଶତକ ହାସଲ କରିଥିଲେ । ସେ ବାଂଲାଦେଶ ବିପକ୍ଷରେ ଏହି ବିସ୍ଫୋରକ ଇନିଂସ ଖେଳିଥିଲେ । ଦକ୍ଷିଣ ଆଫ୍ରିକାର ରିଲି ରୋସେ ୨୦୨୨ ବିଶ୍ୱକପରେ ବାଂଲାଦେଶ ବିପକ୍ଷରେ ୫୨ ବଲରେ ଶତକ ହାସଲ କରିଥିଲେ । ସେହିପରି ପାକିସ୍ତାନର ଅହମ୍ମଦ ଶେହଜାଦ ୨୦୧୪ରେ ବାଂଲାଦେଶ ବିପକ୍ଷରେ ୫୮ ବଲରେ ଶତକ ମାରିଥିଲେ ।